ପୌର, ପଞ୍ଚାୟତ ନିର୍ବାଚନ: କଣ୍ଟା ସାଜିଛି ସଂରକ୍ଷଣ ସୀମା, ପଛୁଆ ବର୍ଗ ସର୍ଭେ ପରେ ସୁପ୍ରିମକୋର୍ଟ ଯାଇପାରନ୍ତି ରାଜ୍ୟ ସରକାର
ନିର୍ବାଚନ କମିସନଙ୍କ ଚିଠିର କାମଚଳା ଉତ୍ତର ଦେଲା ପଞ୍ଚାୟତିରାଜ ବିଭାଗ
ଚୌଧୁରୀ ଅମିତାଭ ଦାସ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦% ରଖିବାକୁ ପଡ଼ିବ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଏବେ ସରକାରଙ୍କ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ କଣ୍ଟା ସାଜିଛି। ଏହି କଣ୍ଟା ଏମିତି ଯେ ପାଦେ ପାଦେ ବିପଦ ରହିଛି। ଆଗକୁ ବଢ଼ିବା ପାଇଁ ସରକାର ସାହସ ଜୁଟାଇ ପାରୁନାହାନ୍ତି। ଖାଲି ସମୟ ଗଡ଼ାଇ ବିପଦ ଟାଳିବାକୁ ସହଜ ବାଟ ଆପଣାଇଛନ୍ତି। ସଂରକ୍ଷଣ ପ୍ରସଙ୍ଗରେ ଆଗକୁ ରାଜ୍ୟରେ ହେବାକୁ ଥିବା ପଛୁଆ ବର୍ଗ ସର୍ଭେ ହିଁ ସରକାରଙ୍କ ବଡ଼ ଭରସା। ଏହି ସର୍ଭେ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟରେ ସଂରକ୍ଷଣ ସୀମା ହଟାଇବା ପାଇଁ ଆବେଦନ କରିବାକୁ ବିଚାରବିମର୍ଶ ଚାଲିଛି। ତେଣୁ ପୌର ଓ ପଞ୍ଚାୟତ ନିର୍ବାଚନ ନିକଟରେ ହେବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି।
ସରକାର ପୌର ନିର୍ବାଚନ ତ ପାଖାପାଖି ୩ ବର୍ଷ ଘୁଞ୍ଚାଇ ସାରିଲେଣି। ଏମିତି ଆହୁରି କେତେ ଦିନ ଘୁଞ୍ଚିବ, ତାହା କହିବା ମୁସ୍କିଲ୍। ଆଉ ୭ ମାସ
ପରେ ଅର୍ଥାତ ୨୦୨୨ ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନ ହେବା କଥା। ଏହି ନିର୍ବାଚନ ପାଇଁ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କରିବା ଦାୟିତ୍ବ ହେଉଛି ରାଜ୍ୟ ପଞ୍ଚାୟତିରାଜ ବିଭାଗର। ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭାଗକୁ ନିର୍ବାଚନ କମିସନ୍ ଜାନୁଆରି ଓ ମାର୍ଚ୍ଚ ମାସରେ ୩ଟି ଚିଠି ଲେଖି ମନେ ପକାଇଥିଲେ। ସମୟସୀମା ଦେଇଥିଲେ ଏପ୍ରିଲ୍ ୩୦,୨୦୨୧। ନା ବିଭାଗ ଏହି କାମ କଲା ନା କମିସନ୍ଙ୍କୁ କୌଣସି ଉତ୍ତର ଦେଲା। ଶେଷରେ ଗତ ଜୁନ୍ ମାସରେ କମିସନ୍ ଆଉ ଏକ ଚିଠି ଲେଖି ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ସ୍ଥିତି ଜାଣିବାକୁ ଚାହିଁଲେ। ୪ଟି ଚିଠି ପରେ ବିଭାଗର ନିଦ ଭାଙ୍ଗିଲା ଓ କମିସନ୍ଙ୍କୁ ଉତ୍ତର ଦିଆଗଲା। କିନ୍ତୁ ଏହି ପ୍ରକ୍ରିୟା କେବେ ଆରମ୍ଭ ହେବ ଓ କେବେ ସରିବ, ସେ ସମ୍ପର୍କରେ ସ୍ପଷ୍ଟ କରାଯାଇନି। ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଅଛି ବୋଲି କମିସନ୍ଙ୍କୁ ଅବଗତ କରାଇଛି ପଞ୍ଚାୟତିରାଜ ବିଭାଗ। ଏପରି ଉତ୍ତର ପୂରା ନିର୍ବାଚନ ପ୍ରକ୍ରିୟାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ପୂର୍ବରୁ ପୌର ନିର୍ବାଚନ ପାଇଁ ସମାନ ତରିକା ଆପଣାଇଥିଲେ ସରକାର। ଯେତେବେଳେ ପୌର ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିସନ୍ କୌଣସି ଚିଠି ଦିଅନ୍ତି ସେତେବେଳେ ନଗର ଉନ୍ନୟନ ବିଭାଗର ଚିରାଚରିତ ଉତ୍ତର ଥାଏ, ସରକାର ପୌର ଆଇନରେ ସଂଶୋଧନ ପାଇଁ ପଦକ୍ଷେପ ନେଉଛନ୍ତି।
ପଛୁଆ ବର୍ଗ ସର୍ଭେ ପରେ ସୁପ୍ରିମକୋର୍ଟ ଯାଇପାରନ୍ତି ରାଜ୍ୟ ସରକାର
ନିର୍ବାଚନ କମିସନଙ୍କ ଚିଠିର କାମଚଳା ଉତ୍ତର ଦେଲା ପଞ୍ଚାୟତିରାଜ ବିଭାଗ
ସରକାରଙ୍କୁ ସୁହାଉଛି ବିରୋଧୀଙ୍କ ଦୁର୍ବଳ ସ୍ବର
ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ କରାଇବା ଏତେ ସହଜ ବି ନୁହେଁ। କାରଣ ଏହି ଦୁଇଟି ନିର୍ବାଚନ କରାଇବାକୁ ହେଲେ ଅନେକ ଆଇନଗତ ସମସ୍ୟାର ସମାଧାନର ଆବଶ୍ୟକତା ରହିଛି। ଯେହେତୁ ସରକାର ନିର୍ବାଚନ ମୁଡ୍ରେ ନାହାନ୍ତି, ତେଣୁ ସମାଧାନର ପ୍ରକ୍ରିୟା ଆରମ୍ଭ କରୁନାହାନ୍ତି। ଯଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି ୫୦% ସଂରକ୍ଷଣ ସୀମିତ ରଖିବାକୁ ସରକାର ପଦକ୍ଷେପ ନିଅନ୍ତି, ତେବେ ୫ଟି ପ୍ରଚଳିତ ଆଇନ୍ରେ ସଂଶୋଧନ ଆଣିବାକୁ ପଡ଼ିବ। ପୌର ନିର୍ବାଚନ ପାଇଁ ୨ଟି ଆଇନ ଓ ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଆଇନରେ ସଂଶୋଧନ ଆବଶ୍ୟକ। ଏଥିପାଇଁ ସରକାର କୌଣସି ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି। ଆଇନରେ ସଂଶୋଧନ ହେଲା ପରେ ହିଁ ସଂରକ୍ଷଣ କାାର୍ଯ୍ୟ କରାଯିବ।
ଯଦି ବି ଆଇନରେ ସଂଶୋଧନ କରାଯାଏ, ତେବେ ସଂରକ୍ଷଣ ଭାଗମାପ ସରକାରଙ୍କୁ ଅଧିକ ଅଡ଼ୁଆ କରିବ। ଭୋଟ୍ ରାଜନୀତିର ଅଙ୍କ ଏପଟସେପଟ ହୋଇଯିବାର ଆଶଙ୍କା ରହିଛି। କାରଣ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ୬୫ ପ୍ରତିଶତରୁ ଅଧିକ ହୋଇଯାଇଥିଲା। ଅନୁସୂଚିତ ଜାତିକୁ ୧୬.୨୫, ଅନୁସୂଚିତ ଜନଜାତିକୁ ୨୨.୫ ଓ ପଛୁଆ ବର୍ଗକୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ତେଣୁ ବର୍ତ୍ତମାନ ସଂରକ୍ଷଣକୁ କିପରି କମାଇବେ, ତାହା ସରକାରଙ୍କ ପାଇଁ ବଡ଼ଚିନ୍ତାର କାରଣ ପାଲଟିଛି। ଯଦି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ କମାନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କୁ ତାହାର ବହୁ ମୂଲ୍ୟ ଦେବାକୁ ପଡ଼ିପାରେ। ରାଜ୍ୟ ଜନସଂଖ୍ୟାର ଏକ ବଡ଼ ଭାଗ ପଛୁଆ ବର୍ଗ ହୋଇଥିବାରୁ ସରକାର ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ କେବେ ଚାହିଁବେ ନାହିଁ। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ସରକାର କେବଳ ଦିନ ଗଡ଼ାଇ ଚାଲିଛନ୍ତି।
ଏହି ଅଡ଼ୁଆରୁ ମୁକୁଳିବା ପାଇଁ ସରକାର ପଛୁଆ ବର୍ଗ ସର୍ଭେକୁ ସାହାରା କରିବେ ବୋଲି ସୂଚନା ମିଳିଛି। ଗତ ବର୍ଷ ରାଜ୍ୟ ସରକାର ପଛୁଆ ବର୍ଗ କମିସନ୍ ଗଠନ କରିଥିଲେ। ପଛୁଆ ବର୍ଗଙ୍କ ସହ ସରକାର ସବୁବେଳେ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। ଚଳିତ ବର୍ଷ ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ କମିସନ୍ଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଥିଲା। ମେ’ ୧ରୁ ସର୍ଭେ ଆରମ୍ଭ ହେବା ପାଇଁ ତାରିଖ ଚୂଡ଼ାନ୍ତ ହୋଇ ପ୍ରସ୍ତୁତି ଚାଲିଥିଲା। କିନ୍ତୁ କରୋନାର ଦ୍ବିତୀୟ ଲହର ପାଇଁ ସର୍ଭେ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କରୋନାରୁ ସ୍ଥିତି ସ୍ବାଭାବିକ ହେଲା ପରେ ସାନି ତାରିଖ ଘୋଷଣା ହେବ। ଏହି ସର୍ଭେ ରିପୋର୍ଟ ମିଳିଲାପରେ ସରକାର ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ବିଚାର ବିମର୍ଶ ଚଳାଇଛନ୍ତି। ସର୍ଭେର ତଥ୍ୟ ଦେଖାଇ ସଂରକ୍ଷଣ ନ କମାଇବାକୁ ସରକାର ଆବେଦନ କରିପାରନ୍ତି। ତେଣୁ ନିର୍ବାଚନ ପ୍ରକ୍ରିୟା ଯଥେଷ୍ଟ ବିଳମ୍ବ ହେବାର ଆଶଙ୍କା ରହିଛି।
ଲମ୍ବା ଆଇନଗତ ପ୍ରକ୍ରିୟା ହେଉ କି କରୋନାର କଟକଣା ହେଉ, ଯଦି ବିରୋଧୀ ଦଳ ପଟୁ ଚାପ ଥାଆନ୍ତା ତେବେ ହୁଏତ ନିର୍ବାଚନ ପାଇଁ ସରକାର ନିଶ୍ଚିତ ତତ୍ପରତା ପ୍ରକାଶ କରନ୍ତେ। କିନ୍ତୁ ତିନି ବର୍ଷ ହେଲା ବିନା ପ୍ରତିନିଧିରେ ପୌର ସଂସ୍ଥା ଚାଲୁଥିଲେ ବି କାହାରି ପ୍ରତିବାଦ ନାହିଁ। ସେମିତି ଧାର୍ଯ୍ୟ ସମୟରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲେ ବି କଡ଼ା ପ୍ରତିକ୍ରିୟା କେଉଁଠି ଦେଖିବାକୁ ମିଳୁନି। ତେଣୁ ଏମିତିରେ ୨୦୨୪ ସାଧାରଣ ନିର୍ବାଚନ ଯାଏ ପୌର ଓ ପଞ୍ଚାୟତ ନିର୍ବାଚନ ନ ହେଲେ ବି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।