କାଜୁ ତୋଟାରୁ ମହିଳାଙ୍କ ଶବ ମିଳିବା ଘଟଣା : ପ୍ରେମିକା ସହ ମିଶି ସ୍ବାମୀ ସାଜିଥିଲେ ହତ୍ୟାକାରୀ

କବିସୂର୍ଯ୍ୟନଗର : ପ୍ରେମିକା ସହ ମିଶି ନିଜ ପତ୍ନୀକୁ ହତ୍ୟା କରିଥିଲେ ସ୍ବାମୀ। ପ୍ରେମରେ କଣ୍ଟା ସାଜିଥିବା ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ହେବାକୁ ଯୋଜନା କରିଥିଲା। ସେଥିପ‌ାଇଁ ଉଭୟେ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ପ୍ରେମିକା ସହ ମିଶି ସ୍ବାମୀ ନିଜ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରି କାଜୁ ତୋଟାରେ ଫିଙ୍ଗି ଦେଇଥିଲେ। ଆଜି ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ଶଙ୍କର ନାୟକ ଓ ତାଙ୍କ ପ୍ରେମିକା ରେଣୁ ନାହାକଙ୍କୁ ପୁଲିସ ଗିରଫ କରିଛି।  କେସ ନଂ-୩୮/୨୧ରେ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରା ଯାଇଥିବା କବିସୂର୍ଯ୍ୟନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୁଲିସ ଅଧିକାରୀ ସୀମା ସ୍ୱାଇଁ ଓ ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି।
ଗତ ୧୦ ତାରିଖ ଦିନ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁ କାଜୁ ତୋଟାରୁ ଜଣେ ଅଜ୍ଞାତ ମହିଳାଙ୍କ ଶବ ପୁଲିସ ଜବତ କରିଥିଲା। ତଦନ୍ତ ପରେ ଶବଟି ବ୍ରହ୍ମପୁର ସଦର ଥାନା ନୂଆଗାଁ ରାମଚନ୍ଦ୍ରପୁରର ଲିଲି ନାୟକଙ୍କର ବୋଲି ଜଣା ପଡ଼ିଥିଲା। ପୁଲିସ କହିବା ପ୍ରକାରେ, ଲିଲିଙ୍କୁ ଯୋଜନାବଦ୍ଧ ଭାବେ ତାଙ୍କ ସ୍ୱାମୀ ସାଙ୍ଗରେ ନେଇ କବିସୂର୍ଯ୍ୟନଗର ବାଉଁଶିଆ ପଂଚାୟତର ଅର୍ଜୁନପଲ୍ଲୀରେ ରହୁଥିବା ପ୍ରେମିକା ରେଣୁ ନାହାକଙ୍କ ଘରକୁ ବକେୟା ଟଙ୍କା ମାଗିବା ବାହାନାରେ ଆସିଥିଲେ। ସେଠାରେ ୩ ହଜାର ଟଙ୍କା ବକେୟା ଥିବା କହି ସ୍ୱାମୀ ଶଙ୍କରଙ୍କ ଉପସ୍ଥିତିରେ ଲିଲି ଓ ରେଣୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ସମୟରେ ପୂର୍ବ ଯୋଜନା ମୁତାବକ ସ୍ବାମୀ ଶଙ୍କର ଓ ପ୍ରେମିକା ରେଣୁ ମିଶି ଲିଲିଙ୍କୁ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲେ। ପରେ ନିକଟସ୍ଥ କାଜୁ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିଲେ। ସେହିଦିନ ଠାରୁ ଶଙ୍କର ଫେରାର ଥିବା ବେଳେ ରେଣୁ ଘରେ ଥିଲା ।  ଏ ନେଇ ମୃତା ଲିଲିଙ୍କ ମାଆ ଶଙ୍କର ହିଁ ହତ୍ୟା କରିଥିବା ଅଭିଯୋଗ ଆଣିଥିବା ବେଳେ ପୁଲିସ ଛାନ୍‌ଭିନ୍‌ ଚଳାଇଥିଲା। ସନ୍ଦେହରେ ରେଣୁର ମୋବାଇଲ୍‌ ଟ୍ରାକିଂ କରିବା ପରେ ରହସ୍ୟ ପଦାକୁ ଆସିଥିଲା। ଶଙ୍କର ଓ ରେଣୁ ବାହାର ରାଜ୍ୟରେ ଦାଦନ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେଣୁ ଲିଲିଙ୍କୁ ମାରିବା ପାଇଁ ଏହା ପ୍ରାୟୋଜିତ ଯୋଜନା ଥିଲା ବୋଲି ଲିଲିଙ୍କ ମାଆ ଡମୁଣୀ ନାୟକ ଅଭିଯୋଗ କରିଥିଲେ।
ସମ୍ବନ୍ଧିତ ଖବର