୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌

ନୂଆଦିଲ୍ଲୀ: ୨୦୨୪ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରବିବାର ଦିନ ସୂଚନା ଦେଇଛନ୍ତି। ଏଥର ନିର୍ବାଚନରେ ଜାଲିଆତି କରି ତାଙ୍କୁ କ୍ଷମତାଚ୍ୟୁତ କରାଯାଇଛି ବୋଲି ମଧ୍ୟ ସେ ପୁଣି ଥରେ କହିଛନ୍ତି।

ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଯାହା କଳ୍ପନାଜଳ୍ପନା କରାଯାଉଥିଲା ସେହି ଅନୁସାରେ, ସେ କୌଣସି ନୂଆ ରାଜନୈତିକ ଦଳ ଗଢୁ ନାହାନ୍ତି। ବରଂ ଏକତ୍ର ହେବାକୁ ‘ରିପବ୍ଲିକାନ୍‌’ମାନଙ୍କୁ ଆହ୍ଵାନ ଦେଇଛନ୍ତି।

Image Courtesy of India Today

ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ପ୍ରଥମ ଥର ଲାଗି ମଞ୍ଚ ଉପରକୁ ଆସି ଟ୍ରମ୍ପ୍‌ ତାଙ୍କର ଉତ୍ତରାଧିକାରୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସମାଲୋଚନା କରି କହିଛନ୍ତି, ଆଧୁନିକ ଇତିହାସରେ ଯେକୌଣସି ରାଷ୍ଟ୍ରପତିଙ୍କ ପ୍ରଥମ ମାସ ଠାରୁ ତାଙ୍କର (ବାଇଡେନ୍‌) ପ୍ରଥମ ମାସଟି ହେଉଛି ସବୁଠୁ ଅସଫଳ ମାସ।

‘କଞ୍ଜରଭେଟିଭ୍‌ ପଲିଟିକାଲ୍‌ ଆକ୍ସନ୍‌ କନ୍‌ଫରେନ୍‌ସ୍‌’ର ବାର୍ଷିକ ସମ୍ମିଳନୀର ଅନ୍ତିମ ଦିନରେ ଟ୍ରମ୍ପ୍‌ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଫ୍ଲୋରିଡାର ଅର୍ଲାଣ୍ଡୋରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Image Courtesy of Mint

୨୦୨୪ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନିଜ ପ୍ରସ୍ତୁତି କଥା ସୂଚନା ଦେଇ ସେ ପୁଣି ଥରେ କହିଲେ, ଗତବର୍ଷ ନଭେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନ ହାରିଥିବା କଥା ଆପଣମାନେ ଜାଣନ୍ତି। ତୃତୀୟ ନିର୍ବାଚନରେ ମୁଁ ସେମାନଙ୍କୁ ପରାସ୍ତ କରିବାକୁ ସ୍ଥିର କରିଛି। ୨୦୧୬ ନିର୍ବାଚନରେ ତାଙ୍କର ବିଜୟ ଏବଂ ୨୦୨୦ ନିର୍ବାଚନରେ ପରାଜୟ ହୋଇଥିବା ନିର୍ବାଚନକୁ ମିଶାଇ ସେ ୨୦୨୪ ନିର୍ବାଚନକୁ ତୃତୀୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର