ଓଡ଼ିଶା ଗସ୍ତ ସାରି ଫେରିଲେ ରେଳମନ୍ତ୍ରୀ, ବନ୍ଦରକୁ ବଢ଼ିବ ରେଳ ସଂଯୋଗ

ତ୍ବରାନ୍ବିତ ‌ହେବ ଖୋ‌ର୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ
ଭୁବନେଶ୍ବର ରେଳ ଷ୍ଟେସନର ବିକାଶ ନେଇ ସମୀକ୍ଷା
ରାୟଗଡ଼ା ରେଳ ଡିଭିଜନ୍‌କୁ ପ୍ରାଥମିକତା

ଭୁବନେଶ୍ବର : ପାଞ୍ଚ ଦିନିଆ ଓଡ଼ିଶା ଗସ୍ତ ଶେଷ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ନୂଆଦିଲ୍ଲୀ ଫେରି ଯାଇଛନ୍ତି। ତା’ପୂର୍ବରୁ ଖୋର୍ଦ୍ଧାରୋଡ ରେଳମଣ୍ଡଳର ରେଳବାଇ ପ୍ରବନ୍ଧକଙ୍କ ସହ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ବିଶେଷକରି ପାରାଦୀପ, ଗୋପାଳପୁର, ଧାମରା ଆଦି ବନ୍ଦରକୁ କିଭଳି ଅଧିକ ରେଳ ସଂଯୋଗ ହୋଇପାରିବ ସେନେଇ ରେଳମନ୍ତ୍ରୀ ପ୍ରାଥମିକତା ଦେଇଛନ୍ତି। ଏହିସବୁ ସହରରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକର ସ୍ଥିତି, ଆବଶ୍ୟକତା ଆଦି ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କାର୍ଯ୍ୟର ସମୀକ୍ଷା କରି କାର୍ଯ୍ୟ କେତେ ବାଟ ଆଗେଇଛି, ଆଉ କ’ଣ ଆବଶ୍ୟକତା ରହିଛି, ପ୍ରକଳ୍ପ ବିକଳ୍ପ ହେବାର କାରଣ ଆଦି ବିଷୟରେ ରେଳମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ବଲାଙ୍ଗୀର ଓ ଭବାନୀପାଟଣା ଗସ୍ତ ନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି। ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯାଉଛି। ଯାହାକି ଖୁବ୍‌ଶୀଘ୍ର ଶେଷ ହେବ। ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ/ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଓଡ଼ିଶାର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଅଂଶୀଦାର ତଥା ସଂସ୍ଥାମାନଙ୍କ ସହଯୋଗ ଆବଶ୍ୟକ। ସେହିପରି ବଲାଙ୍ଗୀର-ନୂଆପଡା ରେଳ ଲାଇନ ଦାବି ସମ୍ପର୍କରେ ସେ କହିଛନ୍ତି ଯେ ଉପଯୁକ୍ତ ସ୍ତରରେ ଏହାର ସମୀକ୍ଷା କରାଯିବ। ନର୍ଲାରେ ଲୋକୋ ମରାମତିକୁ ପ୍ରାଥମିକତା ଦିଆଯିବ। ରାୟଗଡ଼ା ରେଳ ଡିଭିଜନ୍‌ ନେଇ ସମୀକ୍ଷା ହୋଇଛି। ନକ୍ସା ଦେଖିବା ସହ ଏହି ଡିଭିଜନ୍‌ର ଆବଶ୍ୟକତା ସମ୍ପର୍କରେ ଅନୁଧ୍ୟାନ କରିଛି। ଯେତେଶୀଘ୍ର ସମ୍ଭବ ପରବର୍ତୀ ପଦକ୍ଷେପ ନିଆଯିବ।

India Rail Info

ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକ୍‌ମ୍ୟାନଙ୍କ ସହ କଥାବାର୍ତ୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ରେଳମନ୍ତ୍ରୀ ପ୍ରଶଂସା କରିଥିଲେ। ବଲାଙ୍ଗୀର ଷ୍ଟେସନଠାରେ ମହିଳା ପ୍ରତୀକ୍ଷାଳୟକୁ ଯାଞ୍ଚ କରି ଯାତ୍ରୀ ପରିସେବା ଯାଞ୍ଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ୩ ନମ୍ବର ପ୍ଲାଟଫର୍ମର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିବା ସହ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରିଛନ୍ତି। ଦ୍ବିତୀୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଞ୍ଚ କରିବା, ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ। ଏହାବ୍ୟତୀତ ଷ୍ଟେସନରେ ଚା’ ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲ୍‌ଗୁଡ଼ିକୁ ଯାଇ ନିରୀକ୍ଷଣ କରିବା ସହ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଞ୍ଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ବବୋଧ ରହିବା ଉଚିତ ବୋଲି ବୁଝାଇଥିଲେ।

ଓଡ଼ିଶାର ପଛୁଆ ଅଞ୍ଚଳ ଯଥା ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହ ଅନୁନ୍ନତ ତଥା ପଛୁଆ ଅଞ୍ଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସେ କେବିକେ ଅଞ୍ଚଳ ବୁଲି ବିଭିନ୍ନ ସମ୍ପର୍କରେ ଅବଗତ ହୋଇଛି। ଏହି ଅଞ୍ଚଳର ବିକାଶ ସହ ସମସ୍ୟାଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର