ନିତି ଆୟୋଗର ସୁପାରିସ : ସମସ୍ତ ସାର୍ବଜନୀନ ପାର୍କିଂରେ ଚାର୍ଜିଂ ଷ୍ଟେସନ୍‌ କରାଯାଉ

ନୂଆଦିଲ୍ଲୀ: ଇଲେକଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍‌ ଜରୁରୀ ହୋଇଥିବାରୁ ସମସ୍ତ ସାର୍ବଜନୀନ ପାର୍କିଂରେ ଚାର୍ଜିଂ ଷ୍ଟେସନ୍‌ କରାଯାଉ ବୋଲି ନିତି ଆୟୋଗ ସୁପାରିସ କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶା ସମେତ  ଦେଶର ବିଭିନ୍ନ ରାଜ୍ୟରେ ଦୁଇ ହଜାରରୁ କିଛି ଅଧିକ ଚାର୍ଜିଂ ଷ୍ଟେସନ୍‌ ସ୍ଥାପିତ ହୋଇପାରିଛି। ଅପରପକ୍ଷେ, ନିତି ଆୟୋଗ ପକ୍ଷରୁ ଦେଶରେ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ କରିବା କ୍ଷେତ୍ରରେ ତତ୍ପରତା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଯାହାଫଳରେ ଆବଶ୍ୟକ ଅନୁସାରେ ଇଲେକଟ୍ରିକ୍‌ ଯାନଗୁଡିକୁ ଚାର୍ଜ କରାଯାଇପାରିବ। ନିତି ଆୟୋଗଦ୍ବାରା ପ୍ରସ୍ତୁତ ଯୋଜନାରେ ସାର୍ବଜନୀନ, ଅର୍ଦ୍ଧ-ସାର୍ବଜନୀନ ଏବଂ ଘରୋଇ(ପ୍ରାଇଭେଟ୍‌) ସ୍ଥାନରେ ଚାର୍ଜିଂ ଷ୍ଟେସନ୍‌ଗୁଡିକର ସ୍ଥାପନ ପାଇଁ ସୁପାରିସ କରାଯାଇଛି।

Image Courtesy of ET Auto

ନିତି ଆୟୋଗ କହିବା ଅନୁସାରେ, ସମସ୍ତ ସହରର ନଗରପାଳିକାମାନଙ୍କରେ ପାର୍କିଂ ନୀତିରେ ସୁଧାର ଆଣିବା ଆବଶ୍ୟକ। ଯାହାଦ୍ବାରା ସହରର ସମସ୍ତ ପାର୍କିଂରେ ଚାର୍ଜିଂ ସୁବିଧା ସ୍ଥାପନ କରାଯାଇପାରିବ। ନୂଆ କରି ନିର୍ମାଣ ହେଉଥିବା ସମସ୍ତ ଭବନମାନଙ୍କରେ ଚାର୍ଜିଂ ସୁବିଧାକୁ ଅନିବାର୍ଯ୍ୟ କରିବା ପାଇଁ ନିତି ଆୟୋଗ ସୁପାରିସ କରିଛି। ପୁରୁଣା ଭବନଗୁଡିକରେ ମଧ୍ୟ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ ପାଇଁ ଏଥିରେ ସୁପାରିସ କରାଯାଇଛି। ନଗର ନିଗମ ତଥା ସହରୀ ବିକାଶ ପ୍ରାଧିକରଣ ଭଳି ଏଜେନ୍ସିମାନେ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ କରିବା ପାଇଁ ଘରୋଇ ଅପରେଟର୍‌ମାନଙ୍କ ସହ ବୁଝାମଣା କରି ଜମି ପ୍ରଦାନ କରି ପାରିବେ।

ନିତି ଆୟୋଗଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ହ୍ୟାଣ୍ଡ୍‌ବୁକ୍ ଅଫ ଇଲେକଟ୍ରିକ୍‌ ଭେଇକ୍ଲ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର୍‌ ଇଂମପ୍ଲିମେଣ୍ଟେସନ୍’ ପୁସ୍ତିକାରେ ଦେଶର ବିଭିନ୍ନ ରାଜ୍ୟରେ ଚାର୍ଜିଂ ଷ୍ଟେସନ୍‌ ପାଇଁ ନିର୍ଦ୍ଧାରଣ କରାଯାଇଥିବା ବିଜୁଳି ଦର ତାଲିକାରେ ଓଡ଼ିଶାରେ ପ୍ରତି କିଲୋୱାଟ୍‌ ପିଛା ଟ. ୪ .୨୦ ପଇସାରୁ ଟ. ୫. ୭୦ ପଇସା ରହିଥିବାର ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର