ଓଡ଼ିଶା ନାଭାଲ ଟାଟା ହକିର ଆବାସିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପ୍ରଥମ ଦଫାରେ ୩୧ ପ୍ରଶିକ୍ଷାର୍ଥୀ, ଢେଙ୍କାନାଳ, ଦେଓଗଡ଼ରେ ତୃଣମୂଳ କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚଗୁଣବତ୍ତା କେନ୍ଦ୍ର (ଏଚ୍‌ପିସି)ର ବାଳକ ଆବାସିକ କାର୍ଯ୍ୟକ୍ରମ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ହକିରେ ପ୍ରତିଭାସଂପନ୍ନ ଖେଳାଳିଙ୍କୁ ‌ଅନ୍ବେଷଣ କରି ବିଶ୍ବସ୍ତରୀୟ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ୧୭ ବର୍ଷରୁ କମ୍‌ ବୟସର ଖେଳାଳିଙ୍କୁ ନେଇ ଭୁବନେଶ୍ବରରେ ୧୫ ଦିନ ଧରି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଊର୍ଧ୍ବ ‌ପ୍ରତିଭାବାନ ଖେଳାଳି ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମ ଦଫା ଲାଗି ୩୧ ଜଣଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ଓଡ଼ିଶାରୁ ୨୧, ମଣିପୁରର ୭, ଉତ୍ତରପ୍ରଦେଶରୁ ୨ ଏବଂ ଆସାମରୁ ଜଣେ ରହିଛନ୍ତି। ଏଥିସହ ୮ (ଓଡ଼ିଶାରୁ ୫) ଜଣ ପ୍ରତିଭାବାନ ଖେଳାଳିଙ୍କୁ ‌ଷ୍ଟାଣ୍ଡ୍‌ବାଇ ରଖାଯାଇଛି। ଏଚ୍‌ପିସି ମଧ୍ୟ କିଛି ଖେଳାଳିଙ୍କ ନାମ ପ‌ାନପୋଷ ଓ ସୁନ୍ଦରଗଡ଼ରେ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ କ୍ରୀଡ଼ା ଛାତ୍ରାବାସ ଲାଗି ସୁପାରିସ କରିଛି। ଏହି ଛାତ୍ରାବାସଗୁଡ଼ିକ ଆଞ୍ଚଳିକ ବିକାଶ କେନ୍ଦ୍ର ଭାବେ କାମ କରୁଛି। ଚଳିତ ବର୍ଷ ଏପ୍ରିଲରେ ଏଚ୍‌ପିସି ଲାଗି ଆଉ କିଛି ବାଳକ ଓ ବାଳିକାଙ୍କୁ ଚୟନ କରାଯିବ। ଚୟନ ଶିବିର ପାଇଁ ଯୋଜନା ଚାଲିଛି। ସଂପ୍ରତି ଏଚ୍‌ପିସି ବାଳିକା ଆବସିକ କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶରୁ ୩୦ ଜଣ ତାଲିମ ନେଉଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲା ବେଳେ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ପଦ୍ମଶ୍ରୀ ଦିଲୀପ ତିର୍କି, ଟାଟା ଷ୍ଟିଲ୍‌ର କର୍ପୋରେଟ ସର୍ଭିସ୍‌ ଉପସଭାପତି ତଥା ହକି ଏସ୍‌ ଫାଉଣ୍ଡେସନ (ଏଚ୍‌ଏଏଫ୍) ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ, ଏଚ୍‌ଏଏଫ୍‌ ସିଇଓ ଗୌତମ ମୁଖାର୍ଜୀ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ମଧ୍ୟ ଢେଙ୍କାନାଳ ଓ ଦେଓଗଡ଼ରେ ଦୁଇଟି ତୃଣମୂଳ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ଏହାକୁ ମିଶାଇ ତୃଣମୂଳ କେନ୍ଦ୍ର ସଂଖ୍ୟା ୧୨ରେ ପହଞ୍ଚି। ଏଠାରେ ଜଣେ ମହିଳାଙ୍କ ସହ ‌ମୋଟ ୨୫ ପ୍ରଶିକ୍ଷକ ତାଲିମ ପ୍ରଦାନ କରୁଛନ୍ତି। ଉଭୟ ବାଳକ ଓ ବାଳିକାରେ ୨୫୦୦ ଯୁବ ଖେଳାଳି ତାଲିମ ନେଉଛନ୍ତି। ବାଳକ ଆବାସିକ ‌କାର୍ଯ୍ୟକ୍ରମ ଲାଗି ଆୟୋଜିତ ଚୟନ ଶିବିରକୁ ଏଚ୍‌ପିସି ବୈଷୟିକ ନିର୍ଦେଶକ ୱାର୍ନର ଭେନ ଡର’ଭେଗ୍‌ଟ, ହକି ଏଚ୍‌ପିସି ମୁଖ୍ୟ ପ୍ରଶିକ୍ଷକ ପି ଲକ୍ଷ୍ମୀନାରାୟଣ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର