ରାଜ୍ୟରେ ନିର୍ମାଣ ହେବ ୩୦ ନୂଆ ନଦୀବନ୍ଧ

୧୧,୭୦୦କୋଟି ଟଙ୍କାରେ ‘ଇନ୍-ଷ୍ଟ୍ରିମ୍‌ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍‌ ପ୍ରକଳ୍ପ’

ଭୁବନେଶ୍ୱର : ସମୁଦ୍ରକୁ ଚାଲିଯାଉଛି ପାଣି। ବର୍ଷା ଜଳ ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁନାହାନ୍ତି। ଗତ ୨୦ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବି ବଡ ବ୍ୟାରେଜ୍ ନିର୍ମାଣ ହୋଇନାହିଁ। ମହାନଦୀ ଜଳ ବିବାଦକୁ ନେଇ ଯେବେ ରାଜ୍ୟ ଉଠୁଥିଲା ପଡୁଥିଲା, ସେବେ ଛତିଶଗଡ ସରକାର ଓ କିଛି ବିରୋଧୀ ରାଜନୈତିକ ଦଳର ନେତା ଏହି ପ୍ରସଙ୍ଗ ଉଠାଇଥିଲେ। ସଂପ୍ରତି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମସ୍ୟା କାରଣରୁ ବଡ ବ୍ୟାରେଜ୍ ନିର୍ମାଣ କଷ୍ଟସାଧ୍ୟ ହୋଇପଡୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏସବୁର ଉତ୍ତର ଦେବା ଲାଗି ଭିନ୍ନ କୌଶଳ ଆପଣାଇଛନ୍ତି। ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ‘କନ୍‌ଷ୍ଟ୍ରକ୍ସନ୍ ଅଫ୍ ଇନ୍-ଷ୍ଟ୍ରିମ୍‌ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍‌ ପ୍ରକଳ୍ପ’ ଯୋଜନା ଆରମ୍ଭ କରିଛନ୍ତି। ଅର୍ଥାତ ନଦୀ ଭିତରେ ହିଁ ଛୋଟ ଛୋଟ ବ୍ୟାରେଜ ନିର୍ମାଣ ହେବ। ଏଥିପାଇଁ ୧୧,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ଫଳରେ ଚାଷୀ ତା’ର ଜମିକୁ ସବୁ ଦିନ ପାଇଁ ପାଣି ପାଇପାରିବ। ଭୂତଳ ଜଳସ୍ତର ଠିକ୍‌ ରହିବ। ଆଖପାଖ ଗାଁଗୁଡ଼ିକରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ହୋଇପାରିବ।

ଏହି ଯୋଜନାର ଅଂଶବିଶେଷ ଭାବେ ସୁନ୍ଦରଗଡ଼ରେ ଦୁଇଟି ପ୍ରକଳ୍ପ ଆରମ୍ଭ ହୋଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍‌ରେ ଦୁଇଟି ବ୍ୟାରେଜର ଶିଳାନ୍ୟାସ କରି କରିଥିଲେ। ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡ଼ାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଆଜି ଶିଳାନ୍ୟାସ କରାଯାଇଛି। ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହା ଦ୍ବାରା ସୁନ୍ଦରଗଡ଼ ପୌରପାଳିକା, ସୁନ୍ଦରଗଡ଼ ସଦର ବ୍ଲକ୍, ଲେଫ୍ରିପଡ଼ା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍‌ର ୪୭ ହଜାର ଲୋକ ଉପକୃତ ହେବେ। ଏହା ସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଉପରୋକ୍ତ ବ୍ଲକ୍‌ଗୁଡ଼ିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପାର୍ଜନ କରିପାରିବେ। ଏହି ଦୁଇଟି ବ୍ୟାରେଜ ଉପରେ ପୋଲ କରାଯାଉଥିବାରୁ ଲେଫ୍ରିପଡ଼ା ଓ ଟାଙ୍ଗରପଲ୍ଲୀ ବ୍ଲକ୍‌ର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ଼ ହେଉଛି ଓଡ଼ିଶାର ବିକାଶର ବତୀ ଘର। ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର ଏନ୍‌ଆଇଟି ଓଡ଼ିଶାର ଗୌରବ ବୃଦ୍ଧି କରିଛି। ଏହି ତିନିଟି ଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡ଼ିତ। ସୁନ୍ଦରଗଡ଼ ସାରା ଦେଶକୁ ବହୁତ କିଛି ଦେଇଛି। ସୁନ୍ଦରଗଡ଼ର କୋଇଲା ଦେଶକୁ ଶକ୍ତି ଯୋଗାଉଛି। ସୁନ୍ଦରଗଡ଼ରେ ଏସିଆର ସବୁଠୁ ବଡ଼ ହକି ଷ୍ଟାଡିଅମ ହେବାକୁ ଯାଉଛି। ସୁନ୍ଦରଗଡ଼ର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି। ତେଣୁ ସୁନ୍ଦରଗଡ଼ରେ ଏମ୍‌ସ୍ ସୁନ୍ଦରଗଡ଼ବାସୀଙ୍କର ହକ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନ୍ଦରଗଡ଼ରେ ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍‌ ଠାରୁ ଆରମ୍ଭ କରି ମିସନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଯୋଗ ଦେଇଥିଲେ। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର