କୋପା ଆମେରିକା: ଫାଇନାଲ୍‌ରେ ଆର୍ଜେଣ୍ଟିନା, ସୁଟ୍‌ ଆଉଟ୍‌ରେ କଲମ୍ବିଆ ପରାସ୍ତ

ବ୍ରାସିଲିଆ: ଦୁଇ ଥରର ବିଶ୍ବ ବିଜେତା ଆର୍ଜେଣ୍ଟିନା ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ‌ବୁଧବାର ସେମିଫାଇନାଲ୍‌ରେ ୧୪ ଥରର ଏହି ବିଜେତା ୩-୨ (୧-୧) ପେନାଲ୍ଟି ସୁଟ୍‌ଆଉଟ୍‌ରେ କଲମ୍ବିଆକୁ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୧-୧ ଗୋଲ୍‌ ସ୍ଥିତିରେ ରହିବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଆର୍ଜେଣ୍ଟିନା ଗୋଲ୍‌ରକ୍ଷକ ଏମିଲାନୋ ମାର୍ଟିଞ୍ଜ ସୁଟ୍‌ଆଉଟ୍‌ରେ ୩ ଗୋଲ୍‌ ଅଟକାଇ ଦଳକୁ ବିଜୟ ଭେଟି ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ କଲମ୍ବିଆ ତାରକା ଖେଲାଳି ଡେଭିନସ ସାଞ୍ଚେଜ, ୟେରି ମି’ ଓ ଏଡୱିନ କାର୍ଡୋନାଙ୍କ ସଟ୍‌କୁ ଅଟକାଇଥିଲେ। ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନାର ଲିଓନିଲ ମେସି, ଲିଆଣ୍ଡ୍ରୋ ପାରେଡେସ୍‌ ଓ ଲୌଟାରୋ ମାର୍ଟିଞ୍ଜ ଗୋଲ୍‌ ଦେବାରେ ସଫଳ ହୋଇଥିଲେ।

ବ୍ରାସିଲିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଲୌଟାରୋ ମାର୍ଟିଞ୍ଜଙ୍କ ଗୋଲ୍‌ ବଳରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା ୧୯୯୩ରେ ‌ଶେଷ ଥର ଲାଗି ବିଜେତା ହୋଇଥିବା ଆର୍ଜେଣ୍ଟିନା। ହେଲେ ଦ୍ବିତୀୟାର୍ଦ୍ଧରେ ଏହି ଗୋଲ୍‌ଟି କଲମ୍ବିଆର ଲୁଇସ ଡିଆଜ୍‌ (୬୧ ମିନିଟ୍‌) ଶୁଝି ସ୍ଥିତି ବରାବର କରିଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା ଏବଂ ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ରବିବାର ରିଓ ଡି’ଜେନିରୋସ୍ଥିତ କାରାକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ୧୯ ମ୍ୟାଚ୍‌ରେ ଅପରାଜିତ ଥିବା ଆର୍ଜେଣ୍ଟିନା ୧୨ ଥରର ବିଜେତା ବ୍ରାଜିଲକୁ ଭେଟିବ।

ସମ୍ବନ୍ଧିତ ଖବର