ଉତ୍ତରାଖଣ୍ଡରେ ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମିଳିବ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଘୋଷଣା କରିଛନ୍ତି କି, ଯଦି ୨୦୨୨ ରେ ଉତ୍ତରାଖଣ୍ଡରେ ଆପ୍ କ୍ଷମତାକୁ ଆସେ ତେବେ ରାଜ୍ୟରେ ସମସ୍ତଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ କୃଷକଙ୍କୁ ମାଗଣା ବିଜୁଳି ସହ ପୁରୁଣା ବିଜୁଳି ବକେୟା ଛାଡ କରାଯିବ | ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ ବିଜୁଳି କାଟ ଉପରେ ରୋକ ଲାଗିବ ବୋଲି କେଜ୍ରିୱାଲ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ।

ଡେରାଡୁନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଦୁଇଟି ଚକିରେ ଗହମ ପେଶି ହେବା ଭଳି ଉତ୍ତରାଖଣ୍ଡର ଜନତା ଦୁଇଟି ରାଜନୈତିକ ଦଳର ଶାସନ କାଳରେ ପେଶି ହୋଇଯାଇଛନ୍ତି । ବିଜେପିକୁ ଟାର୍ଗେଟ କରି କହିଛନ୍ତି କି କ୍ଷମତାରେ ଥିବା ଦଳ ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ତେଣୁ ପାଳି କରି ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଛନ୍ତି ।

ଅନ୍ୟପଟେ କ୍ଷମତାରେ ଥିବା ସରକାରକୁ ଟାର୍ଗେଟ କରି ସେ କହିଛନ୍ତି କି ଉତ୍ତରାଖଣ୍ଡ ରାଜ୍ୟରେ ପ୍ରବଳ ବିଜୁଳି ଉତ୍ପାଦନ କରାଯାଉଛି । ରାଜ୍ୟ ବି ଅନ୍ୟ ରାଜ୍ୟମାନଙ୍କୁ ବିଜୁଳି ବିକୁଛି । ହେଲେ ନିଜ ରାଜ୍ୟର ଲୋକଙ୍କୁ ଏତେ ଚଢାଦରରେ ବିଜୁଳି ବିକି ଲୋକଙ୍କୁ ଶୋଷଣ କରୁଛି | କିନ୍ତୁ ଆପ କ୍ଷମତାକୁ ଆସିଲେ ଏ ସମସ୍ୟା ଦୂର ହେବ |

ସମ୍ବନ୍ଧିତ ଖବର