ବାଣପୁର ପରିସ୍ଥିତି ଶାନ୍ତ: ଥାନାରେ ରୁଜୁ ହେଲା ଆଉ ଦୁଇ ମାମଲା

ଖୋର୍ଦ୍ଧା : ଗତକାଲି ବାଣପୁର ବ୍ଲକ୍‌ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ତ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ରବିବାର ପ୍ରାୟତଃ ଶାନ୍ତ ରହିଛି। ରବିବାର ଦିନ ମଧ୍ୟ ବାଣପୁର ବ୍ଲକ୍‌ ଓ ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଥିବା ବେଳେ ଆହତ ହୋଇଥିବା ସାଧାରଣ ନାଗରିକଙ୍କ ପକ୍ଷରୁ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଯାଇଥିବା ଜଣେ ବିଜେଡି କର୍ମୀଙ୍କ ପକ୍ଷରୁ ଦୁଇଟି ଏତଲା ଥାନାରେ ଦିଆଯାଇଥିବା ଜଣାଯାଇଛି।

ଗତକାଲିର ଘଟଣା ପରେ ମହିଳା ପୁଲସ୍‌ ଏସ୍‌ଆଇଙ୍କ ଅଭିଯୋଗ କ୍ରମେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ୧୧୩/୨୦୨୨ରେ ଭାରତୀୟ ପିଙ୍ଗଳକୋଡ୍ ଦଫା ୩୦୭, ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬ ଓ ୩୫୩ ଧାରାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ବିଧାୟକଙ୍କ କାର ଧକ୍କାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ମଧ୍ୟ ଏକ ଏତଲା ଦେଇଛନ୍ତି। ଏନେଇ ୧୨୩/୨୦୨୨ରେ ଏକ ମାମଲା ରୁଜୁ ହୋଇଛି। ସେହିଭଳି ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣେ ବିଜେଡି କର୍ମୀ ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ ଏକ ଏତଲା ଦେଇଥିବା ଜଣାଯାଇଛି। ଏନେଇ ଏସ୍‌ପି ଅଲେଖ ପହି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି। ୧୪୪ ଧାରା ବଳବତ୍ତର ରହିଛି। ଆଜି ଆହତଙ୍କ ପକ୍ଷରୁ ଦାଏର ହୋଇଥିବା ଏତଲା ପୂର୍ବରୁ ମହିଳା ଏସ୍‌ଆଇଙ୍କ ଦିଆ ଯାଇଥିବା ଏତଲା ସହ ମିଶ୍ରଣ କରାଯାଇଛି। ତେବେ ପ୍ରଶାନ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ ନେଇ ସେ କିଛି ସ୍ପଷ୍ଟ କହିନାହାନ୍ତି। ଏନେଇ ବାଣପୁର ଏସ୍‌ଡିପିଓ ମାନସ ରଂଜନ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଅଭି‌ଯୋଗ ହୋଇଛି।

ସମ୍ବନ୍ଧିତ ଖବର