ଗାଁ ମାଟିକୁ ମୁଣ୍ଡରେ ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ତାଙ୍କ ଗାଁକୁ ଯାଇଛନ୍ତି। କାନପୁର ରେଳ ଷ୍ଟେସନରେ ରାଷ୍ଟ୍ରପତି ଦମ୍ପତି ଓହ୍ଲାଇବା ପରେ ଏକ ହେଲିକପ୍ଟରରେ ତାଙ୍କ ଗ୍ରାମ ନିକଟରେ ପହଞ୍ଚିଥିଲେ। କାନପୁର ସହରଠାରୁ ତାଙ୍କ ପୈତୃକ ଗାଁର ଦୂରତା ୭୫ କିଲୋମିଟର। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ତାଙ୍କ ଗାଆଁକୁ ଗସ୍ତ କରୁଛନ୍ତି। ଗାଁ ନିକଟରେ ହେଲିକପ୍ଟର ଅବତରଣ କରିବା ପରେ ରାଷ୍ଟ୍ରପତି ପ୍ରଥମେ ସେଠାରେ ତଳକୁ ନଇଁ ମାଟିକୁ ହାତରେ ଆଣି ମୁଣ୍ଡରେ ମାରିଥିଲେ।

ସେହି ସମୟରେ ରାଷ୍ଟ୍ରପତି ଦମ୍ପତିଙ୍କ ସହିତ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି କହିଛନ୍ତି ଯେ ସେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଗାଁରୁ ଯାଇଥିବା ତାଙ୍କ ଭଳି ଜଣେ ସାଧାରଣ ପିଲା ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ଦାୟିତ୍ବ ସଂପାଦନ କରିବ। କିନ୍ତୁ ଆମର ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ଏହା ସମ୍ଭବ ହୋଇପାରିଛି। କାନପୁରଠାରେ ଆୟୋଜିତ ଜନ ଅଭିନନ୍ଦନ ସମାରୋହରେ କୋବିନ୍ଦ ଏହା କହିଛନ୍ତି। ଗାଁରେ ସେ ପଥ୍ରି ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥି‌ଲେ ଏବଂ ଆମ୍ବେଦକର ଭବନକୁ ଯାଇଥିଲେ। କାନପୁର ଗସ୍ତ ଶେଷ ପରେ ଆସନ୍ତାକାଲି ରାଷ୍ଟ୍ରପତି ଲକ୍ଷ୍ନୌରେ ପହଞ୍ଚିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧିତ ଖବର