ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ ଭଙ୍ଗ, ୨୪ ଫେବ୍ରୁଆରି ୨୦୧୦ରେ ଗଠିତ ହୋଇଥିଲା

ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌କୁ ଭଙ୍ଗ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ସମାଧାନ ପାଇଁ ଏହା ଗଠନ କରାଯାଇଥିଲା।
ବିଜ୍ଞପ୍ତିରେ ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି, କେନ୍ଦ୍ର ସରକାର ଫେବ୍ରୁଆରି ୨୪, ୨୦୧୦ରେ ଏହି ଟ୍ରିବ୍ୟୁନାଲ୍‌ ଗଠନ କରିଥିଲେ। ଟ୍ରିବ୍ୟୁନାଲ୍‌ ମାମଲାର ଚୂଡ଼ାନ୍ତ ରିପୋର୍ଟ ସେପ୍ଟେମ୍ବର ୧୩, ୨୦୧୭ରେ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ। ଏହା ଉପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଡିସେମ୍ବର ୧୧, ୨୦୧୭ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୧୨, ୨୦୧୭ରେ ସ୍ପଷ୍ଟୀକରଣ ଆବେଦନ ଦାଖଲ କରାଯାଇଥିଲା। ସ୍ପଷ୍ଟୀକରଣ ଆବେଦନ ଉପରେ ଶୁଣାଣି କରିବା ଅବସରରେ ଟ୍ରିବ୍ୟୁନାଲ ଏପ୍ରିଲ ୫, ୨୦୧୯ରେ ୧୦୬ ଏକର ଜମି (ଯାହାକି ଓଡ଼ିଶା ସରକାରଙ୍କ ଦ୍ବାରା ଅଧିଗ୍ରହଣ କରାଯିବାର ଅଛି) ଚିହ୍ନଟ ପାଇଁ ଯୁଗ୍ମ ସର୍ଭେ ନିମନ୍ତେ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ଏହାକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା।

ଆବେଦନକୁ ଶୁଣାଣି କରି ଟ୍ରିବ୍ୟୁନାଲ ସେପ୍ଟେମ୍ବର ୨୩, ୨୦୧୯ ରେ ୧୦୬ ଏକର ଜମି ଚିହ୍ନଟ ହେବା ପରେ ମ୍ୟାପ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜୁନ ୨୧, ୨୦୨୧ରେ ଟ୍ରିବ୍ୟୁନାଲ ଆନ୍ତରାଜ୍ୟ ଜଳବିବାଦ ଆଇନ-୧୯୫୬ ର ଧାରା-୫ ଓ ଉପଧାରା-୩ ଆଧାରରେ ଚୂଡ଼ାନ୍ତ ରିପୋର୍ଟର ପରବର୍ତ୍ତୀ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ ସେପ୍ଟେମ୍ବର ୧୩, ୨୦୧୭ ଚୂଡ଼ାନ୍ତ ରାୟ, ସେପ୍ଟେମ୍ବର ୨୩, ୨୦୧୯ ଆଦେଶ ଓ ଜୁନ୍‌ ୨୧, ୨୦୨୧ ର ଚୂଡ଼ାନ୍ତ ରାୟର ପରବର୍ତ୍ତୀ ରାୟ ବି‌ରୋଧରେ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଛନ୍ତି। ଯାହାକି ଏବେ ବିଚାରାଧୀନ ରହିଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଆନ୍ତଃ ରାଜ୍ୟ ଜଳବିବାଦ ଆଇନ ୧୯୫୬ ର ଧାରା -୧୨ରେ ଟ୍ରିବ୍ୟୁନାଲକୁ କେନ୍ଦ୍ର ସରକାର ଭଙ୍ଗ କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ତିନିଟି ଏସ୍‌ଏଲ୍‌ପି ବିଚାରାଧୀନ ଥିବାରୁ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେ‌ବେ ଅବଧି ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଭଙ୍ଗ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟର କାର୍ଯ୍ୟକାରିତାକୁ ନେଇ ବିଜ୍ଞପ୍ତି ଜାରି କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର