ମହାନଦୀ ଟ୍ରାଜେଡି ! ହାତୀ ପାଇଁ ଜଳ ସମାଧି

ମହାନଦୀରେ ଫସି ଥିଲା ଦନ୍ତାହାତୀ। ଗୋଟିଏ ପାୱାର ବୋଟରେ ୫ ଜଣ ଓଡ୍ରାଫ ଯବାନ ଯାଇ ତାକୁ ସୁରକ୍ଷିତ ବାଟ ଦେଖାଇବାକୁ ଯୋଜନା କଲେ। ସାଙ୍ଗରେ ଗଲେ ଦୁଇ ଜଣ ସାମ୍ବାଦିକ। ଦନ୍ତାହାତୀଟି ତ ମରିଗଲା। କିନ୍ତୁ ରାଜ୍ୟର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କର ଏଭଳି ଘଟଣାରେ ଜୀବନ ଚାଲିଗଲା। ଓଡ୍ରାଫ୍‌ର ଜଣେ ଦକ୍ଷ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ ଅଛନ୍ତି। ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ଅବସ୍ଥାରେ ଜୀବନ ସହ ଲଢୁଛନ୍ତି। ଭରାନଈରେ ପଶି ପାର୍ ହେବାରେ ଅଭ୍ୟସ୍ତ ଦନ୍ତାହାତୀକୁ ବାଟ ଦେଖାଇବାର ଇଏ କ’ଣ ଥିଲା ଉପଯୁକ୍ତ ଯୋଜନା? କାହିଁକି ଏଭଳି ଢଙ୍ଗରେ ଚାଲିଗଲା ଏକ ବହୁମୂଲ୍ୟ ଜୀବନ? କାହିଁକି ସୃଷ୍ଟି ହେଲା ଏଭଳି ପରିସ୍ଥିତି? ମଣିଷ ମନକୁ ଆନ୍ଦୋଳିତ କଲା ଭଳି ଅନେକ ପ୍ରଶ୍ନ ଉଠୁଛି ଏବେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁକୁ ନେଇ….।

୫ଶହ ଲୋକଙ୍କୁ ଉଦ୍ଧାର କରିଥିଲେ ସୀତାରାମ
ସୀତାରାମ ମୁର୍ମୁ (୩୫) ଓଡ୍ରାଫ୍‌ର ଅଣ୍ଡର ୱାଟର ଡାଇଭର ଭାବେ ବେଶ୍‌ ଚର୍ଚ୍ଚିତ। ସେ ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିଥିବା ରେକର୍ଡ ରହିଛି ତାଙ୍କ ନାଁରେ। କିନ୍ତୁ ଘଟଣା ପରଠାରୁ ପାଣି ଭିତରେ ନିଖୋଜ ସେ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଛନ୍ତି। ପରିବାର କହିଲେ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ।

ଏମିତି ଘଟିଥିଲା ଦୁଃଖଦ ଘଟଣା…
ଦିନ ଗୋଟାଏ କୋଡିଏ ମିନିଟ୍‌ରେ ମୁଣ୍ଡଳୀ ଆନିକଟ ପାଖରେ ଫସି ରହିଥିବା ୨୦ ବର୍ଷ ବୟସର ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫର ଏକ ବୋଟ୍‌ ବାହାରି ଥିଲା। ବୋଟ୍‌ଟିରେ ଓଡ୍ରାଫ୍‌ର ୫ ଜଣ ଯବାନ ଥିଲେ। ସେମାନଙ୍କ ସହିତ ଯିବା ପାଇଁ ବାହାରି ଥିଲେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା। ସେମାନଙ୍କ ସହିତ ଆଉ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ବି ବୋଟ୍‌ରେ ଯିବାକୁ ବାହାରିଥିଲେ। କିନ୍ତୁ ଏଥିରେ ରିସ୍କ୍‌ ଅଛି କହି ଅରିନ୍ଦମ ସେମାନଙ୍କୁ ନ ଯିବାକୁ ପରାମର୍ଶ ଦେଇଥିଲେ। ବୋଟ୍‌ଟି କିଛି ବାଟ ଯିବାପରେ ହାତୀଠାରୁ ପ୍ରାୟ ତିରିଶ ମିଟର ପାଖରେ ପହଁଚି ଯାଇଥିଲା। ବୋଟ୍‌ ଆସିବା ଦେଖି ପାଖକୁ ଶୁଣ୍ଢ ଟେକି ଚମକି ଆସିଥିଲା ହାତୀ । ଫଳରେ ଚାଳକ ବୋଟ୍‌ର ଦିଗ ବଦଳାଇ ସ୍ରୋତର ବିପରୀତ ଦିଗକୁ ନେଇ ଆସିବାକୁ ଚେଷ୍ଟା କରିଥିଲେ। କୋଡ଼ିଏ ଫୁଟ ଗଭୀର ଜଳ ପ୍ରବାହିତ ହେଉଥିବା ସ୍ଥାନରେ ପ୍ରଖର ସ୍ରୋତରେ ବୋଟ୍‌ର ଇଂଜିନ୍ ଜାମ ହୋଇ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଷ୍ଟାର୍ଟ ବନ୍ଦ ହେବା କ୍ଷଣି ବୋଟ୍‌ଟି ଆନିକଟ ମଝିରେ ଉପର ଦେଇ ଜଳ ପ୍ରବାହିତ ହେଉଥିବା ପଥର ପାଚେରି ଆଡ଼କୁ ଖସିବାକୁ ଲାଗିଲା। ପାଣି ଲହଡିରେ ବୋଟ୍‌ଟି ଅରିନ୍ଦମ ଓ ତାଙ୍କ କ୍ୟାମେରାମ୍ୟାନ ପ୍ରଭାତ ବସିଥିବା ପାର୍ଶ୍ବକୁ ପଲଟି ଗଲା। ପ୍ରଥମେ ଏ ଦୁହେଁ ପାଣି ଭିତରେ ବୁଡି ଗଲେ। ପରେ ଓଡ୍ରାଫ୍‌ର ଚାଳକଙ୍କ ସମେତ ଅନ୍ୟମାନେ ଜଣକ ପରେ ଜଣେ ପାଣିରେ ବୁଡିଗଲେ। ଅରିନ୍ଦମ ଓ ପ୍ରଭାତଙ୍କ ଉପରେ ବୋଟଟି ପଲଟି ଗଲା। କିଛି ସମୟରେ ଅରିନ୍ଦମ ବୋଟର ମୋଟର ପାର୍ଶ୍ବରେ ଉଠି ଧରି ପକାଇ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ତାଙ୍କ ହାତରେ ପଡିଥିଲା ଉପରେ ଉଦ୍ଧାର କରିବା ଲାଗି ପକାଯାଇଥିବା ଏକ ରଶି। ସେ ତାକୁ ବେକ ଉପର ଦେଇ ଦୁଇ ହାତରେ ଧରି ଉଠିବାକୁ ଚେଷ୍ଟା କରିଥିଲେ। ଉପରେ ଥିବା ଲୋକଙ୍କୁ ରଶି ଉପରକୁ ଟାଣି ଉଠାଇବାକୁ ଠାରି ଥିଲେ। କିନ୍ତୁ ଏତିକି ବେଳେ ତାଙ୍କ ଶରୀର ଧୀରେ ଧୀରେ ଶିଥିଳ ହେବା ଭଳି ମନେ ହୋଇଥିଲା। ରଶିରୁ ହାତ ଛାଡିଗଲା। ସେ ନଦୀ ତଳମୁଣ୍ଡକୁ ଭାସିଗ‌ଲେ। ମାଛ ଧରାଳିମାନେ ତାଙ୍କୁ ଭାସିଯାଉଥିବା ଦେଖି ଦୁଇଟି ଡଙ୍ଗାରେ ତାଙ୍କ ପାଖରେ ପହଁଚି ପ୍ରାୟ ତିନି କିଲୋମିଟର ତଳକୁ ନଦୀ ମଝିରୁ ଅଚେତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ। ସେତେବେଳକୁ ପ୍ରାୟ କୋଡିଏ ମିନିଟ ବିତି ସାରିଥିଲା। କ୍ୟାମେରା ମ୍ୟାନ ପ୍ରଭାତ ଓ ଅନ୍ୟ ଓଡ୍ରାଫ କର୍ମଚାରୀଙ୍କ ପାଖକୁ ଦଉଡ଼ି, ଶିଡ଼ି ଓ ରଶି ପକାଇ ଟାଣିଟାଣି ଉପରକୁ ଉଠାଇ ଉଦ୍ଧାର କରାଯାଇଥିଲା। ହେଲେ ଓଡ୍ରାଫ୍‌ର ଚାଳକ ସୀତାରାମ ମୁର୍ମୁ ତଳ ମୁଣ୍ଡକୁ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଓଡ୍ରାଫ୍‌ର ପ୍ରଚାର ନିଶା!
କେଉଁ କାରଣରୁ ଓଡ୍ରାଫ୍‌ର ୫ଜଣିଆ ଟିମ୍‌ ଗୋଟିଏ ପାୱାର୍‌ ବୋଟ୍‌ରେ ନଈ ଭିତରକୁ ଯିବାକୁ ବାହାରିଥିଲେ? କାହିଁକି ବିପଦଜନକ ଭାବେ ଦୁଇଜଣ ସାମ୍ବାଦିକଙ୍କୁ ସାଙ୍ଗରେ ନେଇଥିଲେ? ଭରାନଈ ଭିତରେ ଏଭଳି ଦୃଶ୍ୟର ରେକର୍ଡିଂ କରି ନିଜ ବାହାଦୁରୀ ଦେଖାଇବା ନିଶାରେ ଓଡ୍ରାଫ୍‌ ଟିମ୍‌ ଏଭଳି ଏକ ବିପଦକୁ ଟାଣିଆଣିଲେ କି?ଏଭଳି ଅନେକ ପ୍ରଶ୍ନ ଏବେ ବିତର୍କର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର