ସମୁଦ୍ରରେ ଖସିପଡ଼ିଲା ବିମାନ, ୨୦୧୮ରେ ବି ଇଣ୍ଡୋନେସିଆ ବିମାନ ସମୁଦ୍ରକୁ ଖସିଥିଲା

ଜାକର୍ତାରୁ ଉଡ଼ାଣ ଆରମ୍ଭ କରିଥିଲା, ସମସ୍ତ ୬୨ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ସର୍ଚ୍ଚ ଅପରେସନ ଜାରି

ଜାକର୍ତା: ଇଣ୍ଡୋନେସିଆରେ ଶ୍ରୀବିଜୟା ଏୟାରଲାଇନ୍‌ସର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଗର୍ଭକୁ ଖସି ପଡ଼ିଛି। ଏହି ବିମାନରେ ୬ ଜଣ ଶିଶୁ ଏବଂ ୬ ଜଣ ପରିଚାଳକ ଦଳ ସଦସ୍ୟ ସମେତ ମୋଟ ୬୨ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଜାକର୍ତା ଏୟାରପୋର୍ଟରୁ ବିମାନଟି ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ୍‌ ପରେ ୧୦ ହଜାର ଫୁଟ ଉଚ୍ଚରେ ହଠାତ ସମସ୍ତ ସଂପର୍କ ଛିନ୍ନ ହୋଇଥିଲା। ଏହାର କିଛି ସମୟ ପରେ ସମୁଦ୍ରରେ କିଛି ବିମାନ ଧ୍ବଂସାବଶେଷ ଏବଂ ବୈଦ୍ୟୁତିକ ଉପକରଣ ଠାବ ହେବାରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତେବେ ଏହି ଧ୍ବଂସାବେଶଷ ସଂପର୍କରେ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି।

ଶ୍ରୀବିଜୟା ଏୟାରଲାଇନ୍ସର ଫ୍ଲାଇଟ୍‌ ନମ୍ବର ଏସ୍‌ଜେ ୧୮୨ ବୋଇଂ ୭୩୭ ବିମାନ ଜାକର୍ତା ବିମାନ ବନ୍ଦରରୁ ପୋଣ୍ଟିଆନକ୍‌ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଟ୍ରାଫିକ୍‌ କଂଟ୍ରୋଲ (ଏଟିସି) ସହ ସଂପର୍କ ଛିନ୍ନ ହୋଇଥିଲା। ବିମାନ ଉପରେ ନଜର ରଖୁଥିବା ୱେବ୍‌ସାଇଟ୍‌ ‘ଫ୍ଲାଇଟ୍‌ ରାଡାର ୨୪’ ମୁତାବକ ବିମାନ ହଠାତ ତଳକୁ ଖସୁଥିବା ସଂକେତ ମିଳିଥିଲା ଏବଂ ଏହା ପରେ ଆଉଁ କୌଣସି ସଙ୍କେତ ରହିଲା ନାହିଁ । ବିମାନ ସହ ଯେଉଁ ସ୍ଥାନରେ ଯୋଗା‌ଯୋଗ ଛିନ୍ନ ହୋଇଥିଲା ସେଠାରେ ସମୁଦ୍ର ଥିବାରୁ ତୁରନ୍ତ ସନ୍ଧାନକାରୀ ବିମାନ, ହେଲିକପ୍‌ଟର ଏବଂ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ୨୬ ବର୍ଷ ପୁରୁଣା ଏବଂ ଏହାକୁ ୧୯୯୪ରେ ଆମେରିକାର କଣ୍ଟିନେଣ୍ଟାଲ ଏୟାରଲାଇନ୍ସରୁ ଶ୍ରୀବିଜୟା ଏୟାର ଲାଇନ୍ସ କିଣିଥିଲା। ଆଜି ଦୁର୍ଘଟଣା ସଂପର୍କରେ ଖବର ଆସିବା ମାତ୍ରେ ଜାକର୍ତା ବିମାନ ବନ୍ଦରରେ ଯାତ୍ରୀଙ୍କ ପରିଜନ ପହଞ୍ଚିଥିଲେ ଏବଂ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

୨୦୧୮ରେ ବି ଇଣ୍ଡୋନେସିଆ ବିମାନ ସମୁଦ୍ରକୁ ଖସିଥିଲା
ନୂଆଦିଲ୍ଳୀ: ୨୦୧୮ ଅକ୍ଟୋବର ୨୯ ତାରିଖରେ ମଧ୍ୟ ଇଣ୍ଡୋନେସିଆର ଏକ ବୋଇଂ ୭୩୭ ବିମାନ ବିମାନ ଜାଭା ସମୁଦ୍ରରେ ଖସିପଡ଼ିବାରୁ ୧୮୯ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ୨୦୧୪ ମାର୍ଚ ୮ ତାରିଖରେ ମାଲେସିଆ ଏୟାରଲାଇନ୍‌ର ବିମାନ ଏମ୍‌ଏଚ୍‌-୩୭୦ ମଧ୍ୟ ସମୁଦ୍ରରେ ନିଖୋଜ ହୋଇଯାଇଥିଲା। ଏମ୍‌ଏଚ୍‌୩୭୦ କ୍ବାଲା ଲମ୍ପୁର୍‌ରୁ ବେଜିଂ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦକ୍ଷିଣ ଭାରତ ମହାସାଗର ଉପରେ ନିଖୋଜ ହୋଇ ଯାଇଥିଲା। ବିମାନରେ ୨୨୭ ଯାତ୍ରୀଙ୍କ ସମେତ ମୋଟ୍‌ ୨୩୯ ଜଣ ଥିଲେ। ଗତବର୍ଷ ବିଶେଷଜ୍ଞ ଦଳ ଏହି ଦୁର୍ଘଟଣାର ସମ୍ଭାବ୍ୟ ସ୍ଥଳ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର