ନୀଳ ଗ୍ରହର ପ୍ରହରୀ

ପୃଥିବୀର ସର୍ବାଧିକ ଧନାଢ଼୍ୟ ବ୍ୟକ୍ତି ତଥା ‘ଟେସ୍‌ଲା’ କାର‌୍‌ କ˚ପାନି ଏବ˚ ‘ସ୍ପେସ୍‌ ଏକ୍‌ସ’ର ପ୍ରତିଷ୍ଠାତା-ମୁଖ୍ୟ ଏଲନ୍‌ ମସ୍କ୍‌ ଗଲା ସେପ୍ଟେମ୍ବର ମାସରେ ତାଙ୍କ ଉଦ୍ୟୋଗ ଦ୍ୱାରା ନିର୍ମିତ ମହାକାଶ ଯାନରେ ଚାରିଜଣ ବ୍ୟକ୍ତିଙ୍କୁ ଅନ୍ତରୀକ୍ଷ ପର୍ଯ୍ୟଟନରେ ପଠାଇ ଏକ ନୂତନ ଧାରାର ପ୍ରାରମ୍ଭ କରିବା ସହିତ ତାଙ୍କର ଏକ ସ୍ୱପ୍ନ ଚରିତାର୍ଥ କରିଥିଲେ। ତେଣୁ ଏହା ବିଚିତ୍ର ନୁହେଁ ଯେ ଏଭଳି ସ୍ବପ୍ନ ଧାରଣ କରିଥିବା ଏଲନ୍‌ ମସ୍କ୍‌ଙ୍କୁ ଅନେକ ସମୟରେ ତାଙ୍କର ଆଉ କ’ଣ ସବୁ ସ୍ବପ୍ନମାନ ରହିଛି ବୋଲି ପ୍ରଶ୍ନ କରାଯାଇଥାଏ। ତା’ର ଉତ୍ତରରେ ତାଙ୍କ ଠାରୁ ଯାହା ଶୁଣିବାକୁ ମିଳିଥାଏ, ତାହା ମଧ୍ୟରେ ରହିଛି ଭବିଷ୍ୟତ୍‌ରେ ପୃଥିବୀକୁ ଏକ (କାର୍ବନ) ନିର୍ଗମନ-ମୁକ୍ତ ନିର୍ମଳ ଗ୍ରହରେ ପରିଣତ କରିବା ବା ‘ଭ୍ୟାକୁମ୍‌ ଟ୍ୟୁବ୍‌’ ଭଳି ଏକ ଅତ୍ୟନ୍ତ ଆଗତ-ସମ୍ଭବ ପ୍ରଯୁକ୍ତି ମାଧ୍ୟମରେ ରକେଟ୍‌ ବେଗରେ ଆନ୍ତଃ-ନଗରୀ ଗମନାଗମନର ସମ୍ଭାବନାକୁ ରୂପ ଦେବା ଅଥବା ମଙ୍ଗଳ ଗ୍ରହରେ ମନୁଷ୍ୟର ବସତି ସ୍ଥାପନ କରିବା ଇତ୍ୟାଦି। ଉଲ୍ଲେଖଯୋଗ୍ୟ ଯେ ଏଲନ୍‌ ମସ୍କ୍‌ କେବଳ ସ୍ୱପ୍ନ ଦେଖି ନ ଥାଆନ୍ତି, ତାକୁ ସତ୍ୟରେ ପରିଣତ କରିବା ଲାଗି କାର୍ଯ୍ୟ ମଧ୍ୟ କରିଥାଆନ୍ତି, ଯାହାର ଉଦାହରଣ ହେଲା ପାଶ୍ଚାତ୍ୟରେ ଏବେ ବହୁଳ ବିକ୍ରି ହେଉଥିବା ବିଦ୍ୟୁତ୍‌ ଚାଳିତ ଟେସ୍‌ଲା କାର୍‌ (କାର୍‌ ବଜାରର ୧୧ ପ୍ରତିଶତ) ଏବ˚ ‘ସ୍ପେସ୍‌ ଏକ୍‌ସ ଷ୍ଟାର୍‌ ସିପ୍‌’ ନାମଧାରୀ ମହାକାଶ ଯାନ।

ତେବେ ଏଭଳି ଏକ ଆଲୋଚନା କରାଗଲା ବେଳେ ଅପର ଦିଗରୁ ଏକ ଶାଣିତ କଣ୍ଠସ୍ୱର ମଧ୍ୟ ଶୁଣିବାକୁ ମିଳିଥାଏ, ଯାହା ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ‘କପ୍‌-୨୬’ ସମ୍ମିଳନୀରେ ଭାରତୀୟ ଯୁବ ଇତିହାସକାର-ସାମ୍ବାଦିକ-ସମାଜ କର୍ମୀ ବିଜୟ ପ୍ରସାଦଙ୍କର, ଯିଏ ଅତ୍ୟନ୍ତ ଦୃପ୍ତ କଣ୍ଠରେ ଗଭୀର ଆଲୋଡ଼ନ ସୃଷ୍ଟି କଲା ଭଳି ପ୍ରଶ୍ନଟିଏ କରିଥିଲେ ଯେ ପରିବେଶ ସୁରକ୍ଷା ଲାଗି ଦରିଦ୍ର ଦେଶଗୁଡ଼ିକ ସ˚ଯମୀ ଜୀବନ ଜିଅନ୍ତୁ ବୋଲି ଚାପ ପକାଉଥିବା ଧନୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସିନା ସେମାନଙ୍କ ଭବିଷ୍ୟତ୍‌ ନେଇ ଚିନ୍ତିତ; କିନ୍ତୁ ଆଫ୍ରିକା, ଏସିଆ ଏବ˚ ଲାଟିନ ଆମେରିକାର ୨.୭ ବିଲିଅନ୍‌ ଅତ୍ୟନ୍ତ ଦରିଦ୍ର ଏବ˚ କ୍ଷୁୁଧାଗ୍ରସ୍ତଙ୍କ ସକାଶେ ସେଭଳି ଭବିଷ୍ୟତ୍‌ର ଅର୍ଥ କ’ଣ, ଯେଉଁମାନେ ‘ବର୍ତ୍ତମାନ’ ଜିଇ ରହିବା ଲାଗି ଦାରୁଣ ସ˚ଘର୍ଷ କରୁଛନ୍ତି? କହିବା ବାହୁଲ୍ୟ ଯେ ସେ ଦିନ ବିଜୟ ପ୍ରସାଦଙ୍କ ବକ୍ତବ୍ୟ ପରେ ସଭା ସ୍ଥଳଟି କରତାଳିରେ ପ୍ରକ˚ପିତ ହୋଇ ଉଠିଥିଲା ଏବ˚ ଏକ ବାସ୍ତବ ସ୍ଥିତି ପ୍ରତି ମଧୢ ଧୢାନ ଆକର୍ଷଣ କରିଥିଲା ଯେ ନିଜର ‘ବର୍ତ୍ତମାନ’କୁ ସୁରକ୍ଷିତ କରି ପାରିଥିବା ସ୍ବଚ୍ଛଳ ମନୁଷ୍ୟମାନଙ୍କୁ ଧାରଣ କରିଥିବା ପୃଥିବୀର ଏକ ଅ˚ଶ ‘ଭବିଷ୍ୟତ୍‌’ର ଆସନ୍ନ ବିପଦ ନେଇ ମୁହ୍ୟମାନ ହୋଇ ଉଠୁଥିବା ବେଳେ ଏକ ବିଶାଳ ସ˚ଖ୍ୟକ ପୃଥିବୀ ବାସିନ୍ଦାଙ୍କ ସକାଶେ ‘ବର୍ତ୍ତମାନ’ ହିଁ ବିପନ୍ନ ହୋଇ ସାରିଛି।

ଏହି ପରିପ୍ରେକ୍ଷୀରେ ଏଲନ୍‌ ମସ୍କ୍‌ ଏବ˚ ଜାତିସ˚ଘର ‘ଵର୍ଲଡ ଫୁଡ୍‌ ପ୍ରୋଗ୍ରାମ୍‌’ (ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ) ବା ‘ଡବ୍ଲ୍ୟୁ.ଏଫ୍‌.ପି’ର ମୁଖ୍ୟ ଡେଭିଡ୍‌ ବେସ୍‌ଲିଙ୍କ ମଧୢରେ ସୃଷ୍ଟି ହୋଇଥିବା ପରସ୍ପର ପ୍ରତି ଆହ୍ବାନ ଦେଲା ଭଳି ସ˚ଳାପ ବିଶେଷ କୌତୂହଳ ସୃଷ୍ଟି କରିଥାଏ। ଘଟଣାର ପୃଷ୍ଠଭୂମିଟି ଏହିଭଳି: ‘ସି.ଏନ୍‌.ଏନ୍‌.’ ଚ୍ୟାନେଲ୍‌କୁ ଏକ ସାକ୍ଷାତ୍‌କାର ପ୍ରଦାନ କରିବା ସମୟରେ ଡେଭିଡ୍‌ ବେସ୍‌ଲି ପ୍ରକାଶ କରିଥିଲେ ଯେ ପୃଥିବୀର ୪୩ଟି ଦେଶର ପ୍ରାୟ ୪୨ ନିୟୁତ ଅତ୍ୟନ୍ତ ଉତ୍କଟ କ୍ଷୁଧା ପ୍ରପୀଡ଼ିତଙ୍କ ମୁହଁରେ ଗୋଟିଏ ବର୍ଷ ଲାଗି ଆହାର ଯୋଗାଇବାକୁ ୬ ବିଲିଅନ୍‌ ଆମେରିକୀୟ ଡଲାର୍‌ର ଆବଶ୍ୟକତା ରହିଛି, ଯାହା ଏଲନ୍‌ ମସ୍କ୍‌ଙ୍କ ବିତ୍ତର ମାତ୍ର ୨ ଶତା˚ଶ। କହିବା ବାହୁଲ୍ୟ, ଏହା ଶୁଣିବା କ୍ଷଣି ଏଲନ୍‌ ମସ୍କ୍‌ ଯାହା ଟ୍ବିଟ୍‌ କରିଥିଲେ, ତାହା ହେଲା, ଯଦି ଏହି ଉଦ୍ଦେଶ୍ୟରେ ବ୍ୟୟ ହେବାକୁ ଥିବା ୬ ବିଲିଅନ୍‌ ଡଲାର୍‌ର ଟିକିନିଖି ହିସାବ ତାଙ୍କୁ ପ୍ରଦାନ କରାଯିବ, ତେବେ ସେ ‘ଟେସ୍‌ଲା କାର୍‌’ କ˚ପାନିରେ ଥିବା ତାଙ୍କ କିଛି ଅ˚ଶଧନ ବିକ୍ରୟ କରି ଏହି ଅର୍ଥର ବ୍ୟବସ୍ଥା କରିଦେ‌େବ। ସୁତରା˚, ବର୍ତ୍ତମାନ ‘ଡବ୍ଲ୍ୟୁ.ଏଫ୍‌.ପି.’ ଏ ସଂକ୍ରାନ୍ତ ଅଟକଳର ଏକ ସାରଣୀ ଧରି ଉଭା ହୋଇଗଲାଣି। ଏହି ହିସାବ ଅନୁସାରେ ୪୩ଟି ରାଷ୍ଟ୍ରର ୪୨ ନିୟୁତ କ୍ଷୁଧାଗ୍ରସ୍ତଙ୍କ ନିକଟରେ ଗୋଟାଏ ବର୍ଷ ଲାଗି ଦିନକୁ ଅନ୍ତତଃ ଏକ ବକତ ଖାଦ୍ୟ ଉପଲବ୍‌ଧ କରାଇବା ସକାଶେ ୩.୫ ବିଲିଅନ ଡଲାର୍‌ ଲୋଡ଼ା ପଡ଼ିବ ଖାଦ୍ୟ ସ˚ଗ୍ରହ, ଭଣ୍ତାରଣ, ପରିବହନ ଏବ˚ ସେ ସବୁର ସୁରକ୍ଷା ପ୍ରକରଣରେ; ୨.୬ ବିଲିଅନ ଡଲାର୍‌ର ଉପଯୋଗ କରାଯିବ ଅନାହାର-କ୍ଳିଷ୍ଟଙ୍କ ମଧୢରେ ନଗଦ ଟଙ୍କା ଏବ˚ ‘ଭାଉଚର’ ବିତରଣରେ, ଯାହା ବଳରେ ସେମାନେ ବଜାରରୁ ସେମାନଙ୍କ ପସନ୍ଦର ଖାଦ୍ୟ କ୍ରୟ କରି ଖାଇ ପାରିବେ ଏବ˚ ତାହା ସାହାଯ୍ୟରେ ବଜାରକୁ ମଧୢ ଚଳଚଞ୍ଚଳ କରିପାରିବେ; ୭୦୦ ନିୟୁତ ଡଲାର୍‌ ବ୍ୟୟ କରାଯିବ ବିଭିନ୍ନ ରାଷ୍ଟ୍ର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଯେମିତି କି ଦପ୍ତର ସ୍ଥାପନ ଆଦିରେ ଏବ˚ ୪୦୦ ନିୟୁତ ଡଲାର୍‌ ଖର୍ଚ୍ଚ କରାଯିବ ପ୍ରଶାସନ, ପରିଚାଳନା ଏବ˚ ହିସାବପତ୍ର ରଖିବା ଭଳି କାର୍ଯ୍ୟରେ। କହିବା ଅନାବଶ୍ୟକ ଯେ ଏହା ପରେ ଯଦି ଏଲନ୍‌ ମସ୍କ୍‌ ଏହି ବିବରଣୀରେ ସନ୍ତୋଷ ପ୍ରକାଶ କରି ସ୍ବ-ପ୍ରଦତ୍ତ ପ୍ରତିଶ୍ରୁତି ପୂରଣ କରନ୍ତି; ତେବେ ତାହା କେବଳ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ନାହିଁ, ହୁଏ’ତ ଏକ ଧାରାକୁ ମଧୢ ଜନ୍ମ ଦେଇପାରେ। ସେହି ଦୃଷ୍ଟିରୁ ଏହା ହୋଇପାରେ ଏକ କ୍ଷୁଧା ମୁକ୍ତ ପୃଥିବୀର ସୃଷ୍ଟି ଦିଗରେ ଏକ ଅଭିନବ ପଦପାତ।

ଏଠାରେ ପ୍ରକାଶଯୋଗ୍ୟ କି ଦୁର୍ଭିକ୍ଷ, ଜଳବାୟୁ ପରିବର୍ତ୍ତନ, ଯୁଦ୍ଧ ଏବ˚ ଆତଙ୍କବାଦ ଭଳି କାରଣରୁ ପୃଥିବୀରେ କ୍ଷୁଧିତଙ୍କ ସ˚ଖ୍ୟାରେ ଲଗାତାର ବୃଦ୍ଧି ଘଟିବାରେ ଲାଗିଛି, ଯାହା ‘ଡବ୍ଲ୍ୟୁ.ଏଫ୍‌.ପି.’ ସକାଶେ ଏକ ହିମାଳୟ ଆରୋହଣ ତୁଲ୍ୟ ଆହ୍ବାନ ସୃଷ୍ଟି କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ କୋଭିଡ୍‌ ପାନ୍‌ଡେମିକ୍‌ର ଘନଘଟା ଭିତରେ ମଧ୍ୟ ‘ଡବ୍ଲ୍ୟୁ.ଏଫ୍‌.ପି.’ର ପ୍ରୟାସରେ ୮୪ଟି ରାଷ୍ଟ୍ରର ୧୧୫ ନିୟୁତ ଉତ୍କଟ କ୍ଷୁଧା ପ୍ରପୀଡ଼ିତଙ୍କୁ ଆହାର ଉପଲବ୍‌ଧ କରାଯାଇ ପାରିଥିଲା, ଯେଉଁ ସ˚ଖ୍ୟା ହେଉଛି ୨୦୧୨ ପରେ ସର୍ବାଧିକ। ଉଲ୍ଲେଖଯୋଗ୍ୟ ଯେ ଏଭଳି ଅତିମାନବୀୟ ପ୍ରୟାସ ଲାଗି ‘ଡବ୍ଲ୍ୟୁ.ଏଫ୍‌.ପି.’କୁ ୨୦୨୦ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଫୋର୍ବସ ପତ୍ରିକାରୁ ଜଣାପଡ଼ିଥାଏ ଯେ ସ˚ପ୍ରତି ପୃଥିବୀରେ ବାସ କରୁଥିବା ‘ବିଲିଏନେର’ ବା ଅର୍ବପତିଙ୍କ ସ˚ଖ୍ୟା ହେଉଛି ୨୭୫୫, ଯେଉଁମାନଙ୍କ ଠାରେ ରହିଥିବା ବିତ୍ତର ପରିମାଣ ହେଉଛି ୧୩.୧ ଟ୍ରିଲିଅନ୍‌ (୧ ଟ୍ରିଲିଅନ୍‌ ହେଉଛି ୧୦୦୦ ବିଲିଅନ୍‌) ଡଲାର୍‌। ତେଣୁ ଡେଭିଡ୍‌ ବେସ୍‌ଲି ପ୍ରଦାନ କରିଥିବା ହିସାବରୁ ଅନୁମାନ କରିହୁଏ ଯେ ଏହି ଅକଳ୍ପନୀୟ ଭାବେ ବିପୁଳ ସ˚ପଦରୁ ମାତ୍ର ୨ ଶତାଂଶ ଯଦି କ୍ଷୁଧା ନିବାରଣ ଦିଗରେ ବ୍ୟୟ କରାଯାଇ ପାରନ୍ତା, ତେବେ ପୃଥିବୀ ସମ୍ଭବତଃ ଆଗାମୀ ୪୩ ବର୍ଷ ପର୍ଯ୍ୟନ୍ତ ଉତ୍କଟ କ୍ଷୁଧାରୁ ରକ୍ଷା ପାଇ ପାରନ୍ତା।

ଏ ନେଇ ସମସ୍ତେ ଅବଗତ ଯେ ଏଲନ୍‌ ମସ୍କ୍‌ ତାଙ୍କ ମହାକାଶ ଯାନ ଜରିଆରେ ଯାହା ସମ୍ଭବ କରାଇ ପାରିଛନ୍ତି ତାହା ହେଲା ବିପୁଳ ବିତ୍ତ ବ୍ୟୟରେ ଧନୀକମାନଙ୍କ ଲାଗି ଅନ୍ତରୀକ୍ଷର ସ୍ବଚ୍ଛ ଅନ୍ଧକାର ମଧୢରୁ ସେମାନେ ବସବାସ କରୁଥିବା ପୃଥିବୀ ନାମକ ନିଟୋଳ ସୁନୀଳ ଗ୍ରହକୁ ଚର୍ମ ନେତ୍ରରେ ଅବଲୋକନ କରି ପାରିବାର ସୁଯୋଗ ଓ ସୌଭାଗ୍ୟ। କିନ୍ତୁ, ଧରାବତରଣ ପରେ ଏହି ସୁନୀଳ ଗ୍ରହ ପରିଣତ ହୋଇଥାଏ ଏକ ଧୂସର ମୃତ୍ତିକା ପିଣ୍ତରେ, ଯାହା ପୁଣି ରାଷ୍ଟ୍ର, ସମାଜ, ପ୍ରାନ୍ତ, ଲିଙ୍ଗ, ସ˚ପଦ, ସ୍ବାସ୍ଥ୍ୟ ଇତ୍ୟାଦିର ଆଧାରରେ ଟଣା ଯାଇଥିବା ଅସ˚ଖ୍ୟ ବିଭାଜକ ରେଖା ଦ୍ବାରା ବିଦୀର୍ଣ୍ଣ। କିନ୍ତୁ ଏ ପରିପ୍ରେକ୍ଷୀରେ ଗୋଟିଏ ସୁଖଦ ସତ୍ୟ ହେଉଛି ଏହା ଯେ ଏଲନ୍‌ ମସ୍କ୍‌ ବା ତାଙ୍କର ସତୀର୍ଥମାନେ ଇଚ୍ଛା କଲେ ଏହି ବିଭାଜକ ରେଖାଗୁଡ଼ିକୁ ନିଶ୍ଚିହ୍ନ କରି ଦେଇ ପାରିବେ। ଅବଶ୍ୟ ପୂର୍ବରୁ ‘ଡବ୍ଲ୍ୟୁ.ଏଫ୍‌.ପି.’ ବା ଡେଭିଡ୍‌ ବେସ୍‌ଲିଙ୍କ ଭଳି ଅସ˚ଖ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏହି ଗ୍ରହର ପ୍ରହରୀ ଭାବେ ଅକ୍ଳାନ୍ତ ପରିଶ୍ରମ କରି ଚାଲିଛନ୍ତି; ଯେଉଁମାନଙ୍କ ମଧୢରେ ବିଲ୍‌ ଗେଟ୍‌ସ ବା ଵରେନ୍‌ ବଫେଟ୍‌ଙ୍କ ଭଳି ଏଲନ ମସ୍କ୍‌ଙ୍କ ମୁଷ୍ଟିମେୟ ସତୀର୍ଥ ମଧୢ ଅନ୍ତର୍ଭୁକ୍ତ। ଏବେ ଯଦି ଏଲନ୍‌ ମସ୍କ୍‌ ଏମାନଙ୍କ ସହିତ ଯୋଗ ଦିଅନ୍ତି, ତେବେ ସେ ମଧ୍ୟ ହେବେ ଏହି ନୀଳ ଗ୍ରହର ଜଣେ ନୂତନ ପ୍ରହରୀ।

ସମ୍ବନ୍ଧିତ ଖବର