ଦିନ ତମାମ ଗଛ ଉପରେ ରହିଲା ଭାଲୁ; ଦୁର୍ବୃତ୍ତ ବିନ୍ଧିଲା ତୀର, ତଦନ୍ତ କରୁଛି ବନ ବିଭାଗ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୨୦ ଗ୍ରାମରେ ଆଜି ଦିନ ତମାମ ଗଛ ଉପରେ ଭାଲୁ ଚଢି ବସିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ଭାଲୁକୁ କାବୁ କରିବା ପାଇଁ ନାକେଦମ ହୋଇଥିଲା। ପ୍ରତିଦିନ ଭଳଇ ଗତକାଲି ରାତିରେ ତିନୋଟି ଭାଲୁ ଏମଭି-୨୦ ଗ୍ରାମକୁ ଆସିଥିଲେ। ଏହି ଗ୍ରାମର ବହୁ ଲୋକଙ୍କ ରୋଷେଇ ଘରେ ପଶିଯାଇଥିଲା। ରୋଷେଇ ଘରେ ଯାହା ଥିଲା, ସବୁ ଖାଇପକାଇଥିଲେ।

ତେବେ ଦୁଇଟି ଭାଲୁ ସକାଳ ହେବା ମାତ୍ରେ ଚାଲିଯାଇଥିବା ବେଳେ ଛୋଟ ଭାଲୁଟି ଗଛ ଉପରେ ଚଢି ରହିଯାଇଥିଲା। ସକାଳୁ ସ୍ଥାନୀୟ ଲୋକେ ଭାଲୁଟି ଗଛ ଉପରେ ରହିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ ଏକ ଟିମ ଏମଭି-୨୦ ଗ୍ରାମରେ ପହଞ୍ଚି ଭାଲୁକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଗଛରେ ଚଢିଥିବା ଭାଲୁଟିକୁ କେହି ତୀର ବନ୍ଧିଥିବା ଦେଖିବାକୁ ମିଳିଥିଲା। ଭାଲୁ ଦେହରେ ତୀରଟି ନବାଜି ଗଛରେ ବାଜିଥିବା ଦେଖିବାକୁ ମିଳିଥିଲା। କୌରସି ବ୍ୟକ୍ତି କାହିଁକି ଭାଲୁକୁ ତୀର ମାରିବାକୁ ଚେଷ୍ଟା କରୁଥିଲା ସନେଇ ବନ ବିଭାଗ ତଦନ୍ତ କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ଭାଲୁ ନିୟମିତ ଏହି ଗ୍ରାମକୁ ଆସି ବିଭିନ୍ନ ସାହି ବୁଲି ଲୋକଙ୍କ ଘରେ ପଶୁଥିଲା। ସଂଧ୍ୟା ହେବା ମାତ୍ରେ ଏହି ଗାଁରେ ତାଟିକବାଟ ପଡିଯାଉଥିଲା। ଲୋକେ ଭୟରେ ଆଉ ଘରୁ ପଦାକୁ ବାହାରୁନଥଇଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ହେଲା ତିନୋଟି ଭାଲୁ ସଂଧ୍ୟା ହେବା ମାତ୍ରେ ବିଭିନ୍ନ ଗ୍ରାମକୁ ଆସୁଛନ୍ତି। ଆଖପାଖ ଗ୍ରାମର ଲୋକେ ମଧ୍ୟ ଭାଲୁ ଯୋଗୁଁ ଭୟଭୀତ ହୋଇ ରହିଥିବା କହୁଥିଲେ।

ଏନେଇ ବାରମ୍ବାର ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା କହିଥିଲେ। ଏହି ଭାଲୁକୁ ଗଛରୁ ତଳକୁ ଓହ୍ଲାଇବାକୁ ବନ ବିଭାଗ ସଂଧ୍ୟା ପର୍ଯ୍ୟନ୍ତ ଚେଷ୍ଟା କରି ଶେଷରେ ଭାଲୁକୁ କାବୁ କରିଥିଲେ। ଭାଲୁର ଚିକିତ୍ସା ପରେ ଜଂଗଲରେ ଛଡାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଏମଭି-୭ ଗ୍ରାମରେ ମଧ୍ୟ ଭାଲୁ ଘରେ ପଶି ରୋଷେଇ ସାମଗ୍ରୀ ଖାଉଥିବା ଦେଖିବାକୁ ମିଳିଥିଲା। ଜଂଗଲରେ ଖାଦ୍ୟର ଅଭାବ ହେତୁ ଏବେ ଜଂଗଲିଜନ୍ତୁ ସହର ମୁହାଁ ହେଲେଣି। ଭାଲୁମାନେ କାହାକୁ ଆକ୍ରମଣ କରିନଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର