ଠିକାଦାର ଲୁଟି ନେଲେ କୋଟି କୋଟି ଟଙ୍କାର ଖଣିଜ ସଂପଦ

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ଝାରସୁଗୁଡ଼ା-ରାଉରକେଲା ଲାଇନ-୩ ସଂପ୍ରସାରଣ କାର୍ଯ୍ୟରେ ରେଳବାଇ ଠିକାଦାର ରାଜସ୍ବ ବିଭାଗକୁ ହାତ କରି କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟି ନେଇଛନ୍ତି। ରେଳବାଇ ଠିକାଦାର ରାଜଗାଙ୍ଗପୁର ଏବଂ କୁତ୍ରା ତହସିଲର ସୁନାଖାନା ଏବଂ ଗମ୍ଭାରଡ଼ିହି ଅଂଚଳରେ ବିଭିନ୍ନ ଜାଗା ମାନଙ୍କରେ ମାଟି ମୋରମ ଏବଂ ପଥର ନେଇ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ରାଜଗାଙ୍ଗପୁର ପୁଲିସ ଏବଂ ଜିଲ୍ଲାର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଚଢ଼ଉ କରି ୪ଟି ହାଇୱା ଜବତ କରି ଗାଡ଼ି ଚାଳକ ସମେତ ଗାଡ଼ି ମାଲିକଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲେ।

ରାଜଗାଙ୍ଗପୁର ଏବଂ କୁତ୍ରା ଅଂଚଳରେ ଖଣିଜ ସଂପଦ ଚୋରି ରୋକିବା ପାଇଁ ରାଜସ୍ବ ବିଭାଗ ଥିବାବେଳେ ପୁଲିସ ଖଣିଜ ଦ୍ରବ୍ୟ ଚୋରି କରୁଥିବା ମାଫିଆ ମାନଙ୍କୁ ଧରିବା ଦ୍ବାରା ରାଜସ୍ବ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜଗାଙ୍ଗପୁର ତହସିଲର ରାଜସ୍ବ ନିରୀକ୍ଷକ ପ୍ରତିଦିନ ରାଜଗାଙ୍ଗପୁର କୁଟୁନିଆ ଯିବା ଆସିବା କରୁଥିବାବେଳେ କିପରି ଚୋରା ଖଣିଜ ପଦାର୍ଥ ରେଳବାଇକୁ ଚାଲାଣ ହେଇଛି ତାହା ରାଜସ୍ବ ନିରୀକ୍ଷକଙ୍କୁ ଜଣା ପଡ଼ୁ ନାହିଁ ତାହା ମଧ୍ୟ ସଂଦେହଜନକ ହୋଇଛି।

ରାଜଗାଙ୍ଗପୁର ଘୋଘର ଅଂଚଳରୁ ମଧ୍ୟ ପ୍ରତିଦିନ ୩୦/୪୦ ମୋରମ ଟ୍ରକ୍‌ ରେଳବାଇର ଠିକା କାମରେ ବ୍ୟବହାର କରାଯାଇଛି। ସେହିସବୁ ପ୍ରତି ବିଭାଗର ଆଦୌ ନଜର ନାହିଁ। ରାଜସ୍ବ ବିଭାଗ ପରେ ଠିକାଦାର ସୁନାଖାନ ସେକ୍‌ସନର ସଂରକ୍ଷିତ ଜଙ୍ଗଲରୁ ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ପଥର ବ୍ଲାଷ୍ଟିଂ ହୋଇ ରେଳ ବିଭାଗକୁ ପ୍ରଦାନ କରିବା ସହିତ ଝାରବେଡ଼ା ସ୍ଥିତ ଏକ ନିର୍ଦ୍ଧିଷ୍ଟ କ୍ରସରକୁ ମଧ୍ୟ ଯୋଗାଇ ଦିଆଯାଉଛି। ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ସ୍ଥାନ ଗୁଡ଼ିକ ଯାଞ୍ଚ କରି ଯେଉଁ ପରିମାଣର ଖଣିଜ ପଦାର୍ଥ ଚୋରି କରାଯାଇଛି ତାର ଜରିମାନା ଠିକାଦାର ମାନଙ୍କ ଠାରୁ ଆଦାୟ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର