ଉପଭୋକ୍ତାଙ୍କୁ ହଇରାଣ କରିବା ମହଙ୍ଗା ପଡ଼ିଲା, ୱେସ୍କୋକୁ ୬୦ ହଜାର ଜରିମାନା

ସମ୍ବଲପୁର : ଗ୍ରାହକମାନଙ୍କୁ ହଇରାଣ ହରକତ କରି ବାରମ୍ବାର ଖାଉଟି ଅଦାଲତରେ ଦଣ୍ଡିତ ହେଉଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ୱେସ୍କୋ (ବର୍ତ୍ତମାନ ଟାଟା ପାୱାର୍ ଦ୍ବାରା ପରିଚାଳିତ)। ବୁଢ଼ାରଜା ଏସ୍‌ଆର୍‌ଆଇଟି କଲୋନି କେ ଦମୟନ୍ତୀ ନାମ୍ନୀ ମହିଳା ଶୁଭଶ୍ରୀ ବାବୁଙ୍କଠାରୁ ୨୦୧୯ ମାର୍ଚ୍ଚ ୨୭ ତାରିଖରେ ଏକ କୋଠା କିଣିଥିଲେ। କୋଠା ବିକ୍ରି ପୂର୍ବରୁ ଉକ୍ତ କୋଠାର ସମସ୍ତ ବକେୟା ଦେୟ ପ୍ରଦାନ କରିବାକୁ ବିଲ୍‌ ଦେବା ପାଇଁ ଶୁଭଶ୍ରୀ ୱେସ୍କୋକୁ ଦରଖାସ୍ତ ଦେଇ ନଥିଲେ। କିନ୍ତୁ ୱେସ୍କୋ କର୍ତ୍ତୃପକ୍ଷ ଏହା ଉପରେ ଧ୍ୟାନ ଦେଇ ନଥିଲେ। କୋଠା ବିକ୍ରି ପରେ ଦମୟନ୍ତୀ କୋଠାର ମରାମତି ସକାଶେ ଏକ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦେବାକୁ ୨୫୦ ଟଙ୍କା ଦେୟ ଦେଇ ୱେସ୍କୋରେ ଆବେଦନ କରିଥିଲେ। କିନ୍ତୁ ଅସ୍ଥାୟୀ ସଂଯୋଗ ବଦଳରେ ସ୍ଥାୟୀ ସଂଯୋଗ ପାଇଁ ଆବେଦନ କରିବାକୁ ୱେସ୍କୋ ପକ୍ଷରୁ ପରାମର୍ଶ ଦିଆ ଯାଇଥିଲା।

ଦମୟନ୍ତୀ ଉଭୟ ମହଲା ପାଇଁ ଯଥାକ୍ରମେ ୪୬୧୪ ଟଙ୍କା (୨ କିଲୋୱାଟ୍‌) ଓ ୬୫୩୯ ଟଙ୍କା (୩ କିଲୋୱାଟ୍‌) ଦେୟ ପଇଠ କରି ଦୁଇଟି ସ୍ଥାୟୀ ସଂଯୋଗ ଦେବାକୁ ଆବେଦନ କରିଥିଲେ। କିନ୍ତୁ ପୂର୍ବ ଘର ମାଲିକଙ୍କ ବକେୟା ପଇଠ ନହେବା ପର୍ଯ୍ୟନ୍ତ ସଂଯୋଗ ଦିଆଯିବ ନାହିଁ ବୋଲି ୱେସ୍କୋ ପକ୍ଷରୁ କୁହାଯାଇଥିଲା। କିନ୍ତୁ ୱେସ୍କୋର ଏକ ଟିମ୍ ଉକ୍ତ ଘରକୁ ଯାଇ ଅନଧିକୃତ ସଂଯୋଗ ନେଇଥିବା ଅଭିଯୋଗରେ ଦମୟନ୍ତୀଙ୍କ ଉପରେ ଜରିମାନା କରିଥିଲା। ଏହାପରେ ସେ ୧୦ ହଜାର ଟଙ୍କା ପୁଣି ପଇଠ କରିଥିଲେ ବି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନଥିଲା। ତେଣୁ ଦମୟନ୍ତୀ ସମ୍ବଲପୁର ଜିଲ୍ଲା ଖାଉଟି ଫୋରମ୍‌ରେ ଅଭିଯୋଗ କରିଥିଲେ।

ଏହି ମାମଲାର ବିଚାର କରି ଜିଲ୍ଲା ଖାଉଟି ଫୋରମ୍‌ ସଭାପତି ଦୀପକ କୁମାର ମହାପାତ୍ର ଏବଂ ସଦସ୍ୟା ସ୍ମିତା ତ୍ରିପାଠୀ ନିଜ ରାୟରେ ଦର୍ଶାଇଛନ୍ତି ଯେ ବକେୟା ବିଲ୍‌ ପଇଠ କରିବାକୁ ଶୁଭଶ୍ରୀ ବାବୁଙ୍କ ଆବେଦନ‌ ନେଇ ୱେସ୍କୋ କର୍ତ୍ତୃପକ୍ଷ ଅବହେଳା ଓ ଦାୟିତ୍ବହୀନ ମନୋଭାବ ପୋଷଣ କରିଛନ୍ତି। କିନ୍ତୁ ସେହି କାରଣ ପାଇଁ ଘର କିଣିଥିବା ଅଭିଯୋଗକାରୀ ଦମୟନ୍ତୀଙ୍କୁ ଦେୟ ବାବଦ ଟଙ୍କା ନେଇଥିଲେ ବି ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ କରିଛନ୍ତି। କୋଠା ମରାମତି ସମୟରେ ବେଆଇନ୍ ସଂଯୋଗ ନିଆଯିବା ଅଭିଯୋଗ ମଧ୍ୟ ପ୍ରମାଣିତ ହୋଇପାରି ନାହିଁ। ଏହି ସମୟ ଭିତରେ ୩୧.୧୨.୨୦୨୦ରେ ପୂର୍ବ ମାଲିକ ୧୩,୭୫୧ ଟଙ୍କାର ସମସ୍ତ ବକେୟା ରାଶି ପଇଠ କରି ସାରିଛନ୍ତି। ତେଣୁ ଏ ସମସ୍ତ ବିଷୟ ବିଚାର ଦମୟନ୍ତୀଙ୍କୁ ବେଆଇନ୍‌ ଭାବେ ଦେଇଥିବା ଡିମାଣ୍ଡ ନୋଟିସ୍‌ ପ୍ରତ୍ୟାହାର କରିବାକୁ ଅଦାଲତ ୱେସ୍କୋକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସେ ଦେଇଥିବା ୧୦ ହଜାର ଟଙ୍କା ତାଙ୍କ ମାସିକ ବିଦ୍ୟୁତ୍ ବିଲ୍‌ରୁ କାଟିବା, ତାଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷତି ପହଞ୍ଚାଇ ଥିବାରୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ତଥା ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାସେ ଭିତରେ ସମସ୍ତ ଅର୍ଥ ପଇଠ ନହେଲେ ତା’ଉପରେ ୯% ହାରରେ ସୁଧ ଦେବାକୁ ରାୟରେ ପ୍ରକାଶ କରିଛନ୍ତି। ଆବେଦନକାରୀ ନିଜେ ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର