ଆରମ୍ଭ ହେଲା ବିଧାନସଭାର ବଜେଟ୍‌ ଅଧିବେଶନ

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟର ଗୋଲାପି ଚିତ୍ର, କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ନିରାପଦ ପାନୀୟ ଜଳଯୋଗାଣ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କେନ୍ଦ୍ରବିନ୍ଦୁ। ସରକାର ସର୍ବୋଚ୍ଚ ପ୍ରାଥମିକତା ଓ ଅଗ୍ରାଧିକାର ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରାଉଛନ୍ତି। ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ୍ ପାନୀୟ ଜଳ ଯୋଗାଣ ସୁବିଧା ସହିତ ସଂଯୋଗ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିଭିନ୍ନ ଜଳଯୋଗାଣ ଯୋଜନା ଅଧୀନରେ ଉପଲବ୍ଧ ପାଣ୍ଠି ସହିତ ଅତିରିକ୍ତ ସମ୍ବଳର ଏକତ୍ରୀକରଣ କରାଯାଇ ଷ୍ଟେଟ୍ ସାଚ୍ୟୁରେସନ୍ ପ୍ଲାନ୍‌ରେ ୫୦,୨୬୩ କୋଟି ଟଙ୍କାର ପୁଞ୍ଜିବରାଦ କରାଯାଇଛି। ଶୁକ୍ରବାର ଦିନ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରେ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସୂଚନା ଦେଇଛନ୍ତି।

୨୦୨୪ ସୁଦ୍ଧା ସବୁ ଗ୍ରାମୀଣ ପରିବାରକୁ ପିଇବା ପାଣି
ଚଳିତ ବର୍ଷ ସହରରେ ୧୦୦% ଘରକୁ ପାଇପ୍ ପାଣି ସଂଯୋଗ
ସହରରେ ୨୯୭୪ ବସ୍ତି ହେବ ‘ବିଜୁ ଆଦର୍ଶ କଲୋନି’
କୋଭିଡ୍‌ ମୁକାବିଲା ପାଇଁ ସରକାରଙ୍କୁ ପ୍ରଶଂସା

ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ୍‌ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ରାଜ୍ୟପାଳ ୧୦ଟା ୫୫ରେ ବିଧାନସଭା ପରିସରରେ ପହଞ୍ଚିଲାପରେ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ଏହାପରେ ରାଜ୍ୟପାଳଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ ଭିତରକୁ ପାଛୋଟି ନେଇଥି‌ଲେ। ରାଜ୍ୟପାଳ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଥିଲେ। ସରକାରଙ୍କ ପାନୀୟ ଜଳ ଯୋଜନାକୁ ଫୋକସ୍‌ରେ ରଖି ରାଜ୍ୟପାଳ କହିଥିଲେ ଯେ ସମ୍ପୂଣ୍ଣ ପାଇପ୍ ପାନୀୟ ଜଳ ସଂଯୋଗୀକରଣରେ ଓଡ଼ିଶାର ସହରାଞ୍ଚଳ ପଥ ପ୍ରଦର୍ଶକ। ରାଜ୍ୟର ୬୩ଟି ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ଶତପ୍ରତିଶତ ଗୃହକୁ ପାଇପ ଜଳ ସଂଯୋଗ କରିସାରିଛନ୍ତି। ସମଗ୍ର ଦେଶରେ ଶତ ପ୍ରତିଶତ ଗୃହକୁ ପାଇପ ଜଳ ସଂଯୋଗ କରିବାରେ ଭୁବନେଶ୍ବର ମହାନଗର ନିଗମ ପ୍ରଥମ ଓ କଟକ ମହାନଗର ନିଗମ ଦ୍ବିତୀୟ ହୋଇପାରିଛି। ଚଳିତବର୍ଷ ରାଜ୍ୟର ସମସ୍ତ ୧୧୪ ସହରରେ ଶତ ପ୍ରତିଶତ ଘରକୁ ପାଇପ ଜଳ ସଂଯୋଗ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ମୋ ସରକାରଙ୍କ ମିସନ୍ ‘ସୁଜଳ’ ପୁରୀ ସହରାଞ୍ଚଳର ଶତ ପ୍ରତିଶତ ମିଟରିଂ ସହିତ ସମସ୍ତ ପରିବାରକୁ ୨୪ ଘଣ୍ଟିଆ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରିଛି ଓ ଗୁଣବତ୍ତାକୁ ବଜାୟ ରଖାଯାଇଛି। ଏହାଦ୍ବାରା ନିୟୁର୍କ, ଲଣ୍ଡନ, ସିଙ୍ଗାପୁରରେ ଉପଲବ୍ଧ ଥିବା ସୁବିଧା ଭଳି ପୁରୀ ଭାରତର ଏକମାତ୍ର ସହର ଭାବେ ଏହି ସୁବିଧା ଯୋଗାଇ ଦେବାର ଗୌରବ ହାସଲ କରିଛି।

ସରକାରଙ୍କ ଆବାସ ଯୋଜନାକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ୨୦୧୪-୧୫ ମସିହା ପର ଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ବଚ୍ଛତାର ସହିତ ସମ୍ପୂଣ୍ଣ କରାଯାଇଛି। ହିତାଧିକାରୀଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି। ସହରାଞ୍ଚଳରେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଜୀବନରେ ସବୁଦିନ ପାଇଁ ଖୁସି ଆଣିଦେବା ନିମନ୍ତେ ମୋ ସରକାରଙ୍କ ଯୁଗାନ୍ତକାରୀ ‘ଜାଗା ମିସନ୍’ ଏକ ଆଦର୍ଶ ଜନନୀତି। ବସ୍ତିବାସିନ୍ଦାଙ୍କ ଜୀବନ ଧାରଣର ମାନରେ ଉନ୍ନି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ବାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲେନି’ରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି।

କୃଷି ଓ କୃଷକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ବଖାଣି ପ୍ରଫେସର ଲାଲ କହିଥିଲେ ଯେ ମୋ ସରକାର ଏକ ବିସ୍ତୃତ ତଥା ସମନ୍ବିତ ରାଜ୍ୟ କୃଷି ନୀତି ଆଧାରିତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏହି କ୍ଷେତ୍ରର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେଇ ଆସୁଛନ୍ତି। ପୃଥକ କୃଷି ବଜେଟ୍ ଓ ଏକ ଉତ୍ସର୍ଗୀକୃତ କୃଷି କ୍ୟାବିନେଟ୍ ହେଉଛି ଦୁଇଟି ଉଲେ୍ଲଖନୀୟ ପଦକ୍ଷେପ। ଉଭୟ ଖରିଫ ଓ ରବି ଋତୁରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ଅଣ-କୃଷି କାର୍ଯ୍ୟ ପାଇଁ ସମଗ୍ର ଦେଶରେ ପ୍ରଥମ ସାର୍ବଜନୀନ ମୌଳିକ ଆୟ ଯୋଜନା ‘କାଳିଆ’ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଦେଶର ଅନ୍ୟତମ ଶୀର୍ଷ ଧାନ ସଂଗ୍ରହକାରୀ ରାଜ୍ୟର ମାନ୍ୟତା ପାଇଛି। କୃଷି ବାଣିଜ୍ୟ ସରଳୀକରଣ ବ୍ୟବସ୍ଥା ମାଧ୍ୟମରେ କୃଷି ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ଜଳାଭାବ ସମୟରେ ପରିପୂରକ ଜଳସେଚନ ଓ ଖରିଫ ସମୟରେ ନିହାତି ଆବଶ୍ୟକ ଜଳସେଚନ ପାଇଁ ପ୍ରତି ଇଚ୍ଛୁକ ଚାଷୀଙ୍କୁ ଗୋଟିଏ ଲେଖାଏ କ୍ଷେତ ‌େପାଖରୀ ଯୋଗାଇଦେବା ଲକ୍ଷ୍ୟ ରଖି ୨୦୧୯-୨୦ରୁ ୨୦୨୩-୨୪ ଏହି ୫ ବର୍ଷର ଅବଧି ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ସୃଷ୍ଟି କରିବାକୁ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ‘ମତ୍ସ୍ୟ ପୋଖରୀ ଯୋଜନା’ ଅଧୀନରେ ନୂଆ ମତ୍ସ୍ୟ ପୋଖରୀ କରିବା ପାଇଁ ମୋ ସରକାର କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଗଭୀର ନଳକୂପ ଖନନ କାର୍ଯ୍ୟକ୍ରମ ଏବଂ ପାର୍ବତୀ ଗିରି ବୃହତ ଉଠା ଜଳସେଚନ କାର୍ଯ୍ୟକ୍ରମ ରାଜ୍ୟରେ ଜଳସେଚନ ବିକାଶ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏକ ସାର୍ବଜନୀନ ସୁନିଶ୍ଚିତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଭାବେ ବର୍ଣ୍ଣନା କରି ରାଜ୍ୟପାଳ କହିଲେ ଯେ ଏହି ଯୋଜନାରେ ୯୬ ଲକ୍ଷ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ପରିବାରଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ପ୍ରସୂତ ଏହି ସ୍ବାସ୍ଥ୍ୟସେବା ଉପକ୍ରମ ସାରାଦେଶରେ ପ୍ରଥମ ତଥା ସର୍ବୋତ୍କୃଷ୍ଟ ପଦକ୍ଷେପ। ମୋ ସରକାର ସହାୟକ ସ୍ବାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷାରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଫେସର ଲାଲ କହିଲେ ଯେ ନାଗରିକଙ୍କ ସହଭାଗିତାରେ ଓଡ଼ିଶାର ବିଦ୍ୟାଳୟ ପରିବେଶକୁ ରୁପାନ୍ତରଣ ପାଇଁ ଉଦ୍ଦିଷ୍ଟ ଉପକ୍ରମ ‘ମୋ ସ୍କୁଲ୍‌ ଅଭିଯାନ’ ସମଗ୍ର ଦେଶରେ ଏକ ଅନନ୍ୟ ଉଦ୍ୟମ। ସରକାରୀ ହାଇସ୍କୁଲ୍‌ରେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବୁଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ହାଇସ୍କୁଲ୍‌ ରୂପାନ୍ତରଣ ହୋଇଥିଲା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୩୬୫ ହାଇସ୍କୁଲ୍‌ର ରୂପାନ୍ତରଣ ହେବ। ସେହିପରି ୨୦୨୨-୨୩ ଶିକ୍ଷା ବର୍ଷରେ ୬୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ଏବଂ ଭୁବନେଶ୍ବର ନିକଟସ୍ଥ ଅନ୍ଧାରୁଆରେ ଗୋଟିଏ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି। ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କୋରାପୁଟ ଓ କେଉଁଝର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ମଡେଲ୍‌ କ୍ୟାରିୟର ସେଣ୍ଟର୍ ସ୍ଥାପନ କରାଯାଇଛି।

ରାଜ୍ୟପାଳ କହିଥିଲେ ଯେ ମୋ ସରକାର ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୮୪ ଭାଗ ଅର୍ଥାତ ୬୨,୭୮୮ କୋଟି ଟଙ୍କାର ଅଧିକ ରାଜସ୍ବ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ୨୦୨୧-୨୨ରେ ବିପୁଳ ଖଣି ରାଜସ୍ବ ସଂଗ୍ରହ ହିଁ ରାଜ୍ୟ ରାଜସ୍ବ ସଂଗ୍ରହର ମୁଖ୍ୟ ଅଂଶ। ସାଧାରଣ ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରର ସର୍ବୋତ୍କୃଷ୍ଟ ଆର୍ଥିକ ପରିଚାଳନା ବିଧି ଅନୁସରଣ କରିବାରେ ମୋ ସରକାର ଏକ ପଥ ପ୍ରଦର୍ଶନକାରୀ କାର୍ଯ୍ୟ। ରାଜ୍ୟରେ ମିସନ୍ ଶକ୍ତି ଓ ଶିଳ୍ପାୟନର ସଫଳତା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ ସୂଚନା ଦେଇଥିଲେ।

କୋଭିଡ୍‌ ମୁକାବିଲାରେ ରାଜ୍ୟ ସରକାରଙ୍କ ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ ରାଜ୍ୟପାଳ। ସରକାରଙ୍କ ଠିକ୍ ଆକଳନ ଓ ସଫଳ ପ୍ରାକ୍ ପ୍ରସ୍ତୁତି ଏହି ମହାମାରୀର ଭୟାବହତାକୁ ଦୃଢ଼ତାର ସହିତ ପ୍ରତିହତ କରିବା ଦିଗରେ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି ‌ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳଙ୍କ ଭାଷଣରେ କିଛି ନୂତନତ୍ବ ନ ଥିବାରୁ କଂଗ୍ରେସ ବିଧାୟକମାନେ ତାହାକୁ ବର୍ଜନ କରି କରି କକ୍ଷତ୍ୟାଗ କରିଥିଲେ।

ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା ଆରମ୍ଭ ହୋଇଛି। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ ଓ ବରିଷ୍ଠ ସଭ୍ୟ ପ୍ରତାପ ଦେବ ତାହାକୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର