ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମିଛଧରା ପରୀକ୍ଷା ଖୋଲିବ କି ମୃତ୍ୟୁ ରହସ୍ୟ?

ଡିଏଫ୍ଓ, ରୋଷେୟାଙ୍କୁ ୩ ଘଣ୍ଟାରେ ଶହେ ପ୍ରଶ୍ନ, ବିଦ୍ୟାଭାରତୀଙ୍କର ମଧ୍ୟ ହେବ ପରୀକ୍ଷା

ଭୁବନେଶ୍ବର : ବିଦ୍ୟାଭାରତୀଙ୍କୁ କେବେଠାରୁ ଜାଣିଛନ୍ତି? ସୌମ୍ୟରଞ୍ଜନଙ୍କ ଘରକୁ ଆପଣ ଯିବା ଆସିବା କରନ୍ତି କି? ସୌମ୍ୟରଞ୍ଜନଙ୍କ ବାସଭବନକୁ କେତେ ଥର ଯାଇଛନ୍ତି? ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି କି? ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ବେଳେ ଆପଣ କେଉଁଠି ଥିଲେ? ସେ କେମିତି ନିଆଁରେ ପୋଡ଼ିଲେ ଜାଣିଛନ୍ତି କି? ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଉପସ୍ଥିତ ରହିବା କଣ ଜରୁରି ଥିଲା କି? ସୌମ୍ୟରଞ୍ଜନଙ୍କ ସହ କୌଣସି ତିକ୍ତତା ରହିଥିଲା କି? ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଶନିବାର ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ମିଛଧରା ପରୀକ୍ଷା (ଲାଇ ଡିଟେକ୍ସନ୍ ଟେଷ୍ଟ) କରାଯାଇଛି। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ଲାବରେଟୋରିରେ ଶନିବାର ମଧ୍ୟାହ୍ନରେ ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏହି ପରୀକ୍ଷାରେ ଡିଏଫ୍‌ଓଙ୍କୁ ଏଭଳି ପ୍ରଶ୍ନ ପଚରା ଯାଇଥିବା ଜଣାପଡ଼ିଛି। ତେବେ ଏସବୁ ପ୍ରଶ୍ନର ଉତ୍ତରରେ ଡିଏଫ୍‌ଓ କ’ଣ କହିଛନ୍ତି, ତାହାକୁ ଗୋପନ ରଖାଯାଇଛି। ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁର ଏତେ ଦିନ ପରେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଏହି ମିଛଧରା ପରୀକ୍ଷାରୁ ମିଳିଥିବା ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ୍‌ ରହସ୍ୟ ଭେଦ କରିପାରିବ ବୋଲି କୁହାଯାଉଛି। ଖୁବଶୀଘ୍ର ବିଦ୍ୟାଭାରତୀଙ୍କର ମଧ୍ୟ ମିଛଧରା ପରୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି।

ଖାଲି ସୌମ୍ୟରଞ୍ଜନ ନୁହନ୍ତି; ଆଜି ତାଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ମିଛଧରା ପରୀକ୍ଷା ହୋଇଛି। କ୍ରାଇମବ୍ରାଞ୍ଚ୍‌ର ତଦନ୍ତକାରୀ ଅଫିସରମାନେ ତାଙ୍କୁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଛନ୍ତି। ଡିଏଫ୍ଓ ସୌମ୍ୟରଞ୍ଜନଙ୍କ ଘରକୁ ଆସୁଥିଲେ କି? ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ ରହିଛି କି? ଘଟଣା ଦିନ ଡିଏଫ୍ଓ କେଉଁଠି ଥିଲେ? ବିଦ୍ୟାଭାରତୀ କେଉଁଠି ଥିଲେ? ନିଆଁ ଲାଗିବା ସମ୍ପର୍କରେ ଜାଣିଲେ କେମିତି? ଏମିତି ପୂର୍ବ ପ୍ରସ୍ତୁତି ହୋଇଥିବା ପ୍ରଶ୍ନ ଅନୁସାରେ ଗୁଡ଼ାଇତୁଡ଼ାଇ ଦୁଇ ଜଣଙ୍କୁ ଶହେରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।

କିନ୍ତୁ ଏହି ପରୀକ୍ଷାରୁ କଣ ନିର୍ଯାସ ବାହାରିଲା ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଅଧିକାରୀ ମୁହଁ ଖୋଲି ନାହାନ୍ତି। ଏପରିକି ମାମଲାର ୬୮ ଦିନ ପରେ ଅତ୍ୟନ୍ତ ଗୁପ୍ତ ଭାବରେ ଏହି ପରୀକ୍ଷା କରାଯାଇଛି। ଦୁଇ ଦଫାରେ ପୁଲିସ ସେମାନଙ୍କୁ ପଚରାଉଚରା କରି ସାରିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଜେରା କରିଛି। ଏତେ ଲମ୍ବା ତଦନ୍ତ, ଜେରା ପରେ ମଧ୍ୟ ମୃତ୍ୟୁ ରହସ୍ୟ ଉଠିପାରି ନ ଥିବାରୁ ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଦକ୍ଷତା ନେଇ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏପରିକି ପୁଲିସ ବା କ୍ରା‌ଇମବ୍ରଞ୍ଚେ ଉପରେ ସେମାନଙ୍କ ଭରସା ନ ଥିବା କହିବା ସହ ସିବିଆଇ ଦ୍ବାରା ତଦନ୍ତ କରାଇବାକୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ଏ ସଂପର୍କରେ ମତ ରଖି ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ପାରିପାର୍ଶ୍ବିକ ସ୍ଥିତି ସହ ଏହି ମାମଲାର ଲିଙ୍କ୍ ଖୋଜିବାକୁ ହେଲେ ଲାଇ ଡିଟେକ୍ସନ ଟେଷ୍ଟ ଏକ ପ୍ରକ୍ରିୟା। କିନ୍ତୁ ଏତେ ଦିନ ତଦନ୍ତକାରୀ ଟିମ୍ କୌଣସି ଖିଅ ପାଇ ନ ଥିବା ବେଳେ ଏହି ପରୀକ୍ଷା କେବଳ ଲୋକଲୋଚନରୁ ନଜର ହଟାଇବା ପାଇଁ କରାଯାଇ ଥାଇପାରେ। କ୍ରାଇମବ୍ରାଞ୍ଚ ଏହି ମାମଲା ଉପରୁ ପରଦା ଉଠାଇ ପାରିବ କି ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୨ ତାରିଖରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିଲା। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପାରଳାଖେମୁଣ୍ଡି ପୁଲିସ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର