ମିଆଁମାର ସାମରିକ ଶାସନ ବିରୋଧରେ କଟକଣା ଜାରି କଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌

ଓ୍ଵାସିଂଟନ୍‌: ମିଆଁମାର୍‌ ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼୍‍ ନୂଆ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ କି, ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ୍‌ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି।

ବାଇଡେନ୍‌ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲ୍‌ମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ୧ ବିଲିୟନ୍‌ ଡଲାର୍‌ ସମ୍ପଦର ଉପଯୋଗ କରିପାରିବେ ନାହିଁ। ସେମାନଙ୍କ ବିରୋଧରେ ଆହୁରି ଅଧିକ କଟକଣା ମଧ୍ୟ ଜାରି କରାଯିବ।

Image Courtesy of The San Diego Union-Tribune

ସେ କହିଛନ୍ତି, ଅକ୍ତିଆର କରିଥିବା ଶାସନ କ୍ଷମତା ପ୍ରତ୍ୟାହାର କରିବା ସହ ସେନା ବର୍ମାର ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁ।
ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ବେସାମରିକ ସାମାଜିକ ସଙ୍ଗଠନ ଏବଂ ସେ ଦେଶର ଜନତାଙ୍କୁ ଉପକୃତ କରୁଥିବା ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ମିଳୁଥିବା ଆମେରିକୀୟ ସହାୟତା ସବୁକୁ ସ୍ଥଗିତ ରଖିବାଲାଗି ବାଇଡେନ୍‌ ତାଙ୍କ ପ୍ରଶାସନକୁ ଆଦେଶ ଦେଇଛନ୍ତି। ଏହି ସପ୍ତାହର ଆଗାମୀ ଦିନରେ ଏହି କଟକଣାର କ୍ଷେତସବୁ ଚିହ୍ନଟ କରାଯିବ।

ବର୍ମାର ଜନତା ପ୍ରତିବାଦ କରୁଛନ୍ତି ଓ ବିଶ୍ୱବାସୀ ତାହା ଦେଖୁଛନ୍ତି ବୋଲି ମିଆଁମାର୍‌ର ଅନ୍ୟ ଏକ ନାମ ଧରି ବାଇଡେନ୍‌ କହିଛନ୍ତି। ତେଣୁ, ଆମେ ଅତିରିକ୍ତ କଟକଣା ଜାରି କରିବାକୁ ପ୍ରସ୍ତୁତ ଏବଂ ଏହି ଉଦ୍ୟମରେ ସହଯୋଗ କରିବାକୁ ବିଶ୍ୱରେ ଥିବା ଆମର ମିତ୍ର ରାଷ୍ଟ୍ରମାନଙ୍କୁ ବି ଅନୁରୋଧ କରିବୁ।

ସମ୍ବନ୍ଧିତ ଖବର