୨ରେ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ବୁଣାକାର ଓ କୃଷକଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ
ଥ୍ରି ଇ’ରେ ସଫଳତା ପରେ ଥ୍ରି ଡି’ରେ ହେବ ଗବେଷଣା

ସମ୍ବଲପୁର : ନୂଆ ପିଢ଼ିର ଆଇଆଇଏମ୍‌ଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଥିବା ଆଇଆଇଏମ୍‌ ସମ୍ବଲପୁର ଆଉ ଏକ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଥିବା ଅସ୍ଥାୟୀ କ୍ୟାମ୍ପସରେ ୫ ବର୍ଷ କଟିବା ପରେ ଏବେ ନିଜସ୍ବ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨ ତାରିଖରେ ବସନ୍ତପୁରଠାରେ ଏହି ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅନ୍‌ଲାଇ୍‌ନ୍‌ ପ୍ଲାଟଫର୍ମରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ‘ନିଶାଙ୍କ’, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋର୍‌ତେ, ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆଇଆଇଏମ୍‌ ସମ୍ବଲପୁର ବୋର୍ଡ ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଓ ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଚିବ, ମନ୍ତ୍ରୀ, ବୃହତ୍‌ ଶିଳ୍ପାନୁଷ୍ଠାନ, ଆଇଆଇଏମ୍‌, ଆଇଆଇଟି, ଆଇଜର ବିଭିନ୍ନ କର୍ମକର୍ତ୍ତାଙ୍କ ସମେତ ପୂରାତନ ଛାତ୍ରଛାତ୍ରୀ ମଧ୍ୟ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ବୁଣାକାର ଓ ଚାଷୀ। ଏହି ଅନୁଷ୍ଠାନ କେବଳ ବୃହତ୍‌ ଶିଳ୍ପାନୁଷ୍ଠାନଙ୍କ ପାଇଁ ନୁହେଁ; ବରଂ ଆଞ୍ଚଳିକ ବୁଣାକାର ଓ କୃଷକଙ୍କୁ କିଭଳି ଅଧିକରୁ ଅଧିକ ସୁବିଧା ମିଳିପାରିବ ସେନେଇ ଆଇଆଇଏମ୍‌ ସମ୍ବଲପୁରର ସବୁବେଳେ ପ୍ରୟାସ ଜାରି ରଖିଛି। ତେଣୁ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ୍‌ ସମ୍ବଲପୁର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ କହିଛନ୍ତି।

ଆଇଆଇଏମ୍‌ ସମ୍ବଲପୁର ଏହାର ୫ ବର୍ଷର ଯାତ୍ରାରେ ଥ୍ରି ଇ(ଇନ୍‌କ୍ଲୁଜନ, ଇନୋଭେସନ୍‌ ଓ ଇଣ୍ଟିଗ୍ରିଟି)କୁ ଗୁରୁତ୍ବାରୋପ କରି ବେଶ୍‌ ସଫଳତା ହାସଲ କରିଛି। ନୂତନ ଶିକ୍ଷା ନୀତିକୁ ଆଖି ଆଗରେ ରଖି ଅନୁଷ୍ଠାନ ନିଜର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବା ସହ ଶିକ୍ଷକ କୈନ୍ଦ୍ରିକ କ୍ଲାସରୁମ୍‌ ବ୍ୟବସ୍ଥାକୁ ଶିକ୍ଷାର୍ଥୀ କୈନ୍ଦ୍ରିକ କ୍ଲାସରୁମ୍‌ରେ ପରିଣତ କରିଥିବା ପ୍ରଫେସର ଜୟସ୍ବ‌ାଲ କହିଛନ୍ତି। ଆଇଆଇଏମ୍‌ ସମ୍ବଲପୁର ନିଜ ଶ୍ରେଣୀରେ ପ୍ରଥମ ଅନୁଷ୍ଠାନ ଯିଏ ଫ୍ଲିପ୍‌ଡ କ୍ଲାସରୁମ୍‌ ବ୍ୟବସ୍ଥା ଆପଣାଇଛି। ଲିଙ୍ଗଭିତ୍ତିକ ବୈଷମ୍ୟକୁ ଦୂର କରିବା ସହ ୨୦୧୯-୨୧ ବ୍ୟାଚ୍‌ରେ ୪୯ ପ୍ରତିଶତ ଓ ୨୦୨୦-୨୨ ଏମ୍‌ବିଏ ବ୍ୟାଚରେ ୪୩ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦେଇ ପ୍ରଥମ ଇ ଇନ୍‌କ୍ଲୁସିଭ୍‌ନେସ୍‌ ବା ସମଗ୍ରତାକୁ ପ୍ରମାଣ କରିଛି। ବିଭିନ୍ନ ପ୍ରସଙ୍ଗରେ ଗବେଷଣା କରିବା ସହ ଆଞ୍ଚଳିକ ବୁଣାକାର, କୃଷକଙ୍କ ଉନ୍ନତି ଦିଗରେ ଗବେଷଣା କରି ଦ୍ବିତୀୟ ଇ ଇନୋଭେସନ୍‌କୁ ପୂରଣ କରିଛି। ଅନୁଷ୍ଠାନ ନିଜ ଅଞ୍ଚଳର ବିକାଶ ପାଇଁ କାମ କରିବା ସହ ପ୍ରତି ଛାତ୍ର ଅନ୍ୟୂନ ୫ ଜଣ ଗରିବ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବାକୁ ନିଷ୍ପତ୍ତି ନେଇ ଇଣ୍ଟିଗ୍ରିଟିକୁ ପୂରଣ କରିଛି। ଏବେ ବଦଳୁଥିବା ସମୟ ସହ ତାଳ ଦେଇ ଥ୍ରି ଡି(ଡିଜିଟାଲାଇଜେସନ, ଡି କାରବୋନାଇଜେସନ୍‌ ଓ ଡେମୋକ୍ରାଟିକ ବିଜ୍‌ନେସ) ଦିଗ‌ରେ ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ପ୍ରଫେସର ଜୟସ୍ବାଲ କହିଛନ୍ତି।

ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇ ଦେଇଥିବା ସମୟରେ କେନ୍ଦ୍ର ସରକାର ଏଥିପାଇଁ ୪୦୧.୯୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୮୦ ଏକର ଜାଗାରେ କ୍ୟାମ୍ପସ ନିର୍ମାଣ କରାଯିବ। ୨୦୨୨ ଏପ୍ରିଲ ସୁଦ୍ଧା କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ ଏନ୍‌ବିସିସି ଇଣ୍ଡିଆ ଚୁକ୍ତି ମଧ୍ୟ ସ୍ବାକ୍ଷର କରିଛି। ନିର୍ମାଣ କାର୍ଯ୍ୟ ଶେଷ ହେବାର ୮ ମାସରେ କ୍ୟାମ୍ପସ ସେଠାକୁ ସ୍ଥାନାନ୍ତର କରାଯିବ। କ୍ୟାମ୍ପସର କୋଠାରେ ଓଡ଼ିଶାର କଳା, ସଂସ୍କୃତିର ଝଲକ୍‌ ମଧ୍ୟ ଦେଖିବାକୁ ମିଳିବ ବୋଲି ପ୍ରଫେସର ଜୟସ୍ବାଲ କହିଛନ୍ତି।

ସମ୍ବନ୍ଧିତ ଖବର