ଢେଙ୍କାନାଳ : ଜଳୁଛି ପାଣି ଓହଳା ପାହାଡ

ଢେଙ୍କାନାଳ : ସହର ଦେଉଳସାହି ସ୍ଥିତ ପାଣିଓହଳା ପାହାଡ ଆଜି ମଧ୍ୟାହ୍ନରୁ ଜଳୁଛି ।   ହୁତୁହୁତୁ ହୋଇ ଜଳୁଥିବା ଜଙ୍ଗଲକୁ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ସେଠାରୁ ନିଆଁ ଲିଭିପାରିନଥିଲା ।

ସୂଚନା ଅନୁଯାୟୀ, ସହରକୁ ଲାଗିରହିଛି ପାଣି ଓହଳା ପାହାଡ । ଆଜି ଦିନ ୨ଘଂଟାରୁ ହଠାତ୍ ପାହାଡଟି ଜଳୁଥିବା ଦେଖାଯାଇଥିଲା ।  ସେଠାରେ ନିଆଁ ଲାଗି ହୁ ହୁ ହୋଇ ଜଳି ଆଗକୁ ଆଗକୁ ମାଡି ଚାଲିଥିଲା ।   ନିଆଁର ଆଁରେ ବହୁ ଛୋଟବଡ ବୃକ୍ଷଲତା ପୋଡ଼ିଯାଇଛି । ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ  ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ  କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ସଂଧ୍ୟା ୯ଟା ସୁଧା ନିଆଁ ଲିଭିପାରିନଥିବା ବେଳେ ଅଧିକାଂଶ ଜଙ୍ଗଲ ଅଂଚଳ ପୋଡି ଯାଇଛି । ନିଆଁ ଧାସରେ ଜଙ୍ଗଳରେ ରହିଥିବା ଜୀବଜନ୍ତୁ, ସରୀଶୃପମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ପାହାଡ ପାଦଦେଶରେ ଜନବସତି ରହିଥିବାରୁ ନିଆଁ ଯୋଗୁଁ ସ୍ଥାନୀୟ ଅଂଚଳବାସୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି ।

ଏ ସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେନୀ କୁହନ୍ତି ଯେ,  ପାହାଡରେ ନିଆଁ ଲାଗିଥିବା ଖବର ପାଇ ବନ ବିଭାଗ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଯେପରି ଆଗକୁ ଆଉ ନବ୍ୟାପିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଘଂଟାଏ ଦୁଇଘଂଟା ଜଳିବା ପରେ ଲିଭିଯିବ  ବୋଲି ଶ୍ରୀ ଗୋଗିନେନୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର