ପର୍ଯ୍ୟଟନସ୍ଥଳ ପୁତୁଡ଼ି : ଜଳପ୍ରପାତକୁ ନାହିଁ ଭଲ ରାସ୍ତା, ହ୍ରାସ ପାଉଛି ପର୍ଯ୍ୟଟକଙ୍କ ସଂଖ୍ୟା

 

ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁତୁଡ଼ି ଜଳପ୍ରପାତକୁ ଭଲ ରାସ୍ତା ନଥିବା କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଥିବା ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଏକଦା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା। ନଭେମ୍ବର ମାସରୁ ମାର୍ଚ୍ଚ ମାସ ଯାଏ ଏଠାକୁ ଦୈନିକ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ। ମାତ୍ର ‌ଏବେ ଏଠାରେ ପର୍ଯ୍ୟଟକଙ୍କ ଦେଖାଦର୍ଶନ ନାହିଁ। ଯଦିଓ କରୋନା ମହାମାରୀ ଓ ଲକ୍‌ଡାଉନ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି, ମାତ୍ର ଏଠାକୁ ଭଲ ରାସ୍ତା ଓ ଗମନାଗମନର ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଆସିବାକୁ ମନ ବଳାଉନାହାନ୍ତି।
ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ତୁଡ଼ିପାଜୁ ଗ୍ରାମ ପଞ୍ଚାୟତରେ ଏହି ଜଳପ୍ରପାତ ଅବସ୍ଥିତ। ଫୁଲବାଣୀ ସହରରୁ ଗୋଛାପଡ଼ା ରାସ୍ତାରେ ମାତ୍ର ୧୫ କିଲୋମିଟର ଦୂରରେ ପୁତୁଡ଼ି ଜଳପ୍ରପାତ ଥିଲେ ମଧ୍ୟ ରାସ୍ତାର ସୁବିଧା ନଥିବାରୁ ପର୍ଯ୍ୟଟକ ଆସୁନାହାନ୍ତି। ତୁଡ଼ିପାଜୁ ଛକରୁ ମାତ୍ର ୬ କିଲୋମିଟର ରାସ୍ତା ପିଡବ୍‌ଲ୍ୟୁଡି ଥିଲେବି ଏଥିରେ ଯାନବାହନ ଚଳାଚଳ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ବହୁ ବର୍ଷ ଧରି ରାସ୍ତାଟିର ମରାମତି ହୋଇନାହିଁ। ଜଳପ୍ରପାତ ନିକଟବର୍ତ୍ତୀ ଦୁଇ କିଲୋମିଟର ପାହାଡ଼ିଆ ଘାଟି ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇଥାଏ। ଯଦିଓ ଜଳପ୍ରପାତ ନିକଟରେ ଏକ ଭିୟୁ ପଏଣ୍ଟ କରାଯାଇଛି, ମାତ୍ର ଏଠାକୁ ପହଞ୍ଚିବା ପର୍ଯ୍ୟଟକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥ‌ାଏ। ଜଳପ୍ରପାତକୁ ସଂଯୋଗ କରିଥିବା ମାତ୍ର ୬ କିଲୋମିଟର ରାସ୍ତାର ଉନ୍ନତୀକରଣ ହୋଇଗଲେ ଏଠାକୁ ପର୍ଯ୍ୟଟକ ସହଜରେ ପହଞ୍ଚି ପାରିବେ। ରାସ୍ତା ନଥିବା କାରଣରୁ ପର୍ଯ୍ୟଟକମାନେ ଏଭଳି ଏକ ଅଫୁରନ୍ତ ଶୋଭାଭରା ପର୍ଯ୍ୟଟନ ସ୍ଥଳୀ ପ୍ରତି ମୁହଁ ଫେରାଉଛନ୍ତି।

ପାହାଡ଼ ଉପରୁ ସାଲୁଙ୍କି ନଦୀର ଜଳଧାରା ତଳକୁ ବହି ଜଳପ୍ରପାତ ସୃଷ୍ଟି ହୋଇଛି। ଏଠାକାର ପ୍ରାକୃତିକ ଶୋଭାରାଜି, ଘଞ୍ଚ ଶାଳ ଜଙ୍ଗଲ ଏବଂ ସବୁଜ ପାହାଡ଼, ସାଲୁଙ୍କିର ସର୍ପବକ୍ରିଳ ଗତିପଥ, ପଥୁରିଆ ଶଯ୍ୟା ଯେକୌଣସି ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ସାଲୁଙ୍କି ନଦୀର ପଥୁରିଆ ଶଯ୍ୟା ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥଳ। ଛୁଟିଦିନ ମାନଙ୍କରେ ଏଠାରେ କନ୍ଧମାଳ ଜିଲ୍ଲା ବାହାରୁ ଏବଂ ଜିଲ୍ଲା ମଧ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସିଥାନ୍ତି। ହେଲେ ଫୁଲବାଣୀ ସହରରୁ ଗୋଛାପଡ଼ା ରାସ୍ତାରେ ପୁତୁଡି ଜଳପ୍ରପାତ ସ୍ଥଳକୁ ଯିବା ପାଇଁ ରାସ୍ତାରେ ଫଳକଟିଏ ବି ନାହିଁ। ଯଦିଓ ତୁଡ଼ିପାଜୁ ଛକରେ ଏକ ସୂଚନା ଫଳକ ଲଗାଯାଇଥିଲା, ମାତ୍ର ଦୁର୍ବୃତ୍ତମାନେ ଏହାକୁ ଭାଙ୍ଗି ଦେଇଛନ୍ତି। ସେବେଠୁ ଆଉ ନୂଆ ସୂଚନା ଫଳକ ଲଗାଯାଇନାହିଁ। ତୁଡ଼ିପାଜୁ ଛକରୁ ୬ କିଲୋମିଟର ରାସ୍ତାର ବିକାଶ କରାଯାଇପାରିଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର