ଆସାମ-ମିଜୋରାମ ସୀମା ବିବାଦ ଦେଢ଼ଶହ ବର୍ଷ ଧରି ଅସମାହିତ

ଗୁଆହାଟୀ, ୨୭/୭: ଆସାମ ଏବଂ ମିଜୋରାମର ସାଧାରଣ ସୀମା ପ୍ରାୟ ୧୬୫ କିଲୋମିଟର ପରିବ୍ୟାପ୍ତ। ତେବେ, ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ୧୯୮୭ରେ ସୃଷ୍ଟି ହୋଇନଥିଲା ଯେତେବେଳେ ମିଜୋରାମ ଏହାର ବର୍ତ୍ତମାନର ପରିଚୟ ପାଇଥିଲା। ଏହି ବିବାଦ ଊନବିଂଶ ଶତାବ୍ଦୀରେ ଇଂରେଜ ଅମଳରୁ ଚାଲିଆସୁଛି। ସ୍ୱାଧୀନତା ସମୟରେ ଉତ୍ତର-ପୂର୍ବ ଭାରତ ମଧ୍ୟରେ ଥିଲା ଆସାମ, ମଣିପୁର ଓ ତ୍ରିପୁରା। ୧୯୬୩ରୁ ୧୯୮୭ ମଧ୍ୟରେ ଆସାମର ବୃହତ୍‌ ଅଞ୍ଚଳରୁ ଅଲଗା ହୋଇ ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲେ। ଇତିହାସ ଓ ଲୋକମାନଙ୍କର ସଂସ୍କୃତିକୁ ନେଇ ଏହିସବୁ ସ୍ବତନ୍ତ୍ର ରାଜ୍ୟ ଗଠିତ ହୋଇଥିଲା। ଆସାମ ଓ ମିଜୋରାମ ମଧ୍ୟରେ ପ୍ରାୟ ୧୬୫ କିଲୋମିଟର ସାଧାରଣ ସୀମା ଥିବାବେଳେ ମିଜୋରାମର ସୀମାନ୍ତ ଜିଲ୍ଲାଗୁଡ଼ିକ ହେଉଛି ଆଇଜଲ୍, କୋଲାସିବ ଓ ମମିତ ଯେତେବେଳେ କି ଆସାମର ସୀମାନ୍ତ ଜିଲ୍ଲାଗୁଡ଼ିକ ହେଉଛି କାଚର, କରିମଗଞ୍ଜ ଓ ହୈଲାକାଣ୍ଡି।

କୌତୂହଳର ବିଷୟ ହେଲା, ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ୧୯୮୭ରେ ଉତ୍ପନ୍ନ ହୋଇନଥିଲା ଯେତେବେଳେ ମିଜୋରାମ ଏହାର ବର୍ତ୍ତମାନର ପରିଚୟ ପାଇଥିଲା। ଏହି ବିବାଦ ଊନବିଂଶ ଶତାବ୍ଦୀରେ ଇଂରେଜ ଅମଳରୁ ଆରମ୍ଭ ହୋଇଥିଲା। ସେତେବେଳେ ବ୍ରିଟିଶ ଶାସକ ଲୁଶାଇ ପାହାଡ (ସେତେବେଳେ ମିଜୋରାମ ସେହି ନାମରେ ଜଣାଶୁଣା ଥିଲା) ଏବଂ କାଚର ପାହାଡ (ଆସାମ) ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ। ଏ ସମ୍ପର୍କରେ ୧୮୭୩ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାକୁ ୧୮୭୩ର ବେଙ୍ଗଲ ଇଷ୍ଟର୍ନ ଫ୍ରଣ୍ଟିଅର୍ ରେଗୁଲେସନ୍ (ବିଇଏପ୍‌ଆର୍) କୁହାଯାଉଥିଲା। ୧୮୭୩ର ଏହି ରେଗୁଲେଶନକୁ ଆଧାର କରି ମିଜୋରାମ ୧୪୮ ବର୍ଷ ପୂର୍ବେ ସୂଚିତ ହୋଇଥିବା ୫୦୯ ବର୍ଗ-ମାଇଲ୍ ବା ପ୍ରାୟ ୧୩୧୮ ବର୍ଗ କିମି ସଂରକ୍ଷିତ ଜଙ୍ଗଲ ପାଇବା ପାଇଁ ଦାବି କରିଛି। କିନ୍ତୁ ଆସାମ ଏହାର କୌଣସି ଅଞ୍ଚଳ ଛାଡିବାକୁ ପ୍ରସ୍ତୁତ ନୁହେଁ।

୧୯୯୩ ବିଜ୍ଞପ୍ତି ପରେ, ବିଶେଷକରି ୧୯୯୫ ପରେ ଏହି ସୀମା ବିବାଦର ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ତଥାପି ଏହା ଅସମାହିତ ହୋଇ ରହିଛି। ୨୦୦୫ରେ, ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଥିଲେ ଯେ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ସୀମା ଆୟୋଗ ଗଠନ କରନ୍ତୁ। ମିଜୋରାମ ସରକାର ଏକ ସୀମା ଆୟୋଗ ଗଠନ କରିଛନ୍ତି ଏବଂ ଆନୁଷ୍ଠାନିକ ଭାବେ ଏ ବିଷୟରେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ମିଜୋରାମର ସୀମା ଆୟୋଗ ବର୍ତ୍ତମାନ ବିବାଦର ଟକିନିଖି ଅଧ୍ୟୟନ କରି ପୁରାତନ ମାନଚିତ୍ର ଓ ଡକୁମେଣ୍ଟ ଯାଞ୍ଚ କରି ନିଜର ଦାବିକୁ ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପନ କରିବାକୁ ଯାଉଛି।

ଆସାମ-ମିଜୋରାମ ସୀମା ଅଞ୍ଚଳରେ ତିକ୍ତତା ଗତ ଜୁନ୍ ମାସରେ ଆରମ୍ଭ ହୋଇଥିଲା ଯେତେବେଳେ ଆସାମ ଓ ମେଘାଳୟ ମଧ୍ୟରେ ଏକ ସୀମା ବିବାଦ ଚାଲିଥିଲା। ଜୁନ୍ ୩୦ରେ ମିଜୋରାମ ଏହାର ସୀମାନ୍ତବର୍ତ୍ତୀ ଜିଲ୍ଲା କୋଲାସିବ୍‌ର କିଛି ଅଞ୍ଚଳ ଆସାମ ମାଡ଼ିବସିଥିବା ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ଆସାମ ବି ଅଭିଯୋଗ କରିଥିଲା ଯେ, ମିଜୋରାମ ଆସାମର ସୀମାନ୍ତ ଜିଲ୍ଲା ହୈଲାକାଣ୍ଡି ଭିତରକୁ ପ୍ରାୟ ୧୦କିମି ପ୍ରବେଶ କରି କୋଠା ନିର୍ମାଣ ସହ ଗୁଆ ଓ କଦଳୀ ଚାରା ରୋପଣ କରିଛି। ମିଜୋରାମର କୋଲାସିବ ଜିଲ୍ଲାର ଭୈରଙ୍ଗତେଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଆଇତଲାଙ୍ଗ ହନାର ଅଞ୍ଚଳକୁ ଆସାମ ପୁଲିସ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି। ମିଜୋରାମର ସରକାରୀ ଅଧିକାରୀ ଓ ସାଧାରଣ ଲୋକମାନେ ଆସାମ ପୁଲିସକୁ ଫେରିବାକୁ ବାଧ୍ୟ କରିଥିଲେ। ଉତ୍ତେଜନା ଦେଖାଦେଇଥିଲା ଏବଂ ବରିଷ୍ଠ ଅଧିକାରୀମାନେ ଆଲୋଚନା ଟେବୁଲକୁ ଆସିଥିଲେ। ତା’ପରେ ପୁଣି ଜୁଲାଇ ୧୦ରେ ଖବର ଆସିଲା ଯେ ଆସାମର ଅଧିକାରୀମାନେ ମିଜୋରାମର କୋଲାସିବ ଜିଲ୍ଲାର ବୁରାଚେପଠାରେ ଏକ ‘ଜବରଦଖଲ ବିରୋଧୀ ଡ୍ରାଇଭ୍’ ଆରମ୍ଭ କରିଥିଲେ। ଆସାମ କହିଛି ଯେ ଏହା ତା’ ସୀମା ଭିତରେ ଅଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ଏବଂ ସେଠାରେ ଆସାମର ସରକାରୀ ଦଳ ଉପରେ ଗ୍ରେନେଡ୍‌ ପକାଯାଇଥିବା ଅଭିଯୋଗ ହୋଇଥିଲା। ଜୁଲାଇ ୨୫ରେ ମିଜୋ ଚାଷୀଙ୍କ ଆଠଟି ଫାର୍ମ-କୁଡ଼ିଆ ପୋଡିଦିଆଯିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହି ସଂଘର୍ଷରେ ଆସାମ ପୁଲିସର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର ଦୁଇ ଦିନ ପରେ ଶେଷ ରାଉଣ୍ଡ ସଂଘର୍ଷ ଘଟିଛି। ସୀମା ବିବାଦ ଉପରେ ନେତାମାନେ ଆଲୋଚନା କରିଥିଲେ ଏବଂ ଏହି ବିବାଦର ଶୀଘ୍ର ସମାଧାନ ହେବା ଆବଶ୍ୟକ ବୋଲି କହିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅରୁଣାଚଳ ପ୍ରଦେଶ ଓ ମେଘାଳୟ ସହିତ ଶାନ୍ତିପୂର୍ଣ୍ଣ ଅଗ୍ରଗତିକୁ ସୂଚିତ କରିଛନ୍ତି। ଶର୍ମା କହିଛନ୍ତି ଯେ ମିଜୋରାମ ସହ ଆସାମର ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଏହି ସୀମା ବିବାଦକୁ ଇଂରେଜ ଅମଳରୁ ଚାଲିଆସିଛି ବୋଲି କହିଥିଲେ ଏବଂ ଏହାର ସମାଧାନ ନ ହେଲେ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଜୋର୍‌ ଦେଇଥିଲେ। ତେବେ ହିଂସା ପରେ ଆସାମ-ମିଜୋରାମ ସୀମା ପରିସ୍ଥିତି ପାଇଁ ଉଭୟ ଶର୍ମା ଓ ଜୋରାମଥାଙ୍ଗା ଟ୍ୱିଟ୍ କରି ଅପର ପକ୍ଷକୁ ଦୋଷ ଦେବା ଜାରି ରଖିଥବା ବେଳେ ଏହାର ସମାଧାନ ପାଇଁ ଉଭୟେ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡିଥିଲେ। ରାଜନୈତିକ ଦୃଷ୍ଟିରୁ ଉଭୟ ଆସାମ ଓ ମିଜୋରାମରେ ବିଜେପି ସରକାରର ଅଂଶ ହୋଇଥିବାରୁ ଏହା ବିଜେପି ପାଇଁ ଅସୁବିଧା ସୃଷ୍ଟି କରିପାରେ। ଆସାମରେ ବିଜେପି କ୍ରମାଗତଭାବେ ଦ୍ୱିତୀୟ ନିର୍ବାଚନ ​​ଜିତିଛି। ମିଜୋରାମରେ ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଜଣେ ମାତ୍ର ବିଧାୟକ ଥିବା ବିଜେପି ହେଉଛି ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌)ର ସହଯୋଗୀ। ଏଣୁ ଉଭୟ ରାଜ୍ୟବାସୀଙ୍କ ମନ ଜିଣିବା ଭଳି ନିଷ୍ପତ୍ତି ନେବା ବିଜେପି ପାଇଁ ଅସମ୍ଭବ ହୋଇପାରେ।

ସମ୍ବନ୍ଧିତ ଖବର