ଜେଏମଏମରେ ପଦାକୁ ଆସିଲା ଅନ୍ତଃକନ୍ଦଳ, ଦଳରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍

ଲମ୍ବିବ ଇସ୍ତଫା ସୂଚୀ, ଧନୁ ତୀର ଛାଡ଼ିବେ ଏକାଧିକ ବରିଷ୍ଠ ନେତା

ବାରିପଦା: ରାମଙ୍କ ପାଇଁ ଗଲେ ମହେଶ। ଶେଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ରେ ଥିବା ଅନ୍ତଃକନ୍ଦଳ ପଦାକୁ ଆସିଛି। ଆଉ ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ଉପସଭାପତି ଦାୟିତ୍ବରେ ଥିବା ମହେଶ ହେମ୍ବ୍ରମ୍। ଏକଦା ଜିଲ୍ଲାରେ ଜେଏମଏମର ମୁଖ୍ୟ ଭୂମିକାରେ ଥିବା ମହେଶ ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ସଭାପତି ପଦରୁ ଉପସଭାପତି ପଦକୁ ଖସେଇ ଦିଆଯିବା ଏବଂ ପରେ ଅଣଦେଖା ସହିତ ଦଳୀୟ ନିଷ୍ପତ୍ତିରେ ସାମିଲ ନକରିବା ଆଦି ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି ମହେଶ। ଇସ୍ତଫା ଦେବା ପରେ ଦଳ ବିରୋଧରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ମହେଶ। ଦଳରେ ଆଉ ପୂର୍ବଭଳି ସାଂଗଠନିକ ବିଚାରଧାରା ନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନିଷ୍ପତ୍ତି ନିଆଯାଉଛି। ଓଡ଼ିଶାରେ କଂଗ୍ରେସ୍ ସହିତ ମେଣ୍ଟ ହୋଇଥିବାବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ସହିତ ନରହି ଟିଏମସିକୁ ସମର୍ଥନ କରିବା ଏକ ପ୍ରମୁଖ ଉଦାହରଣ।

ଏହି ଅବସରରେ ଜେଏମଏମର ସୁପ୍ରିମୋ ଶିବୁ ସୋରେନଙ୍କ ପୁତ୍ର ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଦଳକୁ ଅନ୍ୟାନ୍ୟ ରାଜ୍ୟରେ ଆଗକୁ ନବଢ଼ାଇବାର ଅଭିଯୋଗ ଆଣିଛନ୍ତି ମହେଶ। ହେମନ୍ତ ସୋରେନ୍ ଜେଏମଏମକୁ କେବଳ ଝାଡ଼ଖଣ୍ଡରେ ସିମୀତ ରଖିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ମହେଶ। ନଚେତ୍ ଓଡ଼ିଶାରେ ଦଳର ମୁଖ୍ୟ ସ୍ଥଳ କୁହାଯାଉଥିବା ମୟୂରଭଞ୍ଜର ପୁରୁଣା ନେତାଙ୍କୁ ଏପରି ଅଣଦେଖା କରାଯାଇନଥାଆନ୍ତା। ମହେଶଙ୍କ ସହିତ ଆଉ ଜଣେ ଉପସଭାପତି ତଥା ସୁନ୍ଦରଗଡ଼ର ନେତା ସେବିଆ ଆଇନ୍ସ ମଧ୍ୟ ଦଳର ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପର୍ବ ଆହୁରି ଲମ୍ବିବା ଜଣାପଡ଼ିଛି। ମହେଶଙ୍କ ସହିତ ତାଙ୍କ ସମର୍ଥକ କୁହାଯାଉଥିବା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଜଣେ ଟାଣୁଆ ନେତା ରାମଚନ୍ଦ୍ର ମୁର୍ମୁ, ଗୋବିନ୍ଦ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦା, ସୁନୀଲ ହାଁସଦା ପ୍ରମୁଖ ମଧ୍ୟ ଧନୁ ତୀର ଛାଡ଼ିବାର ଯୋଜନା ରହିଥିବା ମହେଶ ପରୋକ୍ଷରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଜେଏମଏମରେ ଯୋଗଦେବା ପରେ ଦଳରେ ଏପରି ଅସନ୍ତୋଷ ଦେଖାଯାଇଥିଲା।

ଏପରିକି ରାମଙ୍କ ମିଶ୍ରଣ ପରେ ମହେଶଙ୍କ ନେତୃତ୍ବରେ ଏକାଧିକ ନେତୃମଣ୍ଡଳୀ ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃତ୍ବଙ୍କ ନିଷ୍ପତିକୁ ନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ। ମହେଶ ବିଜେଡିରେ ମିଶିବା ନେଇ ଶୀର୍ଷ ନେତୃତ୍ବଙ୍କ ସହିତ ଯୋଗାଯୋଗରେ ଥିବା ମଧ୍ୟ କୁହାଯାଉଥିଲା। ମାତ୍ର କିଛିଦିନ ପରେ ହିଁ ମହେଶ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାମଚନ୍ଦ୍ର ହାଁସଦା ଜେଏମଏମରେ ମିଶିବା ପରେ ତାଙ୍କୁ ଦଳ ଗୁରୁତ୍ବ ଦେଉଥିବା ପରିଲକ୍ଷିତ ହୋଇଛି। ତେବେ ମହେଶଙ୍କ ଇସ୍ତଫା ଦଳର ସାଂଗଠନିକ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଜେଏମଏମ ମୟୂରଭଞ୍ଜ-୧ ଜିଲ୍ଲା ସଭାପତି ପ୍ରଭୂଦାନ ମାର୍ଣ୍ଡି ପ୍ରକାଶ କରିଛନ୍ତି। ଦଳ ଏହାର କାର୍ଯ୍ୟକ୍ରମ ଜାରି ରଖିଛି। ତୃଣମୂଳସ୍ତରରେ ଦଳକୁ ମଜଭୁତ୍ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମଗ୍ର ରାଜ୍ୟରେ ସଂଗଠନକୁ ବିସ୍ତାର କରିବ ବୋଲି ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି। ମହେଶଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ଶିବୁ ସୋରେନଙ୍କ କନ୍ୟା ତଥା ପୂର୍ବତନ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନ୍ ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି। ବର୍ତ୍ତମାନ ଦଳର ଭାର ଅଞ୍ଜନୀଙ୍କ ଉପରେ ନ୍ୟସ୍ତ। ମହେଶ ଏହା ପରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର