ମୃତ୍ୟୁ ପରେ ବି ସୁନନ୍ଦାଙ୍କ ସହ ପ୍ରତାରଣା : ଘୋଷଣା କଲେ, କାର୍ଯ୍ୟକାରୀ କଲେନି

ପୁରୀ : ଓଡ଼ିଶା ବାହାରେ ଓଡ଼ିଶାର ସ୍ବର ଥିଲେ ଶାସ୍ତ୍ରୀୟ ସଂଗୀତ ସାମ୍ରାଜ୍ଞୀ ସୁନନ୍ଦା ପଟ୍ଟନାୟକ। କୋକିଳ କଣ୍ଠର ସମଗ୍ର ଭାରତର କୋଟିକୋଟି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସେ ଥିଲେ ଜଣେ ଅନନ୍ୟ ଓଡ଼ିଆ। ଏତେ ଅବଦାନ ପରେ ମଧ୍ୟ ଏ ଜାତି ତାଙ୍କ ସହ ବିଶ୍ବାସଘାତକତା କଲା। ୟେସା କରିବୁ, ତେସା କରିବୁ କହି ବାଃ ବାଃ ନେଲେ। ହେଲେ ବର୍ଷଟିଏ ଯାଇନି ସବୁ ପାଣିର ଗାର ହୋଇଗଲା। ବଞ୍ଚିଥିବା ବେଳେ ତ କିଛି କଲେନି, ମୃତ୍ୟୁ ପରେ ବି ପ୍ରତାରଣା କରିବାକୁ ପଛେଇଲେନି। ନିକଟରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଗଲା। ହେ‌ଲେ ଅନେକ ସ୍ବପ୍ନ ଦେଖାଇଥିବା ସରକାର ତାଙ୍କ ପାଇଁ କେଉଁଠି ଶ୍ରଦ୍ଧାଞ୍ଜଳି ସଭା‌ଟିଏ ବି ଭଲରେ କରିବାକୁ ଉଚିତ୍‌ ମଣିଲେ ନାହିଁ।

‘ଜୀବନ ପାତ୍ର ମୋ ଭରିଛ କେତେ ମୋତେ’.. ଭଳି କାଳଜୟୀ ଗୀତ ଭେଟି ଦେଇଥିବା ଓଡ଼ିଶାର ଏହି ବିଶିଷ୍ଟ ବରପୁତ୍ରୀ ତରାନା ପରିବେଷଣରେ ଯେଉଁ ଚମକ ସୃଷ୍ଟି କରୁଥିଲେ ତାହା ଶୁଣି ଭାରତର ବଡ଼ ବଡ଼ ସଂଗୀତଜ୍ଞଙ୍କୁ ବି ଆଚମ୍ବିତ ହେଉଥିଲେ। ସମ୍ମାନରେ ମୁଣ୍ଡ ନୁଆଇଁ ଦେଉଥିଲେ। ତାଙ୍କର ଶହଶହ ରାଗ, ଖୟାଲ, ତରାନା ଏବେ ବି ଶାସ୍ତ୍ରୀୟ ସଂଗୀତ ପ୍ରେମୀଙ୍କ ମନରେ ଅନୁରଣିତ ହୁଏ। ନିଃଶବ୍ଦ ଶରଦ ପ୍ରାତେଃ.., ଦୁଃଖେ ତୁମର ଉତ୍ସବ ଦୀପ.., ଜୀବନ ବନ୍ଧୁ ଜୟଜୟ ହେ.. ଭଳି ଅମୂଲ୍ୟ ଭକ୍ତି ଗୀତକୁ କଣ୍ଠରେ ଜୀବନ୍ତ କରି କୋଟିକୋଟି ହୃଦୟକୁ ଜିତିଥିଲେ। ହେଲେ ଜୀବଦ୍ଦଶାରେ ତାଙ୍କୁ ସମ୍ମାନ ଦେବା ତ ଦୂରର କଥା, ମୃତ୍ୟୁ ପରେ ବି ତାଙ୍କ ସହ ଛଳନା କରିବାକୁ ପଛାଇଲେନି ସରକାର। ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତାହା ସେହି ଘୋଷଣାରେ ସୀମିତ ରହିଗଲା। ପୁରୀ ଓ କଟକରେ ଥିବା ଏହି ସଂଗୀତ ମହିୟସୀଙ୍କ ବାସଭବନକୁ ‘ସୁନନ୍ଦା ସ୍ମୃତି ସଦନ’ ଭାବେ ବିକଶିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଶୁଚିସ୍ମିତା ମନ୍ତ୍ରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ଦାଶ, ସଂଗ୍ରହାଳୟର ଏମ୍‌. ସଂଜୀବ କୁମାର, ଦଇତାପତି ସେବକ ମନୋଜ କୁମାର ଦାସ ମହାପାତ୍ର ଓ ‘ଅଭିନନ୍ଦନିକା’ର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ପୁରୀ ବଳିଆପଣ୍ଡାସ୍ଥିତ ସୁନନ୍ଦାଙ୍କ ଘର ବୁଲିକି ଗଲେ। ମାତ୍ର ସେତିକିରେ ସବୁ ଅଟକିଗଲା। ଏବେ ବି ସେ ଘର ଅସାମାଜିକଙ୍କ ଅକ୍ତିଆରରେ। ଗୋଟିଏ ଘରକୁ ଛାଡ଼ିଦେଲେ ଅନ୍ୟ ଘରର ଝରକା କବାଟ ତଡ଼‌ା ହୋଇଛି। ସଞ୍ଜ ନଇଁଲେ ସେ ସ୍ଥାନ ଅଘୋଷିତ ବାର୍ ପାଲଟୁଛି। ସେହିପରି ସୁନନ୍ଦାଙ୍କ ବ୍ୟବହୃତ ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ଜିନିଷକୁ ନେଇ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଏକ ସ୍ବତନ୍ତ୍ର ଗ୍ୟାଲେରି କରାଯିବ ବୋଲି କୁହାଗଲା। ତାଙ୍କ ବ୍ୟବହୃତ ଜିନିଷ ଦେବା ଲାଗି ତାଙ୍କ ପରିବାରବର୍ଗଙ୍କୁ ସରକାର ନିବେଦନ କରିବେ ବୋଲି ଘୋଷଣା କଲେ। କିନ୍ତୁ ଏକଥା ଆଉ ଆଗେଇ ପାରିଲା ନାହିଁ।

କେବଳ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ଦିଆଯିବ ବୋଲି ଘୋଷଣା ହୋଇଥିବା କଥାକୁ ଅନୁମୋଦନ ବ୍ୟତୀତ ଅନ୍ୟ ସବୁ ଘୋଷଣା ସେମିତି ଘୋଷଣାରେ ରହିଯାଇଛି। ସଂଗୀତ ପାଇଁ ସେ ସମଗ୍ର ଜୀବନ ଉତ୍ସର୍ଗ କରିଦେଲେ। ଓଡ଼ିଶା ମାଟିକୁ ଗର୍ବିତ କଲେ। ମାତ୍ର ଜୀବିତାବସ୍ଥାରେ ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଁ ବି ତାଙ୍କ ନାଁ’ କେହି ସୁପାରିସ କଲେ ନାହିଁ। ବାସ୍ତବ ଅର୍ଥରେ କହିଲେ, ଅନେକ ତାଙ୍କ ପ୍ରତିଭା ଦେଖି ଜଳୁଥିଲେ। ଓଡ଼ିଆମାନେ ତାଙ୍କ ଚିତାରୁ ପାଉଁଶ ମୁଠେ ବି ଶେଷରେ ପାଇଲେ ନାହିଁ। ସଂଗୀତର ଏ ପୂଜାରିଣୀଙ୍କୁ ସରକାର ଏ ଯାଏ ଚିହ୍ନିଲେ ନାହିଁ କି ପରପିଢ଼ିକୁ ଚ‌ିହ୍ନେଇବା ବ୍ୟବସ୍ଥା କଲେ ନାହିଁ। ଦେଇଥିବା କଥା ଭୁଲିଗଲେ।

ସମ୍ବନ୍ଧିତ ଖବର