ପ୍ରବାସରେ ଆମ ଓଡ଼ିଆ ଭାଇଭଉଣୀ

‘ସମ୍ବାଦ’ ପୃଷ୍ଠାରେ ସ୍ବତନ୍ତ୍ର ସ୍ତମ୍ଭ

ବିଶ୍ବର କୋଣ ଅନୁକୋଣରେ ଲକ୍ଷଲକ୍ଷ ସଂଖ୍ୟାରେ ଓଡ଼ିଆ ଲୋକେ ସଗର୍ବେ ବାସ କରୁଛନ୍ତି। କିଏ ଭାରତର ଅନ୍ୟ ରାଜ୍ୟରେ ତ ଆଉ ପୁଣି କିଏ ଦେଶ ବାହାରେ ରହୁଛନ୍ତି।। କିଏ ଉଚ୍ଚଶିକ୍ଷା ପାଇଁ ତ ଆଉ ପୁଣି କିଏ ଜୀବିକା ଅନ୍ବେଷଣରେ ଗୋଡ଼ କାଢ଼ିଛନ୍ତି। କିଏ ନିଜ ପ୍ରତିଭା ବିସ୍ତାରିତ କରିବାକୁ ତ ଆଉ ପୁଣି କିଏ ବିଶ୍ବାୟନର ଡାକରାରେ ନିଜ କାୟା ବିସ୍ତାର କରିଛନ୍ତି ବିଦେଶରେ। ସେ ଚେନ୍ନାଇ ହେଉ କି ନୂଆଦିଲ୍ଲୀ, ସେ ସୁରତ ହେଉ କି ବେଙ୍ଗାଲୁରୁ, ସବୁଠି ଓଡ଼ିଆ ଛାପ ଜଳଜଳ। ସେ ଆମେରିକା ହେଉ କି ସାଉଦି ଆରବ, ସେ କାନାଡ଼ା ହେଉ କି ସ୍ବିଡେନ୍; ଏ ଭୂପୃଷ୍ଠରେ ଏମିତି ଦେଶ ନଥିବ ଯେଉଁଠି ଓଡ଼ିଆ ପରିବାର ନିଜ ଛାପ ଛାଡ଼ିନଥିବେ। ବଡ଼ କଥା ହେଉଛି, ନିଜ ରାଇଜଠାରୁ ଯେତେ ଦୂରରେ ରହିଲେ ମଧ୍ୟ ଆମ ଓଡ଼ିଆ ଭାଇଭଉଣୀମାନେ ଓଡ଼ିଆ ଜନଜୀବନ ଭୁଲିନାହାନ୍ତି। ମାତୃଭୂମି ଓଡ଼ିଶା ସହ ଆତ୍ମିକ ଓ ଆବେଗିକ ସମ୍ପର୍କର ରଜ୍ଜୁରେ ବନ୍ଧା ହୋଇରହିଛନ୍ତି। ସେ ରଥଯାତ୍ରା ହେଉ ବା ନୂଆଁଖାଇ, ସାମାନ୍ୟତମ ସୁଯୋଗ ପାଇଲେ ବିଦେଶ ଭୂଇଁରେ ଓଡ଼ିଆ ଅସ୍ମିତାକୁ ଜାହିର କରନ୍ତି ସେମାନେ। ବିଦେଶୀ ଚଳଣି ସହ ଅଭ୍ୟସ୍ତ ହୋଇଥିଲେ ମଧ୍ୟ ବେଶପୋଷାକ, ଖାଦ୍ୟପେୟ ଓ ଆଚାର ବ୍ୟବହାରରେ ନିଜ ରାଇଜର ଛାପ ସ୍ପଷ୍ଟ ବାରିହୁଏ ସେମାନଙ୍କଠାରେ। ଇଣ୍ଟରନେଟ୍‌ ଯୁଗରେ ତ ସେମାନେ ଦୂରରେ ଥାଇ ମଧ୍ୟ ଅତି ପାଖରେ! ଏପରିକି ସ୍ଥଳ ବିଶେଷରେ ଓଡ଼ିଶାରେ ରହୁଥିବା ଓଡ଼ିଶାବାସୀଙ୍କ ଅପେକ୍ଷା ସେମାନଙ୍କ ଭିତରୁ ଅନେକ ଓଡ଼ିଶାର ଖବର ଆଗ ଜାଣନ୍ତି।

ଓଡ଼ିଶାରେ ନରହି ମଧ୍ୟ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଜୀବନକୁ ରୁଦ୍ଧିମନ୍ତ କରିବାର ନିରନ୍ତର ଚେଷ୍ଟାରେ ଥିବା ସେଇ ପ୍ରବାସୀ ଓଡ଼ିଆମାନଙ୍କ ହାଲ୍‌ଚାଲ୍ ବୁଝିବା ମଧ୍ୟ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଏଥିପାଇଁ ‘ସମ୍ବାଦ’ ପୃଷ୍ଠାରେ ଏକ ସ୍ବତନ୍ତ୍ର ସ୍ତମ୍ଭର ପରିକଳ୍ପନା କରାଯାଇଛି। ଦେଶବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଖବର ନିୟମିତ ଉକ୍ତ ସ୍ତମ୍ଭରେ ପ୍ରକାଶ ପାଇବ।

ପ୍ରବାସୀ ଓଡ଼ିଆମାନେ ୯୦୭୮୯୮୭୫୦୩ ହ୍ବାଟ୍ସଆପ୍ ନମ୍ବରରେ କିମ୍ବା [email protected] ଇ-ମେଲ୍‌ ଆଇଡିରେ ଫଟୋ, ଭିଡିଓ ସହ ଖବର ପଠାଇପାରିବେ। ଫଟୋ ସହ ଖବରମାନ ‘ସମ୍ବାଦ’ର ମୁଦ୍ରିତ/ଇପେପର୍‌ ସଂସ୍କରଣରେ ପ୍ରକାଶ କରାଯିବାର ବ୍ୟବସ୍ଥା କରାଯିବ। ସେଗୁଡ଼ିକ ସହ ଭିଡିଓଗୁଡ଼ିକୁ ମଧ୍ୟ ଆମ ଡିଜିଟାଲ୍ ମାଧ୍ୟମ sambad.in ଜରିଆରେ ପ୍ରସାରଣର ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର