ବ୍ରହ୍ମପୁରରେ ଘୁଷୁରି ମଡ଼କ,  ସହରବାସୀ ଆତଙ୍କିତ 

ପ୍ରାଣୀ ଚିକିତ୍ସା ବିଭାଗକୁ ଖବର କଲା ବିଏମ୍‌ସି
ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ

ବ୍ରହ୍ମପୁର : ବିଶ୍ବ ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ନଯାଉଣୁ ଏବେ ସହରରେ ଘୁଷୁରି ମଡ଼କକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗତ ଏକ ସପ୍ତାହ ଧରି ସହରରେ ଘୁଷୁରି ମଡ଼କ ଦେଖିବାକୁ ମିଳିଛି। ମହାମାରୀ କରୋନାକୁ ନେଇ ସହରବାସୀ ଦୀର୍ଘ ୧୦ ମାସ ଧରି ଲକ୍‌ଡାଉନ୍‌ରେ ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। କ‌ରୋନାର ପ୍ରକୋପ କମିବା ପରେ ଏବେ ପରିସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି। ଏଭଳି ସମୟରେ ସହରରେ ଘୁଷୁରି ମଡ଼କ ଲୋକଙ୍କ ମନକୁ ଅଧିକ ଆନ୍ଦୋଳିତ କରିଛି। ବ୍ରହ୍ମପୁର ସହରରେ ଗୋରୁଗାଈ, ମଇଁଷି ଭଳି କେତେକ ଅଞ୍ଚଳରେ ଘୁଷୁରିକୁ ଗୃହ ପାଳିତ ପଶୁ ଭାବେ ଗ୍ରହଣ କରିଥାନ୍ତି। ସହରରେ ହଜାର ହଜାର ସଂଖ୍ୟାରେ ଘୁଷୁରି ଥିବା ବେଳେ ଗତ ଏକ ସପ୍ତାହ ଧରି ଘୁଷୁରି ମଡ଼କ ଚାଲିଥିବା ଦେଖିବାକୁ ମିଳିଛି। ଏହା କେବଳ ଗୋଟିଏ ସାହି କିମ୍ବା ଗୋଟିଏ ଵାର୍ଡ ମଧୢରେ ସୀମିତ ରହି ନାହିଁ। ସହରର ପ୍ରମୁଖ ୫ଟି ଵାର୍ଡରେ ଏଭଳି ଘୁଷୁରି ମଡ଼କ ଚାଲିଥିବା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜଣାପଡ଼ିଛି। ସହରର ଶ୍ରୀରାମନଗର ଦଶଘରିଆ ଲାଇନ୍‌, ରଥସାହି, ପାଣିଗ୍ରାହୀପେଣ୍ଠ, ଆନନ୍ଦନଗର, ନେଳିଆବନ୍ଧ ସାହି ବସ୍ତି, ପିଚିପିଚାନଗର ବସ୍ତି ଓ ଗେଟ୍‌ବଜାରର ବିଭିନ୍ନ ଅଞ୍ଚଳରେ ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଛି।
ଦିନକରେ ଗୋଟିଏ କି ଦୁଇଟି ନୁହଁ ଏକକାଳୀନ ୧୦ରୁ ୧୨ଟି ଘୁଷୁରି ମରିବା ଘଟଣା ଅଞ୍ଚଳବାସୀଙ୍କ ମନରେ ନାନା ସନ୍ଦେହ ସୃଷ୍ଟି କରିଛି। ସୁସ୍ଥ ଅବସ୍ଥାରେ ଘୁଷୁରି ବିଚରଣ କରୁଥିବା ବେଳେ ହଠାତ ନାଳନର୍ଦ୍ଦମା ପାଣି ସଂସ୍ପର୍ଶରେ ଆସି ମରିପଡୁଥିବା ଦେଖିବାକୁ ମିଳିଛି। ଏକ ସପ୍ତାହରୁ ଅଧିକ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଏଥିପ୍ରତି କେହି ଗୁରୁତ୍ବ ଦେଇ ନାହାନ୍ତି। ପ୍ରତିଦିନ ଘୁଷୁରି ମରିବା ଖବର ନିଗମ କାର୍ଯ୍ୟାଳୟକୁ ଆସିବା ପରେ ନିଗମ ପକ୍ଷରୁ ପ୍ରାଣୀ ଚିକିତ୍ସା ବିଭାଗକୁ ଘଟଣା ସ˚ପର୍କରେ ଅବଗତ କରାଯିବା ସହ କାରଣ ଅନୁଧ୍ୟାନ କରିବାକୁ କୁହାଯାଇଥିବା ଡେପୁଟି କମିସନର ରୋମାଞ୍ଚଳ ଖମାରୀ ସୂଚନା ଦେଇଛନ୍ତି। ଏଭଳି ଖବର ନେଇ ଵାର୍ଡ ନ˚ ୪ର ପୂର୍ବତନ କର୍ପୋରେଟର ଅନୀଲ କୁମାର ନାୟକ ସହରରେ ଘୁଷୁରି ପାଳନ ହେଉଥିବା ପ୍ରମୁଖ ଅଞ୍ଚଳ ଗୁଡ଼ିକ ମଧୢରେ ୫, ୬, ୨୦, ୨୧ ଓ ୨୨ ନମ୍ବର ୱାର୍ଡ଼ର ବିଭିନ୍ନ ସାହି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ କେତେକ ସ୍ଥାନରେ ଘୁଷୁରି ମରି ପଡ଼ିଥିବା ମଧୢ ଦେଖିବାକୁ ପାଇଥିଲେ। ଝାଡ଼ୁଦାର ଆସି ମଲା ଘୁଷୁରିକୁ ସ୍ଥାନାନ୍ତର କରି ଦେଉଛନ୍ତି ବୋଲି ଅଞ୍ଚଳବାସୀ ସୂଚନା ଦେଇଥିଲେ। ଦିନକୁ ୧୦ରୁ ୧୨ଘୁଷୁରି ମରିବା ପଛରେ କୌଣସି ଅଜଣା ରୋଗ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏଥିନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ଏହି ଖବର ଆମପାଖକୁ ଆସିବା ପରେ ମଙ୍ଗଳବାର ଘଟଣାସ୍ଥଳକୁ ଯାଇ ନମୁନା ସ˚ଗ୍ରହ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦିନରେ ୧୦ରୁ ୧୨ଟି ଘୁଷୁରି ମରୁଥିବାରୁ ନିଶ୍ଚିତ ଭାବେ କିଛି ଅଜଣା ରୋଗର ପ୍ରଭାବ ହୋଇଥିବା ନେଇ ଅଞ୍ଚଳବାସୀ ସନ୍ଦେହ କରୁଥିବା ବେଳେ ଏହି ରୋଗ ମାନବ ଶରୀରକୁ ଆସିବାର ସମ୍ଭାବନାକୁ ନେଇ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧିତ ଖବର