ସନ୍‌ରାଇଜର୍ସ ପାଇଁ ଆଉ ଖେଳି ନପାରନ୍ତି ୱାର୍ଣ୍ଣର

ଦୁବାଇ: ବିସ୍ଫୋରକ ଓପନର ତଥା ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଆଉ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ନପାରନ୍ତି। ଜଣେ ପ୍ରଶଂସକଙ୍କ ସହ ଟ୍ବିଟ୍ ଆଦାନପ୍ରଦାନ ବେଳେ ଏଭଳି ସଙ୍କେତ ଦେଇଛନ୍ତି ନିଜେ ୱାର୍ଣ୍ଣର। ଖରାପ ଫର୍ମ ପାଇଁ ୱାର୍ଣ୍ଣର ସୋମବାରର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ଖେଳିନଥିଲେ। ଏପରିକି ତାଙ୍କୁ ଏହି ମ୍ୟାଚ୍ ଅବସରରେ ଦଳୀୟ ଡଗଆଉଟ୍‌ରେ ମଧ୍ୟ ଦେଖିବାକୁ ମିଳିନଥିଲା। ଯାହା ପ୍ରଶଂସକଙ୍କୁ ଦ୍ବନ୍ଦ୍ବ ଓ ଆଶଙ୍କାରେ ପକାଇଥିଲା। ଏହାର କାରଣ ସେମାନେ ସିଧାସଳଖ ୱାର୍ଣ୍ଣରଙ୍କୁ ଟ୍ବିଟ୍ କରି ପଚାରିଥିଲେ। ଜଣେ ପ୍ରଶଂସକଙ୍କୁ ଉତ୍ତର ଦେବାକୁ ଯାଇ ସେ ଲେଖିଥିଲେ ଯେ ଦୁର୍ଭାଗ୍ୟଜନକ ଭାବେ ମୁଁ ଆଉ ଡଗଆଉଟ୍‌ରେ ରହି ନପାରେ, ତଥାପି ଦଳକୁ ନୈତିକ ସମର୍ଥନ ଦେବା ଜାରି ରଖିବି।

ସୂଚନା‌ଯୋଗ୍ୟ ଯେ ୱାର୍ଣ୍ଣର ଚଳିତ ଋତୁରେ ଖେଳିଥିବା ୮ ମ୍ୟାଚ୍‌ରୁ ୨୪.୩୭ ହାରରେ ମାତ୍ର ୧୮୧ ରନ୍ କରିଛନ୍ତି। ଚଳିତ ଋତୁରେ ତାଙ୍କ ଷ୍ଟ୍ରାଇକ୍‌ରେଟ୍ ମଧ୍ୟ ଅତି ଖରାପ ରହିଛି। ଯାହାକି ଏହା ପୂର୍ବର ସବୁ ଋତୁଠାରୁ କମ୍। ଚଳିତ ଋତୁର ପ୍ରଦର୍ଶନ ମଧ୍ୟ ବ୍ୟକ୍ତିଗତ ଭାବେ ୱାର୍ଣ୍ଣରଙ୍କ ପୂର୍ବର ସବୁ ଋତୁଠାରୁ ଖରାପ ରହିଛି। ୩୪ ବର୍ଷୀୟ ୱାର୍ଣ୍ଣର ୨୦୧୪ରେ ସନରାଇଜର୍ସରେ ଯୋଗ ଦେଇଥି‌‌ଲେ। ୨୦୧୬ରେ ତାଙ୍କ ନେତୃତ୍ବରେ ଏହି ଦଳ ବିଜେତା ଆଖ୍ୟା ଅର୍ଜନ କରିଥିଲା। ୨୦୧୮ ମସିହାର କେପ୍‌ଟାଉନ୍ ବଲ୍ ବିକୃତ ବିବାଦ ପରେ ସନ୍‌ରାଇଜର୍ସ ତାଙ୍କୁ ଅଧିନାୟକ ପଦରୁ କାଢ଼ି ଦେଇଥିଲା। ହେଲେ ୨୦୨୦ରେ ସେ ପୁଣି ଥରେ ଅଧିନାୟକ ପଦକୁ ପେରିଥିଲେ। ତେବେ ଚଳିତ ଋତୁର ପ୍ରଥମ ଚରଣର କିଛି ମ୍ୟାଚ୍ ପରେ ୱାର୍ଣ୍ଣରଙ୍କୁ ହଟାଇ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍‌ଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା ସନରାଇଜର୍ସ ହାଇଦ୍ରାବାଦ।

ସମ୍ବନ୍ଧିତ ଖବର