‘ସମ୍ବାଦ’ର ପଞ୍ଚାୟତ ସର୍ଭେ ରିପୋର୍ଟ: ଏଥର ବିଜେଡିର ପ୍ରାଧାନ୍ୟ!

ନିରାଶ କରିବ ବିଜେପି, କଂଗ୍ରେସ ସ୍ଥିତିରେ ବିଶେଷ ପରିବର୍ତନ ନାହିଁ

ଉପକୂଳ ପୋଛିନେବ ବିେଜଡି, କଳାହାଣ୍ଡିରେ ଅବସ୍ଥା ଚିନ୍ତାଜନକ
ସାତ ଦଳୀୟ ସାଂସଦଙ୍କ ଜିଲ୍ଲାରେ ବିଜେପି ନିରାଶ ହୋଇପାରେ
ଦକ୍ଷିଣ ସୀମାନ୍ତରେ କଂଗ୍ରେସ ଭଲ କରିବ, ୨୦ ଜିଲ୍ଲାରେ ସ୍ଥିତି ଖରାପ

ଭୁବନେଶ୍ବର : ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ଦବ୍‌ଦବା ଦେଖିବାକୁ ମିଳିବ। ବିଜେଡି ଏଥର ୬୦୦ରୁ ଯଥେଷ୍ଟ ଅଧିକ ଆସନ ହାସଲ କରିପାରେ। ନିର୍ଦିଷ୍ଟ ଭାବେ କହିବାକୁ ଗଲେ ଗତ ନିର୍ବାଚନ ତୁଳନାରେ ୧୭୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଯାଇପାରେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ରାଜ୍ୟର ପାଖାପାଖି ଅଧାରୁ ଅଧିକ ସ୍ଥାନରେ ବିଜେ଼ଡିର ପ୍ରଦର୍ଶନ ଉଲ୍ଲେଖନୀୟ ରହିବ।

ନିର୍ବାଚନ ପୂର୍ବରୁ କଂଗ୍ରେସର ବହୁ ତୁଙ୍ଗ ନେତା ଦଳ ବଦଳ କରିଛନ୍ତି, ଅନ୍ତଃକନ୍ଦଳ ଶୀର୍ଷ ଛୁଇଁଛି; କିଛି ବରିଷ୍ଠ ନେତାଙ୍କ ଅସହଯୋଗ ଜଳ ଜଳ ହୋଇ ପରିଲକ୍ଷିତ ହେଉଥିଲା ଏବଂ ପ୍ରତିପକ୍ଷଙ୍କୁ ମାତ୍ ଦେବା ଭଳି ମଇଦାନରେ ନେତାମାନେ ଲଢ଼େଇ କରିନାହାନ୍ତି। ଏସବୁ ସତ। ତଥାପି ଗତ ନିର୍ବାଚନ ତୁଳନାରେ କଂଗ୍ରେସର ପ୍ରଦର୍ଶନ ଆଦୌ ଖରାପ ରହିନପାରେ। ପାଖାପାଖି ୨୦ ଜିଲ୍ଲାରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କଂଗ୍ରେସ କିନ୍ତୁ ଗତ ନିର୍ବାଚନ ତୁଳନାରେ ମାତ୍ର ୧୫% ପାଖାପାଖି ଆସନ ହାତଛଡା କରିପାରେ।

ଅନ୍ୟପଟରେ ୨୦୧୭ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଯେତିକି ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର କରିଥିଲା, ଏଥର ତାର ଲେଶ ମାତ୍ର ପରିଲକ୍ଷିତ ହୋଇନାହିଁ। ବିରୋଧୀ ଦଳ ଭାବେ ଭୋଟରଙ୍କ ଆଶାନୁରୂପ ପ୍ରଦର୍ଶନ ଦଳ କରିପାରିନଥିଲା, ନେତାଙ୍କ ଆଭିମୁଖ୍ୟ ବି ଶେଷ ଯାଏ ଅସ୍ପଷ୍ଟ ଥିଲା। ସବୁଠାରୁ ବଡ଼ କଥା ଥିଲା, ଦଳର ସବୁ ତୁଙ୍ଗ ନେତା ନିର୍ବାଚନ ପ୍ରଚାରରୁ ଢେର୍ ଦୂରରେ ରହିଲେ। ଏହାର ପ୍ରଭାବ ନିର୍ବାଚନ ଉପରେ ଜବରଦସ୍ତ ପଡ଼ିଛି। କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଅଧିକାଂଶ ଆସନରେ ବିଜେଡି-ବିଜେପି ପ୍ରତ୍ୟକ୍ଷ ଲଢେଇ ହୋଇଥିବା କାରଣରୁ ପଦ୍ମଦଳର ଭୋଟ ପ୍ରତିଶତ ବିଶେଷ ପ୍ରଭାବିତ ହୋଇନପାରେ; ହେଲେ ୨୦୧୭ ସଫଳତା ଏଥର ବିଜେପିକୁ ମିଳିବା ସମ୍ଭାବନା ଆଦୌ ନାହିଁ। ଦଳ ହାତରୁ ଶତାଧିକ ଆସନ ଖସିଯିବାର ସମ୍ଭାବନା ରହିଛି।

Image Courtesy of Latestly

ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଗୁରୁବାର ଦିନ ଶେଷ ହେବା ସହିତ ରାଜ୍ୟର କୋଣ ଅନୁକୋଣରୁ ‘ସମ୍ବାଦ’ ସର୍ଭେ ଟିମ୍ ମତଦାନ କେନ୍ଦ୍ରରୁ ଆଣିଥିବା ରିପୋର୍ଟରୁ ଏଭଳି ସଙ୍କେତ ମିଳୁଛି।

ରାଜ୍ୟରେ ଗତ ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା, ଯାହା ଗୁରୁବାର ଦିନ ଶେଷ ହୋଇଛି। ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଯାଏ ଭୋଟ ଗଣତି ହେବ। ଏହି ନିର୍ବାଚନକୁ କେହି କେହି ରାଜନୈତିକ ବିଶେଷଜ୍ଞ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବୋଲି ବର୍ଣ୍ଣନା କରୁଛନ୍ତି। ଆଉ କେହି କହୁଛନ୍ତି ଯେ ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ସିଧାସଳଖ ପ୍ରଭାବିତ କରିବ ନାହିଁ। ତେବେ ଗତ ସାଧାରଣ ନିର୍ବାଚନର ପାଖାପାଖି ୩୨ମାସ ପରେ କେଉଁ ଦଳର ସ୍ଥିତି ତୃଣମୂଳସ୍ତରରେ ଏବେ କିଭଳି ରହିଛି, ତାହାର ଚିତ୍ର ଆପାତତଃ ମିଳିଯିବ। ତେଣୁ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବାରେ ଦଳମାନଙ୍କ ପାଇଁ ସହାୟକ ‌ହେବ।

ଏଥର ୮୫୩ ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ପାଇଁ ତାରିଖ ଘୋଷଣା ହୋଇଥିଲା। ବରଗଡର ୨ନମ୍ବର ଜୋନରେ କଳ୍ପନା ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଅର୍ଥାତ୍ ଏହି ଆସନ ଜିତି ନିର୍ବାଚନ ପୂର୍ବରୁ ବିଜେଡି ଖାତା ଖୋଲିଥିଲା। ପରେ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଆସନରେ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଛି। ଅତଏବ ବାକି ୮୫୧ ଆସନର ଭୋଟ ଫଳାଫଳ ଏବେ ଷ୍ଟ୍ରଙ୍ଗ୍ ରୁମରେ ବନ୍ଦ ହୋଇ ରହିଛି, ଯାହା ଉପରେ ଏବେ ସମଗ୍ର ରାଜ୍ୟର ନଜର; କେନ୍ଦ୍ର ବିଜେପିର ମଧ୍ୟ।
ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ବାଚନର ଫଳାଫଳ କଣ ହୋଇପାରେ, ସେ ସଂକ୍ରାନ୍ତରେ ‘ସମ୍ବାଦ’ ଟିମ୍ ବୁଥ୍ ବାହୁଡା ମତକୁ ଏକାଠି କରିଛି। ଏହି ରିପୋର୍ଟ କହୁଛି ଯେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ବିଜେଡି ଏକତରଫା ପ୍ରଦର୍ଶନ କରିବ। ବିରୋଧୀ ଏଠାରେ ନିଷ୍ପ୍ରଭ ଅଛନ୍ତି। ଏପରିକି ଦୁଇ ଅଙ୍କ ଛୁଇଁପାରିବେ ନାହିଁ। ଏହି ତାଲିକାରେ ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୁନ୍ଦରଗଡ, ବୌଦ୍ଧ, ପୁରୀ, ନୟାଗଡ, ଖୋର୍ଧା ଜିଲ୍ଲା ରହୁଛି। ଏସବୁ ଜିଲ୍ଲାରେ ବିଜେଡିର ପଲ୍ଲା ଏତେ ଭାରି ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ପରିଷଦ ଗଠନ ବେଳେ ଅକଳରେ ପକାଇବା କଷ୍ଟ। ୨୦୧୭ରେ ବିଜେଡି ୪୭୬ ଆସନ ଦଖଲ କରି ଏକ ନମ୍ବର ଥିଲା। ଏଥର ସେହି ଏକ ନମ୍ବର ସ୍ଥାନରେ ରହିବ, ହେଲେ ଆସନ ସଂଖ୍ୟା ୬୫୦ ପାଖାପାଖି ଛୁଇଁବାର ସମ୍ଭାବନା ରହିଛି।
ଏହାସତ୍ତ୍ବେ ଦକ୍ଷିଣ-ପଶ୍ଚିମ ଓଡ଼ିଶାରୁ ଯେଉଁ ଚିତ୍ରଟି ସାମ୍ନାକୁ ଆସୁଛି, ତାହା ବିଜେଡିକୁ ଆଦୌ ଖୁସି କରିବ ନାହିଁ। ଯାବତୀୟ କସରତ ଏବଂ କଂଗ୍ରେସର ଜଣେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ନିଜ ଦଳକୁ ଟାଣିନେବା ପରେ ବି ‘ହାତ’ ମୁଠାକୁ ବିଜେଡି ପୂରା ଦୁର୍ବଳ କରିନାହିଁ। କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତିରେ କଂଗ୍ରେସ ଶକ୍ତି ଦେଖାଇଛି। ନୂଆପଡ଼ାରେ ବି। ହେଲେ ଦୁଇ ଦୁଇ ଜଣ ବିଧାୟକ ଥିବା ସତ୍ତ୍ବେ ବଲାଙ୍ଗୀରରେ କଂଗ୍ରେସର ପ୍ରଦର୍ଶନ ସେ ତୁଳନାରେ ବେଶ୍ ଆଖିଦୃଶିଆ ନୁହେଁ। ଏହାବ୍ୟତୀତ ସୁନ୍ଦରଗଡ, କଳାହାଣ୍ଡି, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ଉପସ୍ଥିତି ରହୁଛି। ବୁଥ ବାହୁଡା ମତରୁ ସଙ୍କେତ ମିଳୁଛି ଯେ କଂଗ୍ରେସ ଗତଥର ୬୦ ଆସନ ଦଖଲ କରିଥିଲା, ଏଥର ପ୍ରାୟ ୫୦ ରହିପାରେ। ବିଜେଡିକୁ ଆଉ ଗୋଟିଏ ଚିତ୍ର ଆଦୌ ଆଶ୍ବସ୍ତ କରିବ ନାହିଁ। ତାହା ହେଲା, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ରାଜନୀତିରେ ଯେଉଁ କମ୍ପନ ସୃଷ୍ଟି ହୋଇଥିଲା, ତାହାର ପ୍ରଭାବ ନିର୍ବାଚନ ଉପରେ ଅବଶ୍ୟ ପଡ଼ିଛି। କଳାହାଣ୍ଡିରେ ବିଜେଡିକୁ ଜବରଦସ୍ତ ଟକ୍କର ଦେଇଛି ବିଜେପି। ଉଭୟ ବରାବର ଆସନ ଦଖଲ କରିପାରନ୍ତି।


ହେଲେ ଭାରତୀୟ ଜନତା ପାର୍ଟିକୁ ଉତ୍ତର ଓଡ଼ିଶାରେ ଝଟ୍‌କା ଲାଗିପାରେ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସରକାର ମନ୍ତ୍ରୀ ପଦ ଦେଇଥିଲେ; ଏବେ ତାଙ୍କୁ ବଦଳାଇ ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ଦେଇଛନ୍ତି। ଏହାସତ୍ତ୍ବେ ବିଜେପିର ପ୍ରଦର୍ଶନ ଆଦୌ ଦଳପତିଙ୍କୁ ସନ୍ତୁଷ୍ଟ କରିବ ନାହିଁ। ବରଂ ମୟୂରଭଂଜରେ ବିଜେଡିର ପଲା ଭାରି ରହିବ, ବାଲେଶ୍ବର ଓ ଭଦ୍ରକରେ ବି। କଳାହାଣ୍ଡିକୁ ବାଦ ଦେଲେ ଦଳର ଆଉ କୌଣସି ସାଂସଦଙ୍କୁ ବିଶେଷ ସଫଳତା ମିଳିନପାରେ। ଅବଶ୍ୟ ବିଜେଡିର ଅନ୍ତଃକନ୍ଦଳ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ପ୍ରଧାନଙ୍କ ସକ୍ରିୟତା ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ପାଇଁ ବିଜେପି ଲାଗି ସଂଜୀବନୀ ସଦୃଶ ହୋଇଛି। ଗୋଟିଏ କଥା ସ୍ପଷ୍ଟ ଭାବେ କହିହେବ ଯେ କଳାହାଣ୍ଡି, ଗଜପତି ଓ ମାଲକାନଗିରି ଭଳି ମୋଟ ତିନି ଚାରିଟି ଜିଲ୍ଲାକୁ ବାଦ ଦେଲେ ଅନ୍ୟ କେଉଁଠାରେ ବିଜେପି ଜିଲ୍ଲା ପରିଷଦ ଗଠନ ବେଳେ ଶାସକ ବିଜେଡି ପାଇଁ ଆଦୌ କଣ୍ଟାହେବା ଭଳି ସ୍ଥିତି ସୃଷ୍ଟି କରିପାରୁନାହିଁ। ବୁଥ୍ ବାହୁଡା ମତ ସଙ୍କେତ ଦେଉଛି ଯେ ବିଜେପି ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ପୁରୀ, ନୟାଗଡ, ଖୋର୍ଧା, କେନ୍ଦୁଝର ଆଦି ଜିଲ୍ଲାରେ ନିଜର ଉପସ୍ଥିତି ରଖୁଛି। ଏହାକୁ ଛାଡି ଆଉ କିଛି ଜିଲ୍ଲାରେ ବିଜେପି ଦୁଇ ତିନିଟି ଆସନ ପାଇବ। ୨୦୧୭ ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ବିଜେପି ୨୯୭ ଆସନ ପାଇଥିଲା, ଏଥର ଏହି ସଂଖ୍ୟା ପ୍ରାୟ ୧୫୦ ରହିପାରେ। ଜେଏମଏମ୍, ବାମଦଳ ତାଙ୍କ ସ୍ଥିତିରେ ଉନ୍ନତି ଆଣିପାରିନାହାନ୍ତି।

ଉଲ୍ଲେଖଥାଉକି, ୨୦୧୭ ନିର୍ବାଚନରେ ପାଖାପାଖି ୧୬ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନଥିଲା। ୨୦୧୨ରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିବା ଭାରତୀୟ ଜନତା ପାର୍ଟି କିନ୍ତୁ ନୂଆପଡ଼ା ଛାଡି ଅନ୍ୟ ୨୯ଟି ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଥିଲା। ହେଲେ ସେ ସମୟରେ ରାୟଗଡା, ପୁରୀ, ନୟାଗଡ, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, କନ୍ଧମାଳ, ଝାରସୁଗୁଡା, ଯାଜପୁର, ଜଗତସିଂହପୁର, ଗଞ୍ଜାମ, ଗଜପତି, ଭଦ୍ରକ, ବୌଦ୍ଧ, କଟକ ଭଳି ଅଧା ଓଡ଼ିଶାରେ ବିଜେପିର ପ୍ରଦର୍ଶନ ଉଲ୍ଲେଖନୀୟ ନଥିଲା। ଅନ୍ୟପକ୍ଷରେ ରାୟଗଡା, ସମ୍ବଲପୁର, ସୋନପୁର, ମୟୂରଭଂଜ, କଳାହାଣ୍ଡି, ଦେବଗଡ, ବରଗଡ, ବଲାଙ୍ଗୀର ଭଳି ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ଚିନ୍ତାଜନକ ଥିଲା।

ସମ୍ବନ୍ଧିତ ଖବର