ଶିକ୍ଷା ବିକାଶ ସମିତିର ପ୍ରାଦେଶିକ ସାଧାରଣ ସଭା

ଭୁବନେଶ୍ବର: ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ପ୍ରାଦେଶିକ ସାଧାରଣ ସଭା ଭର୍ଚୁଆଲ ମୋଡରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ମେ ୮ ତାରିଖ ପୂର୍ବାହ୍ଣରେ ଆରମ୍ଭ ହୋଇ ପରଦିନ ମେ ୯ ତାରିଖ ଅପରାହ୍ଣରେ ଉଦ୍ୟାପିତ ହୋଇଥିଲା । ଉଦଘାଟନୀ ଉତ୍ସବର ପ୍ରାରମ୍ଭରୁ ଦିବଂଗତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୁଗ୍ମ ସମ୍ପାଦକ ଉମେଶଚନ୍ଦ୍ର ଦାଶ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ତତ୍ପରେ ଅନ୍ୟତମ ଯୁଗ୍ମ ସମ୍ପାଦକ ଖଗେଶ୍ୱର ଦାସ ସମସ୍ତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସମ୍ପାଦକ କମଳାକାନ୍ତ ମିଶ୍ର ପୂର୍ବବର୍ଷ ସାଧାରଣ ସଭାର ବିବରଣୀ ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ମୁଖ୍ୟ ବକ୍ତାଭାବେ ବିଦ୍ୟା ଭାରତୀର ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦଚନ୍ଦ ମହାନ୍ତ ତାଙ୍କ ବୈଚାରିକ ପ୍ରସ୍ତାବନାରେ କହିଥିଲେ ସାଂପ୍ରତିକ ଏ ଆପଦକାଳୀନ ପରିସ୍ଥିତିରେ ସମସ୍ତେ ନିଜ ନିଜର ମାନସିକ ସନ୍ତୁଳନ ବଜାୟ ରଖି ସମାଜକୁ ସାହସ ଦେବା, ପ୍ରେରଣା ଦେବା, ଦେଶର ପ୍ରତ୍ୟେକ ନାଗରିକ ପାଇଁ କିଛି କରିବା ସହ ଶିକ୍ଷାକୁ ବ୍ୟବସ୍ଥିତ କରିବା । ସମ୍ମାନିତ ଅତିଥି ଭାବରେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକର ଘୋଷ ଯୋଗଦାନ କରି କହିଥିଲେ ସରସ୍ୱତୀ ଶିଶୁ ମନ୍ଦିର କେବଳ ପଠନ ପାଠନ ପରୀକ୍ଷା ଓ ପରିଣାମର ଅନୁଷ୍ଠାନ ନୁହେଁ, ଏହା ଆତ୍ମକୈନ୍ଦ୍ରିକ ସମାଜକୁ ସମାଜକୈନ୍ଦ୍ରିକ ସମାଜ ନିର୍ମାଣ କରିବାର ଏକ ସାମାଜିକ ଚେତନାର କେନ୍ଦ୍ର ଅଟେ । ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅଧ୍ୟକ୍ଷ ଡଃ. କିଶୋର ଚନ୍ଦ୍ର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ କାର୍ଯ୍ୟକର୍ତ୍ତା ନିଜର ରୁଚି, ଦକ୍ଷତା ଓ କୌଶଳ ବିକାଶ କରି ନିଜେ ବିକଶିତ କାର୍ଯ୍ୟକର୍ତ୍ତା ଭାବରେ ସଂଗଠନର ବିକାଶ ଧାରାରେ ନିଜର ଦାୟିତ୍ୱ କର୍ତ୍ତବ୍ୟକୁ ପ୍ରତିପାଦିତ କରାଇବା । ପରେ ପରେ ୯ଟି ସମ୍ଭାଗର ସମ୍ପାଦକମାନେ ନିଜ ନିଜ ସମ୍ଭାଗର ଶୈକ୍ଷିକ ଗତିବିଧି ଓ ସେବାକାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ ।

ସାଧାରଣ ସଭାର ଦ୍ୱିତୀୟ ଦିବସରେ ଚାରି ଆୟାମ, ଶୋଧ, ପୂର୍ବଛାତ୍ର ଓ ସଂସ୍କୃତିବୋଧ ପରିଯୋଜନା ଉପରେ ଆଲୋକପାତ କରାଯାଇ ତାହାର କ୍ରିୟାନ୍ୱୟନ ଓ ଗୁଣାତ୍ମକ ଅଭିବୃଦ୍ଧି ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ସେହିପରି ନୂତନ ଶିକ୍ଷାନୀତି କ୍ରିୟାନ୍ୱୟନ ଉପରେ ବିଦ୍ୟା ଭାରତୀଙ୍କ ସହ ସଂଗଠନ ମନ୍ତ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତ ଆଲୋଚନା କରିଥିଲେ । ନୂତନ ଶିକ୍ଷାନୀତି କ୍ରିୟାନ୍ୱୟନ ଉପରେ ବିଦ୍ୟା ଭାରତୀଙ୍କ କାର୍ଯ୍ୟକର୍ତ୍ତାଭାବେ ସମସ୍ତେ ଅଗ୍ରଣୀ ଭୂମିକା ନେଇ ସରକାର ତଥା ସଂଗଠନକୁ ସହଯୋଗର ହାତ ବଢ଼ାଇବା ପାଇଁ ମାର୍ଗଦର୍ଶନ କରିଥିଲେ । ପରବର୍ତ୍ତୀ କାଳାଂଶରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଉପସଭାପତି ଲିଙ୍ଗରାଜ ଗୌଡ଼ ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ ଏବଂ କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ୧୨ଏ, ୮୦ଜି ରେଜିଷ୍ଟ୍ରେସନ ଉପରେ ଆଲୋକପାତ କରିଥିଲେ । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ ସଭାରେ ବାର୍ଷିକ ଯୋଜନା ଉପସ୍ଥାପନ କରିବା ସହ କରୋନା ସଚେତନତା ଉପରେ ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ସମାରୋପରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି ଡଃ. କିଶୋର ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦିକା ଡଃ. ତରୁଲତା ଦେବୀ କାର୍ଯ୍ୟକ୍ରମର ସଂଚାଳନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସମ୍ପାଦକ ଦୁର୍ଲଭଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଆଭାଷୀ ପ୍ରାଦେଶିକ ସାଧାରଣ ସଭାରେ ସଂକୁଳ ସଂଯୋଜକ, ସଂକୁଳ ପ୍ରମୁଖ, ବିଭାଗ, ସମ୍ଭାଗ, ପ୍ରାଦେଶିକ କାର୍ଯ୍ୟକର୍ତ୍ତାଓ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାଙ୍କୁ ମିଶାଇ ମୋଟ ୩୦୦ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।

 

ସମ୍ବନ୍ଧିତ ଖବର