ନିର୍ବାଚନ ପରବର୍ତ୍ତୀ ହି˚ସା: ଯୁବକଙ୍କୁ ଭୁଜାଲି ଚୋଟ

ତିହିଡ଼ି: ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମଙ୍ଗରାଜପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହି˚ସା ତୀବ୍ର ରୂପ ନେଇଛି। ରବିବାର ଅପରାହ୍ଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟି ଭୁଜାଲି ଚୋଟରେ ମନୋଜ କୁମାର ସେଠୀ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ମଙ୍ଗରାଜପୁର ଗ୍ରାମର ମନୋଜ କୁମାର ସେଠୀ ତିହିଡ଼ି ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ଏକ ଗାଈ କେନାଲ ପାଖ ନାଳରେ ଫସି ରହିଥିଲା। ଗାଈଟିକୁ ଉଦ୍ଧାର କରିବା ପାଇଁ ଗ୍ରାମର କେତେକ ଯୁବକଙ୍କ ସହିତ ସେ ଯାଇଥିଲେ। ତେବେ ଅନ୍ୟମାନେ ପାଣିରେ ପଶି ଉଦ୍ଧାର କରୁଥିବା ସମୟରେ ଉପରେ ଅନ୍ୟ ଜଣେ ବନ୍ଧୁଙ୍କ ସହ ସେ ଛିଡ଼ା ହୋଇ ଗାଈଟିକୁ ଉଦ୍ଧାର କରୁଥିଲେ। ଏହି ସମୟରେ ୧୪ ରୁ ୧୫ ଜଣ ବ୍ୟକ୍ତି ସ˚ଘବଦ୍ଧ ଭାବେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ।

ଭୟରେ ଅନ୍ୟମାନେ ଦୌଡ଼ି ପଳାଇ ଯାଇଥିବା ବେଳେ ସେ ତଳେ ପଡ଼ିଯିବାରୁ ଆକ୍ରମଣକାରୀମାନେ ତାଙ୍କୁ ହାଣିଥିଲେ। ତାଙ୍କ ଚିତ୍କାର ଶୁଣି କେତେକ ବ୍ୟକ୍ତି ସେଠାରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ସେଠାରେ ପକାଇ ଦେଇ ଦୌଡ଼ି ପଳାଇ ଯାଇଥିଲେ। ଆକ୍ରମଣରେ ମନୋଜ ଗୁରୁତର ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ପୁଲିସ ପହଞ୍ଚି କଡ଼ା ନଜର ରଖିଛି।

ସମ୍ବନ୍ଧିତ ଖବର