ମହଙ୍ଗା ପଡ଼ିଲା ମେସେଞ୍ଜର ଚାଟିଂ: ୩୦ ହଜାର ଚଳୁ କଲା ଫେସ୍‌ବୁକ୍ ବାନ୍ଧବୀ

ଚନ୍ଦ୍ରଶେଖରପୁର: ମେସେଞ୍ଜରରେ ଫେସବୁକ୍ ବାନ୍ଧବୀ ସହ ଚାଟିଂ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମାତ୍ର ୭ ଦିନର ସମ୍ପର୍କ ଭିତରେ ଖୁବ୍ ନିବିଡ଼ ହୋଇଥିବା ବାନ୍ଧବୀ ଯୁବକକୁ ଚୂନ ଲଗାଇ ଛାଡ଼ିଛି। ଚାଟିଂ କରୁକରୁ ବାନ୍ଧବୀଜଣକ ଯୁବକଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଡ଼ାଇ ନେଇଛି। ଟଙ୍କା ଉଡ଼ାଇ ନେବା ପରେ ବାନ୍ଧବୀଙ୍କ ଫୋନ୍‌ ବନ୍ଦ ହୋଇଯାଇଛି। ଠକାମିର ଶିକାର ହୋଇଥିବା ଯୁବକ ଏବେ କାନମୁଣ୍ଡା ଆଉଁସି ଚନ୍ଦ୍ରଶେଖରପୁର ଥାନା ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାନୁସାରେ, ବନ ବିଭାଗରେ କାମ କରୁଥିବା ଏହି ଯୁବକଜଣକ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ଆରମ୍ଭ କରିଥିଲେ। ଫେସ୍‌ବୁକ୍‌ ଡିପିରେ ଯୁବତୀଙ୍କ ସୁନ୍ଦର ଆକର୍ଷଣୀୟ ମୁହଁଟି ଯୁବକଙ୍କୁ ତାଙ୍କ ସହ ବନ୍ଧୁତା କରିବା ପାଇଁ ବାଧିତ କରିଥିଲା। ମାତ୍ର ତାହା ଯେ ନକଲି ଆଇଡି ଓ ଜଣେ ଧୂର୍ତ୍ତର କାମ ବୋଲି ବନ ବିଭାଗ କର୍ମଚାରୀ ବୁଝିପାରିନଥିଲେ। ସୁନ୍ଦରୀ ତରୁଣୀ ସହ ବନ୍ଧୁତାର ମୋହ ଯୁବକଙ୍କୁ ବାଇଆ କରିଥିଲା। ଫେସ୍‌ବୁକ୍‌ରେ ଘନିଷ୍ଠତା ବଢ଼ିବା ପରେ ସେମାନେ ମେସେଞ୍ଜର ଚାଟ୍‌କୁ ଚାଲି ଯାଇଥିଲେ। ପ୍ରାୟ ଗୋଟିଏ ସପ୍ତାହ ଧରି ସେମାନେ ଚାଟିଂ କରି ଚାଲିଥିଲେ। ଏମିତି ଲୋଭନୀୟ ଚାଟିଂ କରି କରି ନକଲି ଫେସ୍‌ବୁକ୍‌ ସୁନ୍ଦରୀ ବନ କର୍ମଚାରୀଙ୍କୁ ସମ୍ମୋହନ କରି ପକାଇଥିଲା। ବନ କର୍ମଚାରୀଙ୍କ ପାଗଳପଣର ସୁଯୋଗ ନେଇ ନକଲି ବାନ୍ଧବୀ କେତେବେଳେ ଏକ ଓଟିପି ପଠାଇଥିଲା ଓ ଉକ୍ତ ନମ୍ବରକୁ ସେୟାର୍ କରିବାକୁ କହିଥିଲା। ନକଲି ବାନ୍ଧବୀର ମଧୁର ଚାଟିଂରେ ବନ କର୍ମଚାରୀ ଏମିତି ମଜି ଯାଇଥିଲେ ଯେ ଉକ୍ତ ଓଟିପି ତାକୁ ଦେଇ ଦେଇଥିଲେ। ଏହା ପରେ ତାଙ୍କ ଆକାଉଣ୍ଟରୁ ୩୦ ହଜାର କଟି ଯାଇଥିଲା। ଏନେଇ ବନ କର୍ମଚାରୀ ବାନ୍ଧବୀକୁ ଚାଟିଂରେ ପଚାରିବା ବେଳକୁ ମେସେଞ୍ଜର ବନ୍ଦ ହୋଇଯାଇଥିଲା। ଏମିତିକି ଫେସ୍‌ବୁକ୍‌ରେ ବି ତାକୁ ପାଇବା ସମ୍ଭବ ହୋଇ ନଥିଲା। ବାନ୍ଧବୀ ବନ କର୍ମଚାରୀଙ୍କୁ ଅନ୍‌ଫ୍ରେଣ୍ଡ କରିଦେଇଥିଲା। ଏତେବେଳେ ଯାଇ ବନ କର୍ମଚାରୀଙ୍କ ମୁଣ୍ଡକୁ ବୁଦ୍ଧି ପଶିଥିଲା।

ସମ୍ବନ୍ଧିତ ଖବର