ନିଯୁକ୍ତି ଦୁର୍ନୀତି ମାମଲା: ଚାକିରିରୁ ତଡ଼ା ଖାଇଲେ ବିରଞ୍ଚି

ଲାପ୍‌ଟପ୍‌ ଖୋଲିବ କେଳେଙ୍କାରିର ଗୁମର!
ଫୋରେନସିକ୍ ଯାଞ୍ଚ ପାଇଁ ପଠାଇଲା ଭିଜିଲାନ୍ସ
ପିଲାଙ୍କ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ ସନ୍ଦେହ
୪ ମୋବାଇଲ ଫୋନ୍, ହାର୍ଡଡିସ୍କ ମଧ୍ୟ ପଠାଗଲା

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଭିଜିଲାନ୍ସ କୋଟିକୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ସନ୍ଧାନ ମିଳିବା ପରେ କମିସନରେ ବଡ଼ ଧରଣର ନିଯୁକ୍ତି ଦୁର୍ନୀତି ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି। କେବଳ ବିରଞ୍ଚି ନୁହନ୍ତି, ଏହା ପଛରେ ଏକ ବଡ଼ ରାକେଟ୍‌ ବର୍ଷବର୍ଷ ଧରି କାମ କରୁଛି ଏବଂ ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଆଦାୟ ହେଉଛି ବୋଲି ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ଆରମ୍ଭ ହୋଇଛି। ତେଣୁ ସୋମବାର ଦିନ ରାଜ୍ୟ ସରକାର ବିରଞ୍ଚିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସାଧାରଣତଃ ଭିଜିଲାନ୍ସ ଚଢ଼ଉ ବେଳେ କେହି ଧରାହେଲେ ଅଭିଯୁକ୍ତକୁ ଚାକିରିରୁ ନିଲମ୍ବିତ କରାଯାଉଥିବା ବେଳେ ବିରଞ୍ଚିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଜି ଘୋ‌ଷଣା କରାଯାଇଛି।

ଅନ୍ୟପକ୍ଷରେ ବିରଞ୍ଚିଙ୍କ ଘରୁ ପରୀକ୍ଷାର୍ଥୀଙ୍କ ପୁଳାପୁଳା ଆଡମିଟ୍ କାର୍ଡ ମିଳିବା ପରେ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ଓ ଚାକିରି ବିକ୍ରି ସନ୍ଦେହ ବଢ଼ିବାରେ ଲାଗିଛି। ଖାଲି ସନ୍ଦେହ ବଢ଼ିନି; କିଛି ପୁରୁଣା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଅସାଧୁ କର୍ମଚାରୀଙ୍କ ଦ୍ବାରା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ନେଇ ଦୀର୍ଘ ନଅ ବର୍ଷ ତଳେ ତେଜିଥିବା ଆନ୍ଦୋଳନ ଏବେ ବିରଞ୍ଚି ଗିରଫ ହେବା ପରେ ଆହୁରି ତାଜା ହେବାରେ ଲାଗିଛି। ତେଣୁ ବିରଞ୍ଚିଙ୍କ ଏହି ବଡ଼ କେଳେଙ୍କାରିର ଚେର କେତେ ଗଭୀର, ରାକେଟ୍‌ର ବଡ଼ମୁଣ୍ଡ କିଏ, କେମିତି ହେଉଥିଲା ନିଯୁକ୍ତି ଡିଲ୍, କେଉଁଠୁ ଚାଲିଥିଲା ଏହି କଳା କାରବାର ତାହାର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ବିରଞ୍ଚିଙ୍କ ଘରୁ ଜବତ କରାଯାଇଥିବା ଲାପ୍‌ଟପ୍‌ରୁ ପୂରା କେଳେଙ୍କାରିର ଗୁମର ଖୋଲିବ ବୋଲି କୁହାଯାଉଛି।

ଯେଉଁ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ଜବତ ହୋଇଛି ସେମାନେ ବିରଞ୍ଚିଙ୍କ ପାଖରେ ବସି ତାଙ୍କରି ଲାପ୍‌ଟପ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍ କରିଥିବା ସନ୍ଦେହ କରାଯାଉଛି। ତେଣୁ ଇଣ୍ଟରନେଟର ସର୍ଚ୍ଚ ହିଷ୍ଟ୍ରି, ଡାଉନଲୋଡିଂ, ପ୍ରିଣ୍ଟିଂ ଓ ବ୍ୟବହୃତ ସମସ୍ତ ତଥ୍ୟ ଜାଣିବା ଲାଗି ଭିଜିଲାନ୍ସ ତଦନ୍ତକାରୀ ଟିମ୍ ଜବତ ଲାପ୍‌ଟପ୍‌କୁ ଯାଞ୍ଚ ଲାଗି ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ପଠାଇଛି। ସେଠାରୁ ସବିଶେଷ ତଥ୍ୟ ମିଳିବ ବୋଲି ଆଶା ରଖିଛି। କେବଳ ଲାପଟପ୍ ନୁହେଁ; ବିରଞ୍ଚି ବ୍ୟବହାର କରୁଥିବା ପ୍ରାୟ ୪ଟି ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି। ସେଥିରୁ କରାଯାଇଥିବା ମେସେଜ୍, ମୋବାଇଲ ଗ୍ୟାଲେରିର ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏହାସହିତ ହ୍ବାଟ୍‌ସଆପ୍ କଲିଂ ଓ ମେସେଜ୍‌ର ତଥ୍ୟ ପାଇବା ପାଇଁ ହ୍ବାଟ୍‌ସଆପକୁ ଚିଠି ଲେଖାଯିବ ବୋଲି ସୂଚନା ମିଳିଛି। ବିରଞ୍ଚି କାହା ସହ ଯୋଗାଯୋଗରେ ରହୁଥିଲେ, କେଉଁ କେଉଁ ନମ୍ବରକୁ ଅଧିକ କଲ୍ କରୁଥିଲେ, ଆଡମିଟ୍ କାର୍ଡ ମିଳିଥିବା ପରୀକ୍ଷାର୍ଥୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି କି ନାହିଁ; ତାହା ଜାଣିବା ଲାଗି ସମ୍ପୃକ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାରୁ କଲ୍ ଡିଟେଲ୍ସ ରେକର୍ଡ(ସିଡିଆର୍‌) ମଧ୍ୟ ମଗାଯାଇଛି। ଏଥିରୁ ଭିଜିଲାନ୍ସ କେତେ ପ୍ରମାଣ ପାଇ ପାରୁଛି ଓ ଚାକିରି କେଳେଙ୍କାରିର ଗୁମର ଖୋଲିପାରୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର