ରକ୍ତ କର୍କଟ ସହ ଲଢ଼ୁଛନ୍ତି ସ୍ବାମୀ: ଜୀବନ ଭିକ୍ଷା କରୁଛି ସ୍ତ୍ରୀ

ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା, ୨ମାସ ହେଲାଣି କିଣିପାରୁନାହାନ୍ତି ଔଷଧ

ଭୁବନେଶ୍ବର: ପୁଅ ଚାକିରି କଲା। ସେହି ଭରସାରେ ଝିଅକୁ କରଜ କରି ବାହାଘର କରିଦେଲେ। ମାତ୍ର ଦଇବ ସହିଲା ନାହିଁ କୌଣସି କାରଣରୁ ପୁଅର ମୃତ୍ୟୁ ହୋଇଗଲା। ଏପଟେ ସ୍ବାମୀ ମରଣ ସହ ଲଢ଼େଇ କରୁଛନ୍ତି। ବର୍ଷେ ହେଲାଣି ସ୍ବାମୀ ରକ୍ତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ସାହାଯ୍ୟ ପାଇଁ ସମସ୍ତଙ୍କ ପାଖରେ ନେହୁରା ହେଉଛନ୍ତି ମାତ୍ର କେହି ଶୁଣିବାକୁ ନାହାନ୍ତି। ସ୍ବାମୀଙ୍କୁ ଧରି ନୟାଗଡ଼ ଓଡ଼ଗାଁରୁ ଭୁବନେଶ୍ବରରେ ଚାଲିଆସିଛନ୍ତି ସ୍ତ୍ରୀ ପ୍ରଭାତୀ। ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ନେହୁରା ହେଉଛନ୍ତି। ଡାକ୍ତର କହିଛନ୍ତି ତାଙ୍କର ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମାତ୍ର ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ଚିକିତ୍ସା ପାଇଁ ଗାଁରେ ଥିବା ଜମି ବି ବିକ୍ରି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ହୋଇପାରୁନି। ସେଥିଲାଗି ସେ ବାରଦୁଆର ହୋଇ ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଗୁହାରି କରୁଛନ୍ତି।

ପ୍ରଭାତୀ ସାହୁ। ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ହରିହରପୁର। ସ୍ବାମୀ ପ୍ରହଲ୍ଲାଦ ସାହୁ(୪୯ବର୍ଷ) ଶ୍ରମିକ କାମ କରି ଦି ପଇସା ରୋଜଗାର କରୁଥିଲେ। ଅଚାନକ ଦେହ ଖରାପ ହେଲା। ଜାଣିବାକୁ ପାଇଲେ ପ୍ରହଲ୍ଲାଦ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି। ତା’ପରେ ସ୍ବାମୀଙ୍କର ଚିକିତ୍ସା ପାଇଁ ନୟାଗଡ଼ରୁ ଭୁବନେଶ୍ବର ଏମ୍‌ସ ଆସିଲେ। ପୁଅ ଚାକିରି କରିଥିଲା। ଯାହା ଯେମିତି ହୋଇ ଔଷଧ ଖର୍ଚ୍ଚ ବହନ ହେଉଥିଲା। ମାତ୍ର ଦଇବ ସହିଲା ନାହିଁ। ହଠାତ୍‌ କୌଣସି କାରଣରୁ ପୁଅର ମୃତ୍ୟୁ ହେଲା। ଏବେ ପ୍ରଭାତୀଙ୍କୁ ଘାରିଛି ପ୍ରହଲ୍ଲାଦଙ୍କର ଚିକିତ୍ସା ଚିନ୍ତା। ଏମିତି ଗତ ୨ମାସ ହେଲାଣି ପ୍ରହଲ୍ଲାଦଙ୍କୁ ଔଷଧ କିଣି ଦେଇପାରିନାହାନ୍ତି। ଏବେ ସେ ସ୍ବାମୀଙ୍କ ଧରି ଭୁବନେଶ୍ବରର ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରହୁଛନ୍ତି। ଏମ୍‌ସ ହସ୍ପିଟାଲକୁ ପରୀକ୍ଷା ପାଇଁ ଯାଉଛନ୍ତି ମାତ୍ର ଡାକ୍ତର ଲେଖୁଥିବା ଔଷଧ କିଣିବା ପାଇଁ ଅର୍ଥ ନଥିବାରୁ ପ୍ରହଲ୍ଲାଦଙ୍କର ଅବସ୍ଥା ଖରାପ ହେବାରେ ଲାଗିଲାଣି। ସେହିପରି ଅସ୍ତ୍ରୋପଚାର ଲାଗି ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ସେ ଭଲ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। ମାତ୍ର ପାଖରେ ଟଙ୍କାଟିଏ ନଥିବାରୁ ତାଙ୍କୁ ପ୍ରଭାତୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଗରୁ ତାଙ୍କର ରାସନ କାର୍ଡ ଥିଲା। ମାତ୍ର ପୁଅ ଚାକିରି କଲା ବୋଲି ତାଙ୍କର ରାସନ କାର୍ଡ କାଟିଦିଆଗଲା। ରାସନ କାର୍ଡ ନାହିଁ ବୋଲି ତାଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ମିଳୁନଥିବା ସେ କହିଛନ୍ତି। ପୁଅର ମତ୍ୟୁ ପରେ ସେ ବହୁଥର ରାସନ କାର୍ଡ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ଭେଟିଥିଲେ। ମାତ୍ର ତାଙ୍କ ହାତରେ କିଛି ନାହିଁ ବୋଲି କହି ବିଡିଓ ଫେରାଇ ଦେଇଥିଲେ। ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ସରପଞ୍ଚଙ୍କୁ କହିବାରୁ ଆଗ ରାସନ କାର୍ଡ ହୋଇଯାଉ ତା’ପରେ ବିଜୁ ସ୍ବାସ୍ଥ୍ୟ କାର୍ଡ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହାୟତା କରବା ପାଇଁ ଚାହାନ୍ତି ତେବେ ମୋବାଇଲ ନଂ. ୭୮୯୪୦୨୧୨୭୨ ଯୋଗାଯୋଗ କରିବାକୁ ପ୍ରଭାତୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର