କ୍ରୀଡ଼ା ଭିତ୍ତିଭୂମି ପାଇଁ ହଜାରେ କୋଟି ଖର୍ଚ୍ଚ ହେଉଛି: ମୁଖ୍ୟମନ୍ତ୍ରୀ

ପୁଲିସ ସେବାରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍‌

ଭୁବନେଶ୍ବର : ଯୁବକମାନେ ଆମ ରାଜ୍ୟର ଭବିଷ୍ୟତ। ଯୁବକମାନଙ୍କର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ହିଁ ଉପଯୁକ୍ତ ମାଧ୍ୟମ। କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ହେଉଛି ଯୁବକମାନଙ୍କ ପାଇଁ ବିନିଯୋଗ। ଯୁବକମାନଙ୍କ ପାଇଁ ବିନିଯୋଗ ହେଉଛି ଏହି ରାଜ୍ୟର ଭବିଷ୍ୟତରେ ପୁଞ୍ଜି ବିନିଯୋଗ। ସାରା ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଉଛି। ୨୦୨୩ ମସିହାର ହକି ବିଶ୍ୱକପ ପାଇଁ ରାଉରକେଲାରେ ଭାରତର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍‌ ଆଜି ରାଜ୍ୟ ପୁଲିସ୍ ସେବାରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ମହିଳା ଓ ୯ ଜଣ ପୁରୁଷ ରହିଛନ୍ତି। ଏହା ପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୬ ଜଣ କ୍ରୀଡ଼ାବିତ୍ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ଆୟୋଜିତ ଏକ ଭର୍ଚୁ୍ଆଲ୍‌ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କର ସମସ୍ତ ସ୍ବପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଗକୁ ରାଜ୍ୟ ଆହୁରି କ୍ରୀଡ଼ାବିତ୍‌ଙ୍କୁ ସୃଷ୍ଟି କରିବ। ଆଗାମୀ ଦିନରେ ସେମାନେ ରାଜ୍ୟ ସହ ଦେଶକୁ ସମୃଦ୍ଧ କରିବେ। ଯେଉଁମାନେ ଆଜି ପୁଲିସ୍‌ ସେବାରେ ଯୋଗ ଦେଇଛନ୍ତି ସେମାନଙ୍କ ପାଇଁ ପରିବାର ଓ ପିତାମାତା ନିଶ୍ଚିତ ଗର୍ବିତ।

ରାଜ୍ୟର ସଫଳତାକୁ ଆଲୋଚନା କରିବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାକୁ କ୍ରୀଡ଼ାର ଶକ୍ତିକେନ୍ଦ୍ର ଭାବରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି। କିଛି ବର୍ଷ ମଧ୍ୟରେ ଓଡ଼ିଶା ଦେଶର କ୍ରୀଡ଼ା କ୍ଷେତ୍ରରେ ପ୍ରମୁଖ ସ୍ଥାନ ହାସଲ କରିଛି। ଓଡ଼ିଶା ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଆୟୋଜନ କରିଛି। ହକି ବିଶ୍ୱକପ୍-୨୦୧୮ ଓ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୧୭ ରାଜ୍ୟ ପାଇଁ ବଡ଼ ସଫଳତା। କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଆରମ୍ଭ କରିବା ପାଇଁ ଆମେ କର୍ପୋରେଟ୍ ଓ ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କ ସହ ସହଭାଗୀ ହୋଇଛୁ। ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ଓ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷା ପାଇଁ ଗୁରୁତ୍ବ ଦିଆଯାଇଛି। ପାରା ଆଥଲେଟ୍‌ମାନେ ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓ ପଦକ ପାଇଁ ପ୍ରମୁଖ ପ୍ରତିଯୋଗୀ ଅଟନ୍ତି। ଏହି ପାରା ଆଥଲେଟ୍‌ମାନଙ୍କ ଆମେ ଆର୍ଥିକ ସହାୟତା କରିବାକୁ ପ୍ରସ୍ତୁତ ଅଛୁ। ସେମାନଙ୍କୁ ଚାକିରି ସମ୍ବନ୍ଧୀୟ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

ଏହି ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ୍ ସଂଯୋଜନା କରିଥିଲେ। କ୍ରୀଡ଼ା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଇ-ଏଫ୍‌ଆଇଆର ସମ୍ପ୍ରସାରଣ କାର୍ଯ୍ୟର ଶୁଭାରମ୍ଭ
ଆଜିର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଇ-ଏଫ୍‌ଆଇଆର ସମ୍ପ୍ରସାରଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ସର୍ବସାଧାରଣ ସ୍ଥାନରେ ହେଉଥିବା ଛିନ୍‌ତାଇ, ଲୁଟ୍‌, ପ୍ରଭୃତିର ତୁରନ୍ତ ଅଭିଯୋଗ କରିବା ଅଭିଯୋଗକାରୀକୁ ଥାନାକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋର ଭର୍ଚୁଆଲ୍ ପୁଲିସ୍ ଷ୍ଟେସନରେ ଯେ କୌଣସି ସ୍ଥାନରୁ ଏତଲା ଦାଏର କରିପାରିବେ। ମାମଲାର ତଦନ୍ତର ଅଗ୍ରଗତି ସମ୍ବନ୍ଧରେ ଅଭିଯୋଗକାରୀ ଏସଏମଏସ ଆଲର୍ଟ ମଧ୍ୟ ପାଇପାରିବେ।

ସମ୍ବନ୍ଧିତ ଖବର