ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନାହିଁ । ଏହାକୁ ଛାତ୍ର ସଂଗଠନ ଗୁଡ଼ିକ ପ୍ରବଳ ବିରୋଧ କରୁଥିବାବେଳେ ଆଜି ଏ ନେଇ ମୁହଁ ଖୋଲିଛନ୍ତି ବାଣୀବିହାର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ । ସେ କହିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଓ ବିକାଶ ପାଇଁ ଯେଉଁ ସବୁ ପ୍ରକଳ୍ପର ଯୋଜନା ରହିଛି ସେଥପାଇଁ କ୍ୟାମ୍ପସ ଭିତର ଜମି ଉପଯୋଗ କରାଯିବ । ରମାଦେବୀ କ୍ୟାମ୍ପସ ପାଇଁ ଏହି ଜମି ନିଅଣ୍ଟ ପଡ଼ିବ । ଏଣୁ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ସେ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରମାଦେବୀର ୨ୟ କ୍ୟାମ୍ପସ ପ୍ରତିଷ୍ଠା ଲାଗି ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତାବ ଦେଇଛି । କିନ୍ତୁ ଏହାକୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ପ୍ରବଳ ବିରୋଧ କରୁଛନ୍ତି । ଏପରିକି ୩ଟି ଯାକ ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ଛାତ୍ର ବିଜେଡ଼ି ଓ ଛାତ୍ର କଂଗ୍ରେସ ଏହାକୁ ମିଳିତ ଭାବେ ବିରୋଧ କରୁଛନ୍ତି । ଏହି ବିରୋଧ ଫଳରେ ବାଣୀବିହାରରେ ପାଠପଢା ଏକରକମ ଠପ ହୋଇଯାଇଛି ।