ମ୍ୟାମାର ସେନା ଭୟରେ ଭାରତ ସୀମାରେ ପଶିଲେ ୮ ହଜାର ଶରଣାର୍ଥୀ

ନୂଆଦିଲ୍ଲୀ : ମ୍ୟାମାରରେ ସାଧାରଣ ଜନତାଙ୍କ ଉପରେ ସେନାର ଅତ୍ୟାଚାର ବଢିଚାଲିଛି । ସେନା ଭୟରେ ପ୍ରାୟ ୮ ହଜାର ଶରଣାର୍ଥୀ ସୀମା ପାର କରି ଭାରତର ମିଜୋରାମ ରାଜ୍ୟରେ ପ୍ରବେଶ କରିଛନ୍ତି ।

ଭାରତୀୟ ସୀମାକୁ ଲାଗିଥିବା ମ୍ୟାମାରର ଚମ୍ପାଇ ଜିଲ୍ଲାର ୩ଟି ଗ୍ରାମ ଉପରେ ସେନା ଆକ୍ରମଣ କରି ବୋମା ପକାଇବା ଓ ଗୁଳି ଚଳାଇବା ଫଳରେ ଲୋକମାନେ ପ୍ରାଣ ବିକଳରେ ଭାରତକୁ ପଳାଇଆସିଛନ୍ତି ।

ମିଜୋରାମ ସରକାରଙ୍କ ସୂଚନା ଅନୁସାରେ ଆକ୍ରମଣ ହୋଇଥିବା ଏହି ୩ଟି ଗ୍ରାମ ହେଲା ହାଇମୁଆଲ, ରିହ ଓ ଖାଉମାଓ୍ବି । ଏସବୁ ଗ୍ରାମର ପ୍ରାୟ ୮୧୪୯ ଜଣ ଅଧିବାସୀ ଭାରତରେ ଶରଣ ନେଇଛନ୍ତି । ତେବେ ସେନା ଗୁଳିରେ ଏସବୁ ଗ୍ରାମର କେତେକ ଲୋକ ପ୍ରାଣ ହରାଇଛନ୍ତି, ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ।

ଗତ ୨୯ ତାରିଖରେ ଜୋଖାଉତାର ଗ୍ରାମରୁ ଗୁଳି ବର୍ଷ ଶବ୍ଦ ଶୁଣାଯାଇଥିଲା । ଚଳିତ ମାସରେ ମ୍ୟାମାରରେ ସେନା ଦ୍ବାରା ଗଣତାନ୍ତ୍ରିକ ସରକାରକୁ ହଟାଇ କ୍ଷମତା ଅକ୍ତିଆର କରିବାର ଏକ ବର୍ଷ ପୂରଣ ହୋଇଛି । ଗତ ଏକ ବର୍ଷ ମଧ୍ୟ ସେନା ଶାସନକୁ ବିରୋଧ କରୁଥିବା ଲୋକମାନଙ୍କ ଉପରେ ସେନା ପକ୍ଷରୁ ପ୍ରବଳ ଅତ୍ୟାଚାର କରାଯାଇଛି । ବିଶେଷକରି ଚମ୍ପାଇ ଜିଲ୍ଲାର ଲୋକମାନେ ପ୍ରବଳ ବିରୋଧ କରୁଛନ୍ତି । ଲୋକମାନେ ପ୍ରାଣ ବିକଳରେ ଭାରତ ଓ ଅନ୍ୟାନ୍ୟ ଦେଶଗୁଡ଼ିକୁ ପଳାୟନ କରୁଛନ୍ତି ।

ସମ୍ବନ୍ଧିତ ଖବର