ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି କେନ୍ଦ୍ରୀୟ ଟିମ୍

ପୀଡ଼ିତା ଅନୁକମ୍ପା ପାଣ୍ଠିରୁ ଅର୍ଥ ଦିଆଯାଉ, ସାକ୍ଷୀ ନିରାପତ୍ତା ଯୋଜନାରେ ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଦିଆଯାଉ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଯେପରି ତଦନ୍ତ କରିବା କଥା କରିନି। ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଉପରେ ଷଡଯନ୍ତ୍ରର ଅଭିଯୋଗ ଥିବାବେଳେ ସେ ଇସ୍ତଫା ଦେଇନଥିବାରୁ ପୁଲିସ ନିରପେକ୍ଷ ତଦନ୍ତ କରୁନି। ପୀଡ଼ିତା ସହାୟତା ପାଣ୍ଠିରୁ ମମିତାଙ୍କ ପରିବାର ରାଜ୍ୟ ସରକାରଙ୍କ ଠାରୁ ଆର୍ଥିକ ସହଯୋଗ ପାଇବାକୁ ଯୋଗ୍ୟ ଥିବାବେଳେ ରାଜ୍ୟ ସରକାର ଏହି ଅର୍ଥ ଦେଇନାହାନ୍ତି। ସାକ୍ଷୀ ନିରାପତ୍ତା ଯୋଜନାରେ ସମସ୍ତ ସାକ୍ଷୀଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନିୟମ ଅଛି, ହେଲେ ଯୋଗାଯାଉନି। ଫଳରେ ସାକ୍ଷୀମାନେ ବୟାନ ଦେବାକୁ ଡରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ ଶ୍ରୀନିବାସନ କହିଛନ୍ତି।

ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରୁ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶ୍ରୀନିବାସନ କହିଛନ୍ତି ଯେ ମମିତା ହତ୍ୟା ମାମଲାରେ ରାଜ୍ୟ ସରକାର ସବୁ ପ୍ରକାରର ଅବହେଳା କରିଛନ୍ତି। ଦିବ୍ୟଶଙ୍କର ମିଶ୍ର ଗୃହ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହି ଘଟଣାର ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ଅସମ୍ଭବ। ମା ମାଣିକେଶ୍ବରୀ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁ ନେଇ ନୈତିକତା ଦୃଷ୍ଟିରୁ ଦିବ୍ୟଶଙ୍କର ନିଜ ମନ୍ତ୍ରୀ ପଦ ତ୍ୟାଗ କରି ତଦନ୍ତ ସାମ୍ନା କରିବା ଉଚିତ୍। ନଚେତ୍ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଖୁବ୍‌ ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ଏହି ପ୍ରତିନିଧି ଦଳର ସଦସ୍ୟା ଶ୍ରୀରୁପା ମିତ୍ର ଚୌଧୁରୀ, ସୁନିତା ଦୁଗଲ କହିଛନ୍ତି‌ ଯେ ମହିଳା ହିଂସା ଓ ନିର୍ଯାତନାକୁ ରୋକିବାକୁ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ଏନ୍‌ସିଆର୍‌ବି-୨୦୨୦ ରିପୋର୍ଟ ଅନୁସାରେ ମହିଳା ହିଂସାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନରେ ଅଛି। ଦଣ୍ଡବିଧାନ ହାର ମାତ୍ର ୯.୨%। ଯାହା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ଏଥିପାଇଁ ହିଁ ଅପରାଧୀମାନେ ନିର୍ଭୟରେ ଅପରାଧ କରୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ମମିତା ମେହେର ହତ୍ୟାକାଣ୍ଡ। ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କେନ୍ଦ୍ରୀୟ ଟିମ୍ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଆରତି ସିଂହ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ ଏହି ଘଟଣା ଉପ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ବିବୃତି ରଖିବା ସହ ସିବିଆଇ ତଦନ୍ତ ପାଇଁ ଘୋଷଣା କରନ୍ତୁ।

ସମ୍ବନ୍ଧିତ ଖବର