ମରୁଡ଼ିର ଛାୟାରେ ଚାଷୀକୁ ଇନ୍ଦ୍ରଦେବ ଭରସା, ଭଲ ବର୍ଷା ଆଶାରେ ବେଙ୍ଗ-ବେଙ୍ଗୁଲି ବାହାଘର

ସମ୍ବଲପୁର: ଦିନକ ପରେ ବିଦାୟ ନେବ ଶ୍ରାବଣ। ଆଉ ମାତ୍ର କେଇ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆସିବ। ପରଂପରା ଅନୁଯାୟୀ ଧରଣୀ ପେନୁ ଏବଂ ଇଷ୍ଟଦେବୀଙ୍କ ପାଖରେ ଚାଷୀ ନୂଆ ଧାନ ଅର୍ପଣ କରିବ। ହେଲେ ନୂଆ ଧାନ ଆସିବ କଣ ରୁଆବିହୁଡ଼ା ବି ଠକ୍‌ରେ ହୋଇ ପାରିନି। ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି। ଆଶାଢ଼ ପରେ ଶ୍ରାବଣରେ ଏବେ ବର୍ଷା ନିଖୋଜ। ଏଭଳି ସ୍ଥିତିରେ ଖରିପ୍‌ ଚାଷ ଉଜୁଡ଼ିବା ବେଳକୁ ଅନ୍ୟ ଉପାୟ ନପାଇ ଚାଷୀ ଇନ୍ଦ୍ର ଦେବତାଙ୍କ ଶରଣାପନ୍ନ ହୋଇଛି।

ପରଂପରା ଅନୁଯାୟୀ ବେଙ୍ଗବେଙ୍ଗୁଲି ବିବାହ ଉତ୍ସବ ସହ ଇନ୍ଦ୍ର ଦେବତାଙ୍କୁ ଆବାହନ କରାଯାଇଛି। ଏଭଳି ଦେଖିବାକୁ ମିଳିଛି ଜମନକିରା ବ୍ଲକ୍‌ ଡିମିରିମୁଣ୍ଡା ଗାଁରେଯ ଗାଁର ରାଧାକୃଷ୍ଣ ମନ୍ଦିର ଯଜ୍ଞ ମଣ୍ଡପରେ। ଶୁକ୍ରବାର ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରା ଯାଇଥିଲା। ୫ ଦିନ ପୂର୍ବରୁ ସେଠାରେ ବେଙ୍ଗବେଙ୍ଗୁଲିଙ୍କ ବାହାଘର କରା ଯାଇଥିଲା। ହୋମଯଜ୍ଞ କରି ଇନ୍ଦ୍ରଙ୍କୁ ୧୦୮ ଆହୂତି ଦିଆ ଯାଇଥିଲା। ଅନାବୃଷ୍ଟି ହେତୁ ଶୃଂଗ ଋଷିଙ୍କୁ ଆହ୍ଵାନ କରା ଯାଇଥିଲା। ହୋମଯଜ୍ଞରେ ଶରତ ପଲେଇ ଏବଂ ତାଙ୍କ ପତ୍ନୀ ପୂର୍ଣ୍ଣାହୂତି ଦେଇଥିବାବେଳେ ଏହାକୁ ସୁଦାମା ମିଶ୍ର ଏବଂ ଜୟନ୍ତ ଶର୍ମା ପରିଚାଳନା କରିଥିଲେ। ଗାଁ’ର ସଂଜୟ ମହାକୁଳଙ୍କ ତତ୍ତ୍ୱାବଧାନରେ ଅତୁଲ୍ୟ ବେହେରା, ବୋଧରାୟ ମହାକୁଳ, ଶ୍ରୀକାନ୍ତ କିସାନ, ନେତ୍ରା ମାଝୀ, ଭୂବନ ସିଂହ, ପବିତ୍ର ଜୟପୁରିଆ, ଅଲେଖ ମହାକୁଳ, ସୁଜ୍ଞାନୀ ବେହେରା, ସରୋଜ ବେହେରା, ଶଶିଭୂଷଣ ବେଇ, ରବୀନ୍ଦ୍ର ପଲେଇ, ଶରତ ବେହେରା, ଉତ୍ତମ ବେହେରା, ଆଦିତ୍ୟ ବେହେରା, ସନାତନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରାୟ ୨୫ ଦିନରୁ ଅଧିକ ହେବ ତାଙ୍କ ଅଞ୍ଚଳରେ ବର୍ଷା ହୋଇ ନାହିଁ। ଫଳରେ ଚାଷ କାମ ଗୁରୁତର ଭାବେ ବାଧାପ୍ରାପ୍ତ ହେଲାଣି। ପହ୍ଲା ଗୁଡ଼ିକ ନଷ୍ଟ ହୋଇ ଗଲାଣି। ବିହୁଡ଼ା ହୋଇ ପାରିନି। ତେଣୁ ତୁରନ୍ତ ବର୍ଷା ନହେଲେ ଏଥର ଆଉ ଚାଷ ହୋଇ ପାରିବ ନାହିଁ ବୋଲି କହି ସେମାନେ ପୂଜାପାଠ ଉପରେ ଆଶରା କରିଛନ୍ତି।

ସମ୍ବନ୍ଧିତ ଖବର