ରାଷ୍ଟ୍ରପତି ବାଇଡେନ୍‌ଙ୍କ କୁକୁର କାମୁଡ଼ାରେ ହ୍ଵାଇଟ୍‌ ହାଉସ୍‌ ସୁରକ୍ଷାକର୍ମୀ ଆହତ

ଓ୍ଵାସିଂଟନ୍‌: ଜଣେ ଅପରିଚିତ ବ୍ୟକ୍ତିଙ୍କୁ କାମୁଡ଼ି ସାମାନ୍ୟ ଆହତ କରିଥିବା କାରଣରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କୁକୁର ‘ମେଜର୍‌’କୁ ହ୍ଵାଇଟ୍‌ ହାଉସ୍‌ରୁ ବାହାର କରି ଦିଆଯାଇଥିବା କଥା ମଙ୍ଗଳବାର ଦିନ ତାଙ୍କ ଗଣମାଧ୍ୟମ ସଚିବ ସାମ୍ବାଦିକମାନଙ୍କୁ କହିଛନ୍ତି।

ହ୍ଵାଇଟ୍‌ ହାଉସ୍‌ର ମୁଖପାତ୍ରୀ ଜେନ୍‌ ସାକି କହିଛନ୍ତି, ସୋମବାର ଦିନ ଏହି ୩ ବର୍ଷିୟ ଜର୍ମାନ୍‌ ସେଫର୍ଡ ପ୍ରଜାତିର କୁକୁର ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଖୁବ୍‌ ଆଚମ୍ବିତ ହୋଇ ଏମିତି ପ୍ରତିକ୍ରିୟାଶୀଳ ହେଲା, ଯେଉଁଥିପାଇଁ ଉକ୍ତ ବ୍ୟକ୍ତିଜଣକ ସାମାନ୍ୟ ଆହତ ହେଲେ।

Image Courtesy of NDTV

କୁକୁର କାମୁଡ଼ିଥିବା ବ୍ୟକ୍ତିଙ୍କର ପରିଚୟ ନ ଦେଇ ସାକି କହିଛନ୍ତି ଯେ, ‘ହ୍ଵାଇଟ୍‌ ହାଉସ୍‌ ମେଡିକାଲ୍‌ ୟୁନିଟ୍‌’ ତାଙ୍କର ଚିକିତ୍ସା କରିଛି। ତେଣୁ, ତାଙ୍କର ଆଉ ଅଧିକ ଚିକିତ୍ସା ଆବଶ୍ୟକ ନାହିଁ।

ସାକି ଆହୁରି ମଧ୍ୟ କହିଛନ୍ତି, ବାଇଡେନ୍‌ଙ୍କର ଦୁଇଟିଯାକ କୁକୁର ଏବେ ମଧ୍ୟ ନୂଆ ସ୍ଥାନ ଏବଂ ନୂଆ ଲୋକବାକଙ୍କ ସହ ଖାପ୍‌ ଖୁଆଇ ପାରିନାହାନ୍ତି।

Image Courtesy of ABC News

ସୋମବାର ସନ୍ଧ୍ୟାରେ ‘ସିଏନ୍‌ଏନ୍‌’ ରିପୋର୍ଟ କରିଥିଲା ଯେ, ‘ମେଜର୍‌’ ଜଣେ ସୁରକ୍ଷା କର୍ମଚାରୀଙ୍କୁ କାମୁଡ଼ିଛି।

ଜଣେ ‘ସିକ୍ରେଟ୍‌ ସର୍ଭିସ୍‌ ଅଧିକାରୀ’ଙ୍କ କଥାକୁ ଆଧାର କରି ‘ଓ୍ଵାସିଂଟନ୍‌ ପୋଷ୍ଟ୍‍’ର ଜଣେ ରିପୋର୍ଟର ମଙ୍ଗଳବାର ସନ୍ଧ୍ୟାରେ ଟୁଇଟ୍‌ କରିଥିଲେ, ହ୍ଵାଇଟ୍‌ ହାଉସ୍‌ରେ ‘ମେଜର୍‌’ ଜଣେ ଏଜେଣ୍ଟ୍‌ଙ୍କ ହାତକୁ କାମୁଡ଼ି ପକାଇଛି। ଘଟଣାଟି ଅତି ସାମାନ୍ୟ। ସମ୍ପୃକ୍ତ ବ୍ୟକ୍ତିଙ୍କ ହାତରେ କୁକୁରର ଦାନ୍ତ ବସିନି କି, ରକ୍ତ ବୋହିନାହିଁ। ଏଥିଯୋଗୁଁ ସମ୍ପୃକ୍ତ ବ୍ୟକ୍ତିଙ୍କର କର୍ତ୍ତବ୍ୟ ନିର୍ବାହରେ ମଧ୍ୟ କୌଣସି ବାଧା ଉପୁଜିନାହିଁ।

ସୂଚନାଯୋଗ୍ୟ କି, ‘ମେଜର୍‌’ ହେଉଛି ଏକ ପରିତ୍ୟକ୍ତ କୁକୁର। ୨୦୧୮ ନଭେମ୍ବରରେ ‘ଡେଲେେଓ୍ଵର୍‌ ହ୍ୟୁମେନ୍‌ ସୋସାଇଟି’ରୁ ବାଇଡେନ୍‌ ଏହାକୁ ପୋଷ୍ୟ କରି ଆଣିଥିଲେ। ୨୦୦୮ରେ ବାଇଡେନ୍‌ ଓବାମାଙ୍କ ରାଷ୍ଟ୍ରପତିତ୍ୱରେ ଉପରାଷ୍ଟ୍ରପତି ଥିବା ବେଳେ ‘ଚାମ୍ପ୍‌’ ନାମକ ଅନ୍ୟ ଏକ କୁକୁରକୁ ପାଳିଥିଲେ।

ସମ୍ବନ୍ଧିତ ଖବର