୧୦ ଜିଲ୍ଲାରେ କଟକଣା କୋହଳ ହେବ ତ?

ପୁଣି ୨ ହଜାର ଉପରେ ‌ଦୈନିକ ସଂକ୍ରମଣ

ଜୀବିକା ପାଇଁ ଠୋସ୍‌ ପଦକ୍ଷେପ ନ ନେଲେ ଜନଅସନ୍ତୋଷ ବଢ଼ିପାରେ
ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ବର : ସଂକ୍ରମଣ ହାରକୁ ଦେଖି ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ କଟକଣା ଅଧିକ ରଖିଥିଲେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ଯଥେଷ୍ଟ କମିଛି। କିନ୍ତୁ ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଆଶାନୁରୂପ କମୁ ନାହିଁ। ଏଠାରେ ବିଶେଷଜ୍ଞମାନଙ୍କ ଆକଳନ କାମ ଦେଉନି। ଯଦିଓ ଭୁବନେଶ୍ବରରେ ଟିକାକରଣ ସର୍ବାଧିକ ହୋଇଛି, କିନ୍ତୁ ମୋଟ୍‌ ଉପରେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ରାଜ୍ୟରେ ଅଧିକ ରହୁଛି। ତେଣୁ ‘କାଟାଗୋରି-ବି’ରେ ଥିବା କିଛି ଜିଲ୍ଲାକୁ ‘କାଟାଗୋରି-ଏ’କୁ ଆଣି ସରକାର ସେଠାରେ କଟକଣା କୋହଳ କରିବେ ନା ପୁଣି ‘କାଟାଗୋରି-ବି’ର ସବୁ ଜିଲ୍ଲାରେ କଟକଣା ବଳବତ୍ତର ରଖିବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ସହ ସବୁ ଜିଲ୍ଲାରେ ଆଉ କିଛି କ୍ଷେତ୍ରରେ ଜୀବିକାକୁ ସ୍ବାଭାବିକ କରିବା ପାଇଁ କଟକଣା କୋହଳ ହେବ କି ନାହିଁ, ତାହା ଏବେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଜୀବିକା ହରାଇ ହଜାର ହଜାର ଲୋକ କଲବଲ ହେଉଥିଲା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ଘୋଷଣାକୁ। ୧୬ ତାରିଖ ପରେ ସରକାର ଯଦି ଆଖିବୁଜା କଟକଣା ଜାରି ରଖନ୍ତି, ତେବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଛି। କାରଣ ଏହା ମଧ୍ୟରେ ବିଭିନ୍ନ ଜୀବିକାରେ ଥିବା ଲୋକମାନେ ଆନ୍ଦୋଳନକୁ ଓହ୍ଲାଇ ସାରିଲେଣି। ଜୀବିକାକୁ ସ୍ବାଭାବିକ ସ୍ଥିତିକୁ ନ ଆଣିଲେ ବହୁ ଲୋକଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ଅସମ୍ଭବ ‌ହୋଇପଡ଼ିବ। ତେଣୁ ସରକାର ସଂକ୍ରମଣକୁ ମୁକାବିଲା ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ କି ରଣନୀତି ଆପଣାଉଛନ୍ତି, ତାହା ଉପରେ ସବୁ ନିର୍ଭର କରୁଛି।

Image Courtesy of Zee News

ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ କହିବା କଥା, ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ଅଛି। ୧୬ ପରେ ପରିସ୍ଥିତି ଦେଖି ଅନଲକ୍‌ କରାଯିବ। ହେଲେ ଲୋକଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ମାନିବାକୁ ହେବ। କେନ୍ଦ୍ର ସରକାରଙ୍କ କହିବାନୁସାରେ ବ୍ରିଟେନ୍, ଋଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି। ମାତ୍ର ଭାରତରେ ଏ ପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ କମୁଛି, ସ୍ଥିତି ଉପରେ ନଜର ରଖାଯାଇଛି। ଭୁବନେଶ୍ବର, କଟକ, ବାଲେଶ୍ବର ଓ ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହିଛି। ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି। ତେଣୁ ନୂଆପଡ଼ାରେ ନଜର ରଖାଯାଇଛି। ପଶ୍ଚିମବଙ୍ଗ ସୀମା ଉପରେ ମଧ୍ୟ ନଜର ରଖାଯାଇଛି।

ଅପର ପକ୍ଷରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଆଜି ସତର୍କ କରାଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଦେଶରେ କରୋନା ସଂକ୍ରମଣ ଦ୍ବିତୀୟ ଲହର ଥମି ଥିଲେ ମଧ୍ୟ ଏହି ଲହରର ପ୍ରଭାବ ଜାରି ରହିଛି। କିନ୍ତୁ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହେଉଛି। ବିଶେଷ କରି ସାଧାରଣ ପରିବହନ ଏବଂ ଶୈଳ ନିବା‌ସ ଗୁଡ଼ିକରେ କରୋନା ନିୟମାବଳୀର ଖୋଲା ଉଲ୍ଳଂଘନ ହେଉଛି। ରାଜ୍ୟମାନେ କରୋନା କଟକଣା କଡ଼ାକଡ଼ି କରିବା ସହ ଏହାର ପାଳନ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ। ଯେଉଁମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଶ୍ରୀ ଭଲ୍ଲା ଆହୁରି ଜଣାଇଛନ୍ତି ଯେ କିଛି ରାଜ୍ୟରେ ଆର୍‌ ଫ୍ୟାକ୍ଟର ତଥା କରୋନାର ପୁନଃ ସଂକ୍ରମଣ ହାର ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। ଆର୍‌ ଫ୍ୟାକ୍ଟର୍‌ ଦ୍ବାରା ଦେଶରେ ସଂକ୍ରମଣ କେଉଁ ବେଗରେ ବ୍ୟାପୁଛି ତାହା ଜଣାପଡ଼େ। ଆର୍‌ ଫ୍ୟାକ୍ଟର ୧ ରହିବାର ଅର୍ଥ ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବେ। ମହାମାରୀ ସ୍ଥିତିରେ ଆର୍‌ ଫ୍ୟାକ୍ଟର ୧.୦ କମ୍‌ ରହିବାର ଅର୍ଥ ସଂକ୍ରମଣ ବଢ଼ୁନାହିଁ। କିନ୍ତୁ ଯଦି ଆର୍‌ ଫ୍ୟାକ୍ଟର ୧.୦ ପ୍ରତିଶତରୁ ଅଧିକ ରୁହେ ତେବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି ବୋଲି କୁହାଯିବ। ଆଜି ସକାଳେ ଆର୍‌ ଫ୍ୟାକ୍ଟର ୦.୯୫ ଥିଲା। ଗତ ସପ୍ତାହରେ ଆର୍‌ ଫ୍ୟାକ୍ଟର ୦.୮୯ ଏବଂ ୪ ସପ୍ତାହ ପୂର୍ବେ ୦.୭୪ ଥିଲା। ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ ଦେଶରେ ଆର୍‌ ଫ୍ୟାକ୍ଟର୍‌ ୧.୩୨ ଥିଲା।

Medical Xpress

ଗତ ୨୪ ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ୨ ହଜାର ଟପିଛି। ୨୦୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରେ। ଗତ ୩ ତାରିଖରୁ ୧୩ ତାରିଖ ଭିତରେ ୧୦ ଦିନ ଲାଗି ଦୈନିକ ସଂକ୍ରମଣ ୨ ହଜାର ଉପରେ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ୬୯,୨୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୨.୯୯ ପ୍ରତିଶତ ରହିଛି। ମାତ୍ର ପୁରୀ ୭, ନୟାଗଡ଼ ୬.୨, ଜଗତସିଂହପୁର ୫.୬, କଟକ ୫.୫, ଭଦ୍ରକ, ମୟୂରଭଞ୍ଜରେ ୪.୯ ପ୍ରତିଶତ ଲେଖାଏ, କେନ୍ଦ୍ରାପଡ଼ା ୪.୪, ମାଲକାନଗିରି ୪.୧ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଯଥେଷ୍ଟ ଅଧିକ। କାଟାଗୋରି ‘ବି’ ଜିଲ୍ଲାରେ ଖୋର୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୪୪୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳିଳ, କଟକ ୨୮୩, ପୁରୀ ୧୩ ଓ ଷ୍ଟେଟ୍‌ ପୁଲରୁ ୮୫ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୪୫ହଜାର ୭୪୯କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ ୨ହଜାରରେ ସ୍ଥିର ରହିଥିଲେ ହେଁ, ମୃତ୍ୟୁ ସଂଖ୍ୟା ୬୦ ଉପରେ ରହିଛି। ରାଜ୍ୟରେ ଆଉ ୬୫ ଜଣ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଘୋଷଣା କରାଯାଇଛି। ଖୋର୍ଧାରେ ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨୦ ଛୁଇଁଛି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୬୦୫ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର