ପକ୍ଷୀ ହେବା ନିଶା ଛାଡ଼ିଲା

ତୁମ କାହାଣୀ - ସୀମାଞ୍ଚଳ ବିଶ୍ୱାଳ

ହାତୀଛୁଆ ନନ୍ଦ ଓ କାଉ ଦୁଇ ସାଙ୍ଗ। ସକାଳର କଅଁଳ ଖରାରେ ସେମାନେ ଖେଳନ୍ତି। ନନ୍ଦ ପଡ଼ିଆରେ ବୁଲେ, ମାତ୍ର କାଉଟି ତା’ ଉପରେ ବସି ଟିଙ୍କ ଉକୁଣି ଖାଇ ମହାଆନନ୍ଦରେ ଥାଏ। କାଉ ପୁଣି ହାତୀର ସାଙ୍ଗ, ଏ କଥା ପାଇଁ ତା’ର ପକ୍ଷୀଜଗତରେ ଟିକେ ଅଲଗା ପତିଆରା ଥାଏ। ଦିନେ ନନ୍ଦ ମନ ଦୁଃଖରେ କହିଲା- ଭାଇ! ତୁମେ ବହୁତ ଖୁସିରେ ଅଛ, ମୋତେ ଟିକେ ତୁମ ଭଳି ପକ୍ଷୀ କରିଦିଅ ଓ ଶୂନ୍ୟରେ ଉଡ଼େଇଦିଅ। ନନ୍ଦର ମନକଷ୍ଟ କଥା କାଉକୁ ବହୁତ ଦୁଃଖ ଦେଲା। ଯେମିତି ହେଲେ ନନ୍ଦକୁ ଉଡ଼େଇବା ପାଇଁ କାଉ ଶପଥ ନେଲା। ତା’ପରେ କା..କା.. କରି ରଡ଼ି ଛାଡ଼ିଲା। ସଙ୍ଗେ ସଙ୍ଗେ ସବୁ କାଉ ଏକଜୁଟ ହେଲେ। ସଭା ବସାଇଲେ। ହାତୀ ଛୁଆର ମନକଥା କାଉଟି ତା’ର ବନ୍ଧୁମାନଙ୍କୁ କହିଲା। ସବୁ କାଉ ନନ୍ଦକୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଲେ।

ନିର୍ଦ୍ଦେଶ ଅନୁସାରେ ସବୁ କାଉ ନିଜର ଝଡ଼ୁଥିବା ପରଗୁଡ଼ିକ ପାଟିରେ ଆଣି ପାହାଡ଼ ତଳ ଏକ ପଥର ଉପରେ ଜମା କଲେ। ଦିନ କେଇଟାରେ ଛୋଟ ପାହାଡ଼ ଭଳି ପର ଗଦା ହୋଇଗଲା। କେମିତି ହାତୀ ଦେହରେ ପରଗୁଡ଼ିକ ଲାଗିବ ସେଇ ଚିନ୍ତା ସମସ୍ତଙ୍କୁ ଘାରିଲା। ତା’ପରେ ମହୁମାଛିମାନଙ୍କୁ ଅନୁରୋଧ କରି ତା’ଙ୍କଠାରୁ ମହମ ଆଣିଲେ। ହାତୀ ଦେହରେ ମହମ ଲଗେଇ ପରଗୁଡ଼ିକ ସଜେଇଲେ। ନନ୍ଦ ଖୋଲା ପଡ଼ିଆ‌ରେ ଅଭ୍ୟାସ କଲା, କିନ୍ତୁ ବିଫଳ ହେଲା। ତେଣୁ ପକ୍ଷୀମାନେ ମିଳିମିଶି ଉପଦେଶ ଦେଲେ ଯେ, ପାହାଡ଼ ଉପରୁ ତଳକୁ ଦୌଡ଼ିଲେ ନିଶ୍ଚୟ ପର ଦ୍ବାରା ଉଡ଼ି ହେବ। ନନ୍ଦ ମନରେ ପ୍ରବଳ ଉତ୍ସାହ, ଯେମିତି ହେଲେ ପକ୍ଷୀ ଭଳି ଉଡ଼ିବ। ତେଣୁ ପାହାଡ଼ ଚଢ଼ିବାକୁ କଷ୍ଟ ଅନୁଭବ କଲାନି। ପାହାଡ଼ ଉପରେ କିଛି ସମୟ ବିଶ୍ରାମ ନେବା ପରେ ସେ ତଳକୁ ଦୌଡ଼ିବାକୁ ଆରମ୍ଭ କଲା। ଉଡ଼ିବା ସମ୍ଭବ ହେଲା ନାହିଁ। ବରଂ ଭୁସ୍‌ଭାସ୍‌ ହୋଇ ନନ୍ଦ ତଳକୁ ପଡ଼ିଗଲା। ଭାଗ୍ୟ ଭଲ, ଗୋଟେ ବଡ଼ ପଥର ରକ୍ଷା କଲା। ତଥାପି ନନ୍ଦର ଗୋଡ଼ ଭାଙ୍ଗିଗଲା।

କିନ୍ତୁ ଭାଗ୍ୟ ଭଲ ଯେ ଜଙ୍ଗଲର କର୍ମଚାରୀମାନେ ଏହା ଦେଖି ତା’କୁ ସଙ୍ଗେ ସଙ୍ଗେ ଚିକିତ୍ସା କଲେ। କିିଛିଦିନ ପରେ ସେ ଚାଲିବାକୁ ଲାଗିଲା। ସେହିଦିନଠାରୁ ନନ୍ଦ ବୁଝିଗଲା ଯେ ଯାହା ଅସମ୍ଭବ ତାହା ପଛରେ ଗୋଡ଼ାଇବା ଠିକ୍‌ ନୁହେଁ। ତେଣୁ ସେ ପକ୍ଷୀ ହେବା ଜିଦ୍‌ ଛାଡ଼ିଦେଲା।

ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର