ପଞ୍ଚମ ଟେଷ୍ଟ୍‌ ପାଇଁ ଇଂଲଣ୍ଡ ଦଳକୁ ଫେରିଲେ ବଟଲର୍‌ ଓ ଲିଚ୍‌

ମାଞ୍ଚେଷ୍ଟର୍‌: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଏଠାରେ ଖେଳାଯିବ। ପ୍ରଥମ ଟେଷ୍ଟ୍‌ ଶେଷ ଦିନର ବର୍ଷା ଯୋଗୁଁ ଅମୀମାଂସିତ ରହିଥିଲା ବେଳେ ପରବର୍ତୀ ତିନିଟିଯାକ ଟେଷ୍ଟ୍‌ରୁ ଫଳ ବାହାରିଯାଇଛି। ଏଥିରୁ ଦ୍ବିତୀୟ (ଲର୍ଡସ) ଓ ଚତୁର୍ଥ (ଦି ଓଭାଲ) ଟେଷ୍ଟ୍‌କୁ ଭାରତ ଜିତିଥିଲା ବେଳେ ତୃତୀୟ (ଲିଡ୍‌ସ) ଟେଷ୍ଟ୍‌କୁ ଘରୋଇ ଦଳ ଜିତିଥିଲା। ଫଳରେ ଶେଷ ଟେଷ୍ଟ୍‌ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ୨-୧ରେ ଆଗୁଆ ରହି ଶୃଙ୍ଖଳା ପରାଜୟ ଏଡାଇସାରିଛି। ପଞ୍ଚମ ତଥା ଶେଷ ଟେଷ୍ଟ୍‌କୁ ଅତି କମ୍‌ରେ ଅମୀମାଂସିତ ରଖିପାରିଲେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଜିତିନେବ। ନଚେତ୍‌ ହାରିଲେ ବି ଶୃଙ୍ଖଳା ପରାଜୟର ଭୟ ରହିବନି। ଓଭାଲ୍‌ରେ ଚତୁର୍ଥ ଟେଷ୍ଟ୍‌ରେ ପ୍ରଥମ ପାଳି ପାଖାପାଖି ୧୦୦ ରନ୍‌ ଅଗ୍ରଣୀ ପାଇବା ସତ୍ତ୍ବେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଘରୋଇ ଦଳ ବଡ଼ ବ୍ୟବଧାନରେ ପରାଜୟ ଭୋଗିଲା। ଏପରିକି ୨୦୦୭ ପରଠୁ ଘରୋଇ ମାଟିରେ ଆଦୌ ଟେଷ୍ଟ୍‌ ଶୃଙ୍ଖଳା ହାରିନଥିବା ଇଂଲଣ୍ଡ ୧୪ ବର୍ଷ ପରେ ଘରୋଇ ଶୃଙ୍ଖଳା ହାରିବା ଭୟରେ ଚାପରେ ପଡ଼ିଯାଇଛି।

କୌଣସିମତେ ପଞ୍ଚମ ଟେଷ୍ଟ୍‌କୁ ଜିତି ଶୃଙ୍ଖଳା ବଞ୍ଚାଇବା ଚିନ୍ତାରେ ପଡ଼ିଛି। ଏପରିସ୍ଥଳେ ଇଂଲଣ୍ଡ ମଙ୍ଗଳବାର ଶେଷ ଟେଷ୍ଟ୍‌ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଥିଲା ବେଳେ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍‌ଲର ଏବଂ ବାମହାତୀ ସ୍ପିନର ଜାକ୍‌ ଲିଚ୍‌ଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି। ନିଜର ଦ୍ବିତୀୟ ସନ୍ତାନ ଜନ୍ମ ପାଇଁ ବଟ୍‌ଲର ଚତୁର୍ଥ ଟେଷ୍ଟ୍‌ରୁ ବଞ୍ଚିତ ରହିଥିଲେ। ସେହିପରି ଚତୁର୍ଥ ଟେଷ୍ଟ୍‌ ଦଳରେ ସାମିଲ ଥିବା ବ୍ୟାଟ୍‌ସମ୍ୟାନ୍‌ ସାମ୍‌ ବିଲିଙ୍ଗ୍‌ସ କେଣ୍ଟ୍‌ ଦଳକୁ ଫେରିଯାଇଛନ୍ତି ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ଇସିବି କହିଛି। ଅନ୍ୟପକ୍ଷରେ ଶୃ୍ଙ୍ଖଳାରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିବା ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ୪ ମ୍ୟାଚ୍‌ ଖେଳିସାରିଥିବାରୁ ତାଙ୍କୁ ବିଶ୍ରାମ ଦେବାକୁ ଇଂଲଣ୍ଡ ଯୋଜନା କରୁଥିଲା ବେଳେ ଦ୍ରୁତତମ ବୋଲରର ମାନ୍ୟତା ଲାଭ କରିଥିବା ମାର୍କ ଉଡ୍‌ ପୁନର୍ବାର ସୁଯୋଗ ପାଇବା ସମ୍ଭାବନା ରହିଛି। ବିଶେଷକରି ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫୋର୍ଡ ପିଚ୍‌ ରିଭର୍ସ ସୁଇଙ୍ଗ୍‌ ନେବାର ସମ୍ଭାବନା ଅଧିକ ଥିବାରୁ ଉଡ୍‌ ଦଳର ଶକ୍ତି ବୃଦ୍ଧି କରିପାରିବେ ବୋଲି କହିଛନ୍ତି ଘରୋଇ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍‌ ସିଲ୍‌ଭରଉଡ୍‌। କିନ୍ତୁ ଓଲ୍‌ଡ ଟ୍ରାଫୋର୍ଡ ଆଣ୍ଡରସନ୍‌ଙ୍କ ଘରୋଇ ଷ୍ଟାଡିୟମ୍‌ ହୋଇଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌ଦେବା ନେଇ ଦଳ ଦ୍ବନ୍ଦ୍ବରେ ରହିଛି।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ମୋଇନ ଅଲ୍ଲୀ, ଜେମ୍‌ସ ଆଣ୍ଡରସନ୍‌, ଜୋନାଥନ୍‌ ବେୟାରଷ୍ଟୋ, ରୋରି ବର୍ଣ୍ଣସ, ଜୋସ୍‌ ବଟ୍‌ଲର (ୱିକେଟ୍‌ରକ୍ଷକ), ସାମ୍‌ କରନ, ହସିବ୍‌ ହମିଦ୍‌, ଡାନ୍‌ ଲରେନ୍ସ, ଜାକ୍‌ ଲିଚ୍‌, ଦାୱିଦ୍‌ ମଲାନ, କ୍ରେଗ୍‌ ଓଭରଟନ୍‌, ଓଲି ପୋପ୍‌, ଓଲି ରବିନ୍‌ସନ୍‌, କ୍ରିସ୍‌ ୱକ୍ସ ଏବଂ ମାର୍କ ଉଡ୍‌।

ସମ୍ବନ୍ଧିତ ଖବର