ହକ୍ ପାଇଁ ସବୁଦଳ ଏକାଠି : ଷ୍ଟିଲ ପ୍ଲାଣ୍ଟ ଦାବିରେ ଦୁଲୁକିଲା କେନ୍ଦୁଝର ସହର

ଶୋଭାଯାତ୍ରାରେ ନିରଞ୍ଜନ, ଜୟଦେବ, ମୋହନ ସାମିଲ
ଆନ୍ଦୋଳନକୁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ସମର୍ଥନ

କେନ୍ଦୁଝର : କେନ୍ଦୁଝରରେ ଲୁହାପଥର ଖଣି ଅଛି। ଷ୍ଟିଲ ପ୍ଲାଣ୍ଟ ପାଇଁ କଞ୍ଚାମାଲର ଅଭାବ ନାହିଁ। ଏଠି ଆମର ଷ୍ଟିଲ ପ୍ଲାଣ୍ଟ ଦରକାର। ଏଭଳି ନାରାରେ ସୋମବାର ଦିନ କମ୍ପି ଉଠିଥିଲା ସହର। ସବୁ ଦଳ ଏକାଠି ହୋଇ ଗର୍ଜନତର୍ଜନ କରିଛନ୍ତି। ହକ୍ ପାଇଁ ହୋହଲ୍ଲା କରିଛନ୍ତି। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସଭାପତି ଏବଂ ବିଭିନ୍ନ ସଂଗଠନ ଓ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଏହି ଶୋଭଯାତ୍ରାରେ ସାମିଲ ହୋଇ ଷ୍ଟିଲ ପ୍ଲାଣ୍ଟ ଦାବିକୁ ଜୋରଦାର କରିଛନ୍ତି।

ଖଣି ଖାଦାନ ଭରା ଜିଲ୍ଲା ହେଉଛି କେନ୍ଦୁଝର। ଏହି ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ ଖଣି ରହିଛି। ଜିଲ୍ଲାରୁ ସର୍ବାଧିକ ରାଜସ୍ବ ନେଉଛନ୍ତି ସରକାର। ୨୦ ବର୍ଷ ମଧ୍ୟରେ ସରକାର ଏଠାରୁ ପ୍ରାୟ ୨୩,୭୮୦ କୋଟି ଟଙ୍କା ରାଜସ୍ବ ନେଇ ସାରିଲେଣି। ୨୦୦୧-୦୨ ମସିହାରେ ମାତ୍ର ୨୫ କୋଟି୪୦ ଲକ୍ଷ ୮୬ ହଜାର ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ୨୦୧୯-୨୦ ମସିହାରେ ଏହି ରାଜସ୍ବ ୪୬୨୪ କୋଟି ୭୯ ଲକ୍ଷ ୯୭୭ ହଜାର ଟଙ୍କାରେ ପହଞ୍ଚିଛି। ସବୁଠୁ ବଡ଼ କଥା ହେଉଛି ୨୦୦୬-୦୭ ମସିହାରୁ ଯୋଡା ଖଣି ମଣ୍ଡଳରୁ ୧୧୦ କୋଟିରୁ ଊଦ୍ଧ୍ବ ଟଙ୍କାର ରାଜସ୍ବ ସଂଗ୍ରହ କରାଯାଇଛି। କ୍ରମାଗତ ଭାବେ ବଢ଼ି ବଢ଼ି ଏବେ ସୁଦ୍ଧା ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ରାଜସ୍ବ ପହଞ୍ଚିଲାଣି। କିନ୍ତ ରାଜ୍ୟ ସରକାର କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ କରୁ ନାହାନ୍ତି। ତେବେ କେନ୍ଦୁଝର ଜିଲ୍ଲାର ଏହି ନାଯ୍ୟ ଦାବିକୁ ବାରମ୍ବାର ଉପେକ୍ଷା କରାଯାଉଛି।

କେନ୍ଦୁଝରବାସୀଙ୍କ ଏଭଳି ଦାବିକୁ ବାରମ୍ବାର ଉପେକ୍ଷା କରାଯାଉଥିବାରୁ ଜିଲ୍ଲା ପ୍ରେସ୍ ‌ଫୋରମ ଆହ୍ବାନରେ କେନ୍ଦୁଝର ଚାଲ୍ ଆହ୍ବାନ ଦିଆଯାଇଥିଲା। ସଦର ମହକୁମାସ୍ଥିତ କାଳୀ ପଡ଼ିଆରୁ ଏକ ବିଶାଳ ଶୋଭଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା। ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଛକ ଦେଇ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ଦିନ ୧୦ଟାରୁ କେନ୍ଦୁଝର କାଳୀପଡ଼ିଆରେ ଏକ ସାଧାରଣ ସଭା ଆରମ୍ଭ ହୋଇଥିଲା। ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।

ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ସ୍ପଷ୍ଟ ମତ ରଖି କହିଥିଲେ, କେନ୍ଦୁଝର ଜିଲ୍ଲା ରତ୍ନଗର୍ଭା ଜିଲ୍ଲା । ଏଠାରେ ଲୁହାପଥରରୁ ଆରମ୍ଭ କରି ମାଙ୍ଗାନିଜ, ବକ୍ସାଇଟ, କ୍ରୋମାଇଟ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଭରି ରହିଛି। ହେଲେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ କେନ୍ଦୁଝରରେ ଏକ ଇସ୍ପାତ କାରଖାନା ହୋଇପାରୁ ନାହିଁ । କେନ୍ଦୁଝରରେ ଖଣି ଅଛି, ପାଣି ଅଛି, ସୁବିଧାରେ ଜମି ମିଳିବ, ଲୋକ ଶକ୍ତି ବି ଅଛି । ହେଲେ କାହିଁକି ସରକାର କେନ୍ଦୁଝରରେ ଇସ୍ପାତ କାରଖାନା କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ନିଜର ମତ ରଖି କହିଥିଲେ ଯେ, କେନ୍ଦୁଝର ଜିଲ୍ଲାରେ ଏକ ଷ୍ଟିଲପ୍ଲାଣ୍ଟ ହେବା ଦରକାର। କେନ୍ଦୁଝରକୁ ୮ ଲେନ ବିଶିଷ୍ଟ ଜାତୀୟ ରାଜପଥ କେନ୍ଦ୍ର ସରକାର କରିଥିବା ବେଳେ, ପରିବହନ ପାଇଁ ପର୍ଯ୍ୟାପ୍ତ ରେଳପଥ ରହିଛି । ଖଣି, ପାଣି ସୁବିଧା ଅଛି। ଜମି ମଧ୍ୟ ଏଠାରେ ମହଜୁଦ ରହିଛି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଥିଲେ।
ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଉଛି କେନ୍ଦୁଝରର ହକ୍‌। ହକ୍ ପୂରଣ ହେବା ଆବଶ୍ୟକ। ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପଦ‌କ୍ଷେପ ନ ନେବା ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ଏହି ଆନ୍ଦୋଳନ ଚାଲୁ ରଖିବୁ ବୋଲି ପୂର୍ବତନ ପିିସିସି ସଭାପତି ଜୟଦେବ ଜେନା ପ୍ରକାଶ କରିଥିଲେ।

ପୂର୍ବତନ କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି ଉପସ୍ଥିତ ରହି, କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଜିଲ୍ଲାର ପ୍ରଗତି ସମ୍ଭବ। ଏ ଦିଗରେ ରାଜ୍ୟ ସରକାର ଗୁରୁତର ସହିତ ବିଚାର କରିବା ଆବଶ୍ୟକ ବୋଲି କହିଥିଲେ। କେନ୍ଦୁଝର ଚାଲ୍ ଆହ୍ବାନ ଦେଇଥିବା ପ୍ରେସ ଫୋରମ୍ ପକ୍ଷରୁ ଜିତେନ୍ଦ୍ର ପଟ୍ଟନାୟକ କହିଥିଲେ, ଜିଲ୍ଲାର ଦଳମତ ନିର୍ବିଶେଷରେ ସମର୍ଥନ ମିଳୁଥିବାରୁ ଏହି ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଯାଏ ନିଆଯିବ। ଦୀପକ ମିଶ୍ର କହିଛନ୍ତି, ଜିଲ୍ଲାର ସ୍ବାର୍ଥ ପାଇଁ ପ୍ରେସ୍ ଫୋରମର ଆହ୍ବାନକୁ ଜିଲ୍ଲାବାସୀ ଗ୍ରହଣ କରିବା ହିଁ ସବୁଠୁ ବଡ଼ ସଫଳତା। ଆଗାମୀ ଦିଗରେ ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ଘୋଷଣା ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଜିଳ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଳ୍ଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, ବିଜେପି ଜିଳ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ରାଜ୍ୟସଭା ସଦସ୍ୟ ରାହାସ ବିହାରୀ ବାରିକ, ବରିଷ୍ଠ ନେତା ମୁରଲୀ ଶର୍ମା, ବିଜେପି କେନ୍ଦୁଝର ଯୁବ ପରିଷଦ ଆବାହକ ବରଦା ଦାସ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ର, ସାଧାରଣ ସମ୍ପାଦକ ଅଞ୍ଜନ ବେଜ, ଖଦି ବୋର୍ଡ ସଦସ୍ୟା ମୀନା ମାଝୀ, ଆନନ୍ଦପୁରର ଭଗବାନ ସାହୁ, ବଡବିଲ ସିଭିଲ ସୋସାଇଟିର ସଭାପତି ଅଶୋକ ଠକର, ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର, ବାଂଶପାଳ ବ୍ଲକର ଶୁକଦେବ ମହାନ୍ତ, ମହିଳା କଂଗ୍ରେସର ସଭାନେତ୍ରୀ ସଙ୍ଗୀତା ସିଂ, ବିଜେପି ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ, ଜିଳ୍ଲାର ବରିଷ୍ଠ ସାମ୍ବାଦିକମାନେ କେନ୍ଦୁଝରର ଏହି ନ୍ୟାଯ୍ୟ ଦାବି ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରେସ କ୍ଳବର ସଭାପତି ସତ୍ୟନାରାୟଣ ମିଶ୍ର, କାର‌୍ୟ୍ୟକାରୀ ସଭାପତି ଦୀପକ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ, ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଳ୍ଲାପାଳ ଆଶିଷ ଠାକରେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଶୋଭାଯାତ୍ରାରେ ୪ ହଜାରରୁ ଅଧିକ ଜନସାଧାରଣ ସାମିଲ ହୋଇଥିଲେ। କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ, ଭାରତୀୟ ଜନତା ପାଟିଁ, ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ, ସିଟୁ, କେନ୍ଦୁଝର ଜିଳ୍ଲା ଟ୍ରକ ମାଳିକ ସଂଘ, ବିଏମଏସ, କେନ୍ଦୁଝର ଶିଳ୍ପ ମହାସଂଘ, କେନ୍ଦୁଝର ବଣିକ ସଂଘ,କେନ୍ଦୁଝର ଟେଂଟ ମାଲିକ ସଂଘ,କ୍ରସର ମାଲିକ ସଂଘ, ବସ ମାଲିକ ସଂଘ, ଅଟୋ ମାଲିକ ଓ ଡ୍ରାଇଭର ସଂଘ, ବଡବିଲ ବିକାଶ ମଂଚ, ବଡବିଲ ଟ୍ରକ ମାଳିକ ସଂଘ, ଆନନ୍ଦପୁର ଧନେଇ ସେବା ସଂଘ, କେନ୍ଦୁଝର ନାଗରିକ ମଂଚ, ପ୍ରଗତିଶୀଳ ନାଗରିକ ମଂଚ, ବିଭିନ୍ନ ଜାତି ମହାସଂଘର ପଦାଧିକାରୀ, ବଣିକ ସଂଘ, ଅଙ୍ଗନବାଡି କର୍ମଚାରୀ ସଂଘ, ସ୍ୱଂୟ ସହାୟକ ଗୋଷ୍ଠୀ ସଂଘ, ନାରୀ ସମାଜ, ରୋଟାରୀ କ୍ଲବର ସଦସ୍ୟ, ଆଦିବାସୀ ବିକାଶ ମଂଚ, ସାମାଜିକ ସଂଗଠନ, ଛାତ୍ର ସଂଗଠନ, ଯୁବ ସଂଗଠନ, ବରିଷ୍ଠ ନାଗରିକ, ଆନନ୍ଦପୁର ପ୍ରେସ କ୍ଳବ, ଜିଲ୍ଲାର ବିଭିନ୍ନ ନିର୍ବାଚିତ ଲୋକପ୍ରତିନିଧି, ବ୍ୟକ୍ତି ବିଶେଷ ଯୋଗଥିଲେ।

କାର୍ଯ୍ୟକ୍ରମକୁ ଭରତଚନ୍ଦ୍ର ପାତ୍ର, ସୁରଥି ଘଣା, ଡାକ୍ତର ମହାନ୍ତ, ଦିଲୀପ ପଣ୍ଡା, ଦେବୁ ପଟ୍ଟନାୟକ, ଧିରେନ ପଣ୍ଡା, କିରଣବାଳା ନାୟକ, ପ୍ରକାଶ ମଲ୍ଲିକ, ବିଣାପାଣୀ ବେହେରା, ଅନୁବ୍ରତ ବେହେରା, ମନୋଜ ବାରିକ, ଦୀପକ ମହାରଣା, ସଞ୍ଜୟ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର