କରୋନା ଆଣ୍ଟିବଡି ଦୀର୍ଘସ୍ଥାୟୀ

ଝରକା

କୋଭିଡ୍-୧୯ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି କେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଛି ସେ ନେଇ ଅନେକ ଗବେଷଣା ଚାଲିଥିଲେ ମଧ୍ୟ କୌଣସି ସ୍ପଷ୍ଟ ତଥ୍ୟ ପୂର୍ବରୁ ପ୍ରକାଶ ପାଇ ନ ଥିଲା। ତେବେ ନିକଟରେ ‘ସାଇନ୍‍ସ’ ପତ୍ରିକାରେ ପ୍ରକାଶ ପାଇଥିବା ଏକ ନୂଆ ଗବେଷଣା ନିବନ୍ଧରୁ ଜଣା ପଡ଼ିଛି ଯେ ଥରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ମଣିଷର ଶରୀରରେ ଜାତ ହେଉଥିବା ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସଂକ୍ରମଣ ଲକ୍ଷଣ ଦେଖା ଦେବା ଦିନ ଠାରୁ ଅତି କମ୍‍ରେ ଆଠ ମାସ ପର୍ଯ୍ୟନ୍ତ ବଳବତ୍ତର ରହୁଛି। ତେବେ ଲଣ୍ଡନ ସ୍ଥିତ କିଙ୍ଗ୍‍ସ କଲେଜର ଗବେଷକମାନେ ଗତ ବର୍ଷ ଜୁଲାଇରେ ଏକ ଗବେଷଣାରୁ ପ୍ରକାଶ କରିଥିଲେ ଯେ କୋଭିଡ୍-୧୯ ସଂକ୍ରମଣ ପରେ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଲକ୍ଷଣ ଦେଖାଦେବାର ୬୫ ଦିନ ପରେ ଶରୀରରେ ଆଣ୍ଟିବଡି ହ୍ରାସ ପାଇ ମାତ୍ର ୧୬.୭% ଲୋକଙ୍କ ଠାରେ କରୋନା ପ୍ରତିରୋଧକ୍ଷମ ଆଣ୍ଟିବଡି ଥିବା ଦେଖିବାକୁ ମିଳିଥିଲା। ତେଣୁ ଥରେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଥିବା ଲୋକଙ୍କ ଠାରେ ପୁଣି ସଂକ୍ରମଣର ଆଶଙ୍କା ରହିଛି ବୋଲି କିଙ୍ଗ୍‍ସ କଲେଜର ଗବେଷକମାନେ ପ୍ରକାଶ କରିଥିଲେ।

କିନ୍ତୁ ୧୮୮ ଜଣ କୋଭିଡ୍ ସଂକ୍ରମିତଙ୍କ ରକ୍ତ ନମୁନାକୁ ନେଇ କରାଯାଇଥିବା ନୂତନ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ସେ ସମସ୍ତଙ୍କ ଶରୀରରେ ଆଠ ମାସ ପର୍ଯ୍ୟନ୍ତ ଆଣ୍ଟିବଡି, ବି ସେଲ୍ ଓ ଟି ସେଲ୍ ଉପସ୍ଥିତ ରହୁଥିବାର ଦେଖିବାକୁ ମିଳିଛି। ଆଣ୍ଟିବଡି ହ୍ରାସ ପାଇବା ସମ୍ପର୍କରେ ଗବେଷକମାେନ କହିଛନ୍ତି ଯେ ତାହା ଏକ ସ୍ବାଭାବିକ ପ୍ରକ୍ରିୟା; ଆଣ୍ଟିବଡି ସଂଖ୍ୟା ହ୍ରାସ ପାଇଲେ ମଧ୍ୟ ଏହା ଶରୀରକୁ ସମାନ ଭୂତାଣୁ ଦ୍ବାରା ପୁଣି ଥରେ ସଂକ୍ରମିତ ହେବାକୁ ଦିଏ ନାହିଁ। ଏହାର ଅର୍ଥ ହୋଇପାରେ ଯେ କୋଭିଡ୍-୧୯ ଭୂତାଣୁରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ଶରୀର ମାସ ମାସ ଧରି, ସମ୍ଭବତଃ ବର୍ଷ ବର୍ଷ ପର୍ଯ୍ୟନ୍ତ କରୋନା ଭୂତାଣୁର ପୁନଃସଂକ୍ରମଣର ବିପଦ ଠାରୁ ସୁରକ୍ଷିତ ରହିପାରିବ। ଏହି ପ୍ରତିରୋଧୀ ଶକ୍ତି କ୍ଷୟ ହେବାକୁ କେତେ ସମୟ ଲାଗୁଛି ତାହା ଜାଣିବା ପାଇଁ ଆମକୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିବ; କାରଣ ଏହି ମହାମାରୀ ଆରମ୍ଭ ହେବା ଦିନରୁ ମାତ୍ର ଏକ ବର୍ଷ କାଳ ବିତିଛି।

ସମ୍ବନ୍ଧିତ ଖବର