ରାଜଧାନୀରେ ପ୍ରଥମ କାଳବୈଶାଖୀ : ଗଛ, ଘର ଭାଙ୍ଗିଲା, ବିଦ୍ୟୁତ୍ ଉଭାନ୍‌

ଭୁବନେଶ୍ବର : ଦିନ ତମାମ ମେ’ ମାସ ଭଳି ମୁଣ୍ଡଫଟା ଖରା ଓ ପ୍ରବଳ ଗରମ ହୋଇଥିଲା। କିନ୍ତୁ ଅପରାହ୍ଣରେ ବଦଳି ଯାଇଥିଲା ସ୍ଥିତି। ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ହଠାତ୍ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳା ମେଘ। ହଠାତ୍ ଅନ୍ଧାର ଛାଇଗଲା ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ। ଖୁବ୍‌ ଜୋର୍‌ରେ ବହିଲା ପବନ। ଧୂଳି ଝଡ଼ରେ ‌ସମଗ୍ର ରାଜଧାନୀ ଅସ୍ତବ୍ୟସ୍ତ ହୋଇପଡ଼ିଲା। ଗଛ ଓ ଡାଳ ଭାଙ୍ଗି ରାସ୍ତାଘାଟରେ ଶୋଇଲା, ରାସ୍ତା କଡ଼ରୁ ହୋର୍ଡିଂ ସବୁ ଉଡ଼ିଲା, ଦୋକାନଗୁଡ଼ିକର ଆଜ୍‌ବେଷ୍ଟସ୍‌ ଛାତ ଉଡ଼ିଲା, ବସ୍ତିରେ ଝୁମ୍ପୁଡ଼ି ଭାଙ୍ଗିଲା। ଶେଷରେ କିଛି ସମୟ ପାଇଁ ବର୍ଷା ହେଲା। ବର୍ଷା ହେଲା ପରେ ଧୂଳି ଝଡ଼ ଥମିଥିଲା। ତେବେ ଜୋର୍‌ରେ ପବନ ବହିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଗଲା। ଏମିତି ଥିଲା ଆଜି ରାଜଧାନୀରେ ସୃଷ୍ଟି ହୋଇଥିବା ଚଳିତ ବର୍ଷର ପ୍ରଥମ କାଳବୈଶାଖୀର ଚିତ୍ର। ମାତ୍ର ଘଣ୍ଟାକ ଭିତରେ ଏହି କାଳବୈଶାଖୀ ରାଜଧାନୀରେ ଏକପ୍ରକାର ତାଣ୍ଡବ ରଚିଥିଲା।

ଦ୍ରୁତବେଗରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଡାଳ ଭାଙ୍ଗି ପଡ଼ିଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳର ବହୁ ବସ୍ତିର ଝୁମ୍ପୁଡ଼ି ଓ ଆଜ୍‌ବେଷ୍ଟସ ଚଦର ଘର ଭାଙ୍ଗି ଛାରଖାର୍ ହୋଇଯାଇଛି। ଈଶାନେଶ୍ବର ବସ୍ତିର ପ୍ରଦୀପ ମାହାଳିକଙ୍କ ଆଜ୍‌ବେଷ୍ଟସ ଘର ଭାଙ୍ଗି ଯାଇଥିବା ବେଳେ ଅଞ୍ଜନା ସାହୁଙ୍କ କାନ୍ଥ ଭାଙ୍ଗି ଯାଇଛି। ସେହିଭଳି ପଣ୍ଡା ନଗରର ସଦାଶିବ ପାତ୍ର ଓ ଝରଣା ପାତ୍ରଙ୍କ ଘରର କାନ୍ଥ ଭାଙ୍ଗି ଯାଇଛି। ଘର ନିକଟରେ ଥିବା ଏକ ବଡ଼ ଗଛ ପବନରେ ତଳେ ଶୋଇ ପଡ଼ିବାରୁ ସେମାନଙ୍କ ଘର ଭାଙ୍ଗି ଯାଇଥିଲା। ସୌଭାଗ୍ୟକୁ ଘର ଭିତରେ କେହି ନଥିଲେ। ସେହିପରି କନ୍ୟାଶ୍ରମ ବସ୍ତିରେ ମଧ୍ୟ କିଛି ଲୋକଙ୍କ ଝୁମ୍ପୁଡ଼ି ପଲିଥିନ୍ ଫାଟି ଯାଇଥିବାରୁ ଘରେ ବର୍ଷା ପାଣି ଜମିଥିବା ବେଳେ ସରସ୍ବତୀ ବସ୍ତିରେ ବିଦ୍ୟୁତ୍ ତାର ଛିଡ଼ି ଯାଇଛି। ଅପରପକ୍ଷେ କଳିଙ୍ଗବିହାର, ଆଇଗିଣିଆ ସମେତ ଆଖପାଖ ଅଞ୍ଚଳ‌ରେ ବଡ଼ବଡ଼ ଗଛ ଡାଳ ଭାଙ୍ଗି ପଡ଼ିଥିଲା। ସେହିଭଳି ବାରଙ୍ଗ, ବାଲିପାଟଣା ଓ ବାଲିଅନ୍ତା ଆଦି ଉପକଣ୍ଠ ଅଞ୍ଚଳରେ ଏହି କାଳବୈଶାଖୀ ଯୋଗୁଁ ବହୁ ଗଛ ଡାଳ ଭାଙ୍ଗି ପଡ଼ିଥିଲା। ବିଦ୍ୟୁତ୍‌ ବିଚ୍ଛିନ୍ନ ଏହି ସବୁ ଅଞ୍ଚଳରେ ବଡ଼ ସମସ୍ୟା ସୃଷ୍ଟି କରିଥିଲା।

ତେବେ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଥିଲା ବିଦ୍ୟୁତ୍। ପ୍ରାୟ ତିନି ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା। ଜୋର୍‌ ପବନ ଯୋଗୁଁ ଗଛ ଓ ହୋର୍ଡିଂ ଭାଙ୍ଗି ପଡ଼ିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ଥିଲା। ପୁରୁଣା ଭୁବନେଶ୍ବର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। କେଦାରଗୌରୀ ଅଞ୍ଚଳରେ ପ୍ରାୟ ୪ ଘଣ୍ଟା ଧରି ବିଦ୍ୟୁତ୍ ବିଚ୍ଛିନ୍ନ ହୋଇ ରହିଥିଲା। ଅନ୍ୟ ଅଞ୍ଚଳରେ ଗୋଟିଏ ଘଣ୍ଟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା। ବଡ଼ଗଡ଼ ଅଞ୍ଚଳରେ ଏକ ଟ୍ରାନ୍‌ସ୍‌ଫର୍ମର ଫାଟିଯିବା ଯୋଗୁଁ ସମସ୍ୟା ହୋଇଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ସାମୁଦ୍ରିକ ବାତ୍ୟା ଫନି ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟୁତ୍ ସରବରାହ ଭିତ୍ତିଭୂମି ଦୃଢ଼ କରାଯାଇଥିଲା। ଆଗକୁ ଆଉ ଭୁବନେଶ୍ବରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ଆଜି ସାମାନ୍ୟ କାଳବୈଶାଖୀ ଯୋଗୁଁ ଦୀର୍ଘ ୪ ଘଣ୍ଟା କାଳ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, କାଳବୈଶାଖୀ ସମୟରେ ରାଜଧାନୀରେ ପ୍ରାୟ ୪୨ କି.ମି ବେଗରେ ପବନ ବହିଥିଲା। ରାଜଭବନ ଅଞ୍ଚଳରେ ସର୍ବାଧିକ ୯.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପଟିଆ ଅଞ୍ଚଳରେ ୮ ମିମି ଓ ସାରା ଭୁବନେଶ୍ବରରେ ହାରାହାରି ୩ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର