ଫ୍ଲାଏଓଭର ଉପରେ ଚଢ଼ି ଆତ୍ମହତ୍ୟା କରୁଥିବା ଯୁବକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଆଣ୍ଡ୍ରିୟୁଜ ଗଞ୍ଜ ଫ୍ଲାଏଓଭର ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ ପୁଲିସ ଦେବଦୂତ ସାଜି ବଞ୍ଚାଇ ଦେଇଛି। ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ଉତ୍ତରାଖଣ୍ଡ ଅମରୋହା ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଜଗତ ସିଂହ ବିଷ୍ଟ, ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତିରେ ଫ୍ଲାଏଓଭରର ରେଲିଂ ଉପରେ ଚଢ଼ି ଜଗତ ସିଂହ ବିଷ୍ଟ କାନ୍ଦିକାନ୍ଦି ଚିତ୍କାର କରି କହୁଥିଲେ, ‘ମୁଁ ମରିବାକୁ ଚାହେଁ, ମୋର ଜୀବନ ପ୍ରତି ନିରାଶ ଆସି ଗଲାଣି। ଆଉ ବଞ୍ଚିବାର ଇଚ୍ଛା ନାହିଁ।’

ଯୁବକଙ୍କ ଏଭଳି ଚିତ୍କାର ଶୁଣି ସେହି ରାସ୍ତା ଦେଇ ଯାଉଥିବା କିଛିଲୋକ ପୁଲିସ ଷ୍ଟେସନକୁ ଫୋନ କରି ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍‌ ଏବଂ ପୁଲିସର ଏକ ଟିମ୍‌ ପହଞ୍ଚି ଯାଇଥିଲା।

ଘଟଣାସ୍ଥଳରେ ପହଞ୍ଚି ପୁଲିସ ଅଧିକାରୀ ଆତ୍ମହତ୍ୟା କରିବାକୁ ଯାଉଥିବା ଜଗତ ସିଂହ ବିଷ୍ଟଙ୍କୁ କଥାରେ ବ୍ୟସ୍ତ ରଖି ତାଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲେ। ଆଉ ଧୀରେ ଧୀରେ ଫ୍ଲାଏଓଭର ବ୍ରିଜ ରେଲିଂ ଉପରୁ ତାଙ୍କୁ ଟାଣି ଆଣିଥିଲେ। ଆଉ ତାଙ୍କ ପରିବାରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଜଗତ ସିଂହ ବିଷ୍ଟଙ୍କୁ ବୁଝାସୁଝା କରି ଘରକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର