ମାଲକାନଗିରି ଜିଲ୍ଲାରେ ୭ ଲକ୍ଷ ୮୧ ହଜାର ୪୦୬ କ୍ବିଣ୍ଟାଲ ଧାନ ଖରିଦ ହେଲାଣି

ଜିଲ୍ଲାର ଧାନ କ୍ରୟ ଟାର୍ଗେଟ ୯ ଲକ୍ଷ ୩୧ ହଜାର ୭୨୭ ରହିଛି, ଦଲାଲ ସକ୍ରିୟ ଥିବାରୁ ମଣ୍ଡି ସପ୍ତାହେ ବନ୍ଦ ହେବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଣ୍ଡି ଆରମ୍ଭ ହେବାର ଇତି ମଧ୍ୟରେ ଦେଢ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ଜିଲ୍ଲାର ୬୪ଟି ମଣ୍ଡି ଏବଂ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଜିଲ୍ଲାର କୃଷକ ମାନଙ୍କ ଠାରୁ ଆଜି ସୁଦ୍ଧା ୭ ଲକ୍ଷ ୮୧ ହଜାର ୪୦୬ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ଜିଲ୍ଲାରେ ରହିଥିବା ୮ଟି ଲ୍ୟାମ୍ପସ୍ ଏବଂ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ ଏହି ଧାନ ଖରିଦ କରିଥିବା ବେଳେ ଜିଲ୍ଲାରେ ରହିଥିବା ଟାର୍ଗେଟକୁ ମାତ୍ର ୧ ଲକ୍ଷ ୫୦ ହଜାର ୩୨୧ କ୍ବିଣ୍ଟାଲ ଧାନ ଖରିଦ କରିବାର ବାକି ରହିଛି। ସୂଚନାଯୋଗ୍ୟ ଯେ ଜିଲ୍ଲାର ହେଉଛି ୯ ଲକ୍ଷ ୩୧ ହଜାର ୭୨୭ କ୍ବିଣ୍ଟାଲ। ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ କାଲିମେଳା ଲ୍ୟାମ୍ପସ ତରଫରୁ ୩୭୨୩ କୃଷକଙ୍କ ଠାରୁ ୧ ଲକ୍ଷ ୭୬ ହଜାର ୬୩୨ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ସେହିପରି ବଣ୍ଡା ଲ୍ୟାମ୍ପସ ତରଫରୁ ୧୦୭୮ କୃଷକଙ୍କ ଠାରୁ ୪୨ ହଜାର ୭୪୩ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ଶିଖପାଲୀ ଲ୍ୟାମ୍ପସ ତରଫରୁ ୧୨୬୭ କୃଷକଙ୍କ ଠାରୁ ୫୧ ହଜାର ୩୯୫ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ସେହିପରି କୋରକୋଣ୍ଡା ଲ୍ୟାମ୍ପସ ତରଫରୁ ୨୫୪୮ କୃଷକଙ୍କ ଠାରୁ ୧ ଲକ୍ଷ ୨୮ ହଜାର ୧୨ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ତରଫରୁ ୭୦୪ କୃଷକଙ୍କ ଠାରୁ ୩୨ ହଜାର ୫୩୧ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ମାଥିଲି ଲ୍ୟାମ୍ପସ ତରଫରୁ ୧୯୨୮ କୃଷକଙ୍କ ଠାରୁ ୯୨ ହଜାର ୮୫ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ପଡିଆ ଲ୍ୟାମ୍ପସ ତରଫରୁ ୧୭୬୫ କୃଷକଙ୍କ ଠାରୁ ୮୦ ହଜାର ୬୦୧ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି।

Sambad

ସେହିପରି ମାଲକାନଗିରି ଲ୍ୟାମ୍ପସ ତରଫରୁ ୧୭୮୮ କୃଷକଙ୍କ ଠାରୁ ୮୨ ହଜାର ୮୯୭ କ୍ବିଣ୍ଟାଲ ଧାନ ଖିଦ କରାଯାଇଥିବା ଜଣାପଡିଛି। ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରୁ ମାଳତୀ ସ୍ବୟଂ ସହାୟକ ଗୋଷ୍ଠୀ ୮୨୨ ଜଣ କୃଷକଙ୍କ ଠାରୁ ୩୮ ହଜାର ୪୬୨ କ୍ବିଣ୍ଟାଲ ଧାନ ଖରିଦ କରିଥିବା ବେଳେ ରାଜଲକ୍ଷ୍ମୀ ଏସଏଚଜି ୨୬୪ କୃଷକଙ୍କ ଠାରୁ ୧୫ ହଜାର ୨୨୯ କ୍ବିଣ୍ଟାଲ, ଓଁ ଶାନ୍ତିମାତା ଏସଏଚଜି ୪୨୬ କୃଷକଙ୍କ ଠାରୁ ୨୨ ହଜାର ୬୦୪ କ୍ବିଣ୍ଟାଲ ଧାନ ଖରିଦ କରିଛି ଏବଂ ଜୟ ମା କାଳୀ ଏସଏଚଜି ୪୫୩ ଜଣ କୃଷକଙ୍କ ଠାରୁ ୧୭ ହଜାର ୭୭୫ କ୍ବିଣ୍ଟାଲ ଧାନ ଖରିଦ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜିଲ୍ଲାରେ ଦଲାଲ ମାନେ ସକ୍ରିୟ ରହିଥିବା ଯୋଗୁଁ ଆସନ୍ତା ସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଧାନ କିଣାକୁ ବନ୍ଦ କରାଯାଇ ବିଭାଗ ପକ୍ଷରୁ ପ୍ରତ୍ୟେକ ମଣ୍ଡିରେ ଥିବା କୃଷକମାନଙ୍କ ଧାନର ହିସାବ ନେବା ପରେ ପୁଣି ମଣ୍ଡି ଆରମ୍ଭ କରାଯିବ ବୋଲି କୁହାଯାଇଛି। ଦଲାଲ ମାନେ ବିଭିନ୍ନ ଉପାୟରେ ଜିଲ୍ଲାର ୬୪ଟି ମଣ୍ଡି ଏବଂ ୪ଟି ଏସଏଚଜି କିଣୁଥିବା ମଣ୍ଡିରେ ନିଜର ଧାନ ବିକ୍ରି କରିବାରେ ସଫଳ ହେଉଛନ୍ତି। ତେବେ ଏଥିରେ ବିଭାଗୀୟ ଅଧିକାରୀ ମାନଙ୍କ ହାତ ରହିଥିବା କୃଷକ ମାନେ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରି ଧରପଗଡ କରୁଥିବାରୁ ଏବେ ମଣ୍ଡିରେ ଭୟର ବାତାବରଣ ରହିଥିବା ଦେଖିବାକୁ ମିଳିଛି।ତେବେ ଦଲାଲଙ୍କୁ ରୋକିବାକୁ ହେଲେ ମଣ୍ଡି ବନ୍ଦ କରି ଚାଷୀଙ୍କ ପାଖରେ ଥିବା ଧାନର ହିସାବ ନେବାକୁ ପଡିବ ବୋଲି ବିଭାଗ ଚିନ୍ତା କରିଛି।

ସମ୍ବନ୍ଧିତ ଖବର